ଭଦ୍ରକ ପ୍ରିମିୟର ଲିଗ୍‌: ଚରମ୍ପା ବ୍ଲାଷ୍ଟର୍ସ ବିଜେତା:ଖେଳ ସମ୍ପର୍କ ଯୋଡ଼େ: ସୌମ୍ୟରଂଜନ

ଭଦ୍ରକ: ଚରମ୍ପା ପଥରକାଳୀ ରେଳବାଇ ପଡ଼ିଆରେ ଚାଲିଥିବା ଭଦ୍ରକ ପ୍ରିମିୟର ଲିଗ୍‌ କ୍ରିକେଟ୍‌ ପ୍ରତିଯୋଗିତା ସୋମବାର ଉଦ୍‌ଯାପିତ ହୋଇଛି। ଏହି ତୃତୀୟ ସଂସ୍କରଣରେ ଚରମ୍ପା ବ୍ଲାଷ୍ଟର୍ସ ଦଳ ବିଜେତା ହୋଇଛି। ଫାଇନାଲ୍‌ରେ ଏହି ଦଳ ମହାବୀର ଓ୍ଵାରିୟର୍ସକୁ ୧୬ ରନ୍‌ରେ ପରାସ୍ତ କରି ଟ୍ରଫି ଜିତିନେଇଛି।
ଚରମ୍ପା ବ୍ଲାଷ୍ଟର୍ସ ନିର୍ଧାରିତ ୨୦ ଓଭରରେ ୭ ଓ୍ଵିକେଟ୍‌ ହରାଇ ୧୬୦ ରନ୍‌ କରିଥିଲା। ଜିତେନ୍ଦ୍ର ଭୋଇ ୫୬ ଓ ଆଦିତ୍ୟ ଲେଙ୍କା ୨୮ ରନ୍‌ କରିଥିଲେ। ମହାବୀର ଓ୍ଵାରିୟର୍ସ ପକ୍ଷରୁ ସଂଜିତ ଚୌଧୁରୀ ୪ ଓ୍ଵିକେଟ୍‌ ନେଇଥିଲେ। ଜବାବରେ ମହାବୀର ଓ୍ଵାରିୟର୍ସ ସର୍ବେଶ୍ୱର ମହାନ୍ତିଙ୍କ ୩୯ ଓ ଅମୀର ଖାନ୍‌ଙ୍କ ୨୮ ରନ୍‌ ସତ୍ତ୍ୱେ ୮ ଓ୍ଵିକେଟ୍‌ ହରାଇ ୧୪୪ ରନ୍‌ କରିପାରିଥିଲା। ବିଜୟୀ ଦଳର ରାକେଶ ପଟ୍ଟନାୟକ ୩ ଓ୍ଵିକେଟ୍‌ ନେଇଥିଲେ। ଜିତେନ୍ଦ୍ର ଭୋଇଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ମ୍ୟାଚ୍‌କୁ ଶରତ ସାହୁ, ପିଆର୍‌ଭି ସିଂ ପରିଚାଳନା କରିଥିଲେ।
ଉଦ୍‌ଯାପନୀ ଉତ୍ସବରେ ‘ସମ୍ବାଦ’ର ସମ୍ପାଦକ ତଥା ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ଶ୍ରୀ ପଟ୍ଟନାୟକ କହିଥିଲେ, ଖେଳ ପରସ୍ପର ସହ ସମ୍ପର୍କ ଯୋଡିବା ସାଙ୍ଗକୁ ଖେଳାଳିମାନଙ୍କୁ ପରିଚିତ କରାଇଥାଏ। ଏହି ଅବସରରେ ଶ୍ରୀ ପଟ୍ଟନାୟକ କପିଲ ଦେବଙ୍କ ଉଦାହରଣ ଦେଇ କହିଲେ, ଜଣେ ଭଲ ଖେଳାଳି କେବଳ ରାଜ୍ୟ କି ଦେଶରେ ନୁହେଁ, ସମଗ୍ର ବିଶ୍ୱରେ ପରିଚିତ ହୋଇଥାଏ। କ୍ରିକେଟ୍‌ ଏକ ଅନିଶ୍ଚିତତାର ଖେଳ। ଖେଳରେ ବିଜୟ ଓ ପରାଜୟ ରହିଥାଏ। ପରାଜୟକୁ ଧରିବସିଲେ ଶୀର୍ଷରେ ପହଞ୍ଚି ହେବନାହିଁ। ତେଣୁ ସମସ୍ତେ ଖେଳୁଆଡ ମନୋଭାବ ନେଇ ଆଗେଇ ଯିବାକୁ ସେ ପରାମର୍ଶ ଦେଇଥିଲେ।

ସମ୍ମାନିତ ଅତିଥି ଭାବେ ଓଡ଼ିଶା କ୍ରିକେଟ୍‌ ସଂଘ ସଭାପତି ଧିରେନ ପଲେଇ ଯୋଗ ଦେଇଥିଲେ। ଅତିଥିମାନେ ବିଜୟୀ ଦଳକୁ ଟ୍ରଫି ଓ ପୁରସ୍କାର ପ୍ରଦାନ କରିଥିଲେ। ରାକେଶ ପଟ୍ଟନାୟକଙ୍କୁ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରାଯାଇଥିଲା। ବିପିଏଲ କମିଟିର ସଭାପତି ରଞ୍ଜନ ଦାସ, ଅଧ୍ୟକ୍ଷ ବୁଲୁ ମହାନ୍ତି, ସଂପାଦକ ଇଂ. ଶ୍ରୀଧର ରାଉତ୍‌, ଟେକନିକାଲ ହେଡ୍‌ କେଭି ପ୍ରସାଦ, ମୁଖ୍ୟ ସଂଯୋଜକ ଶ୍ରୀଧର ଉପାଧ୍ୟାୟ, ଉପାଧ୍ୟକ୍ଷ ଦିଲ୍ଲୀପ ଦାସ, ସହ ସଂପାଦକ ଶ୍ରୀଧର ମିଶ୍ର, କୋଷାଧ୍ୟକ୍ଷ ଶୁଭେନ୍ଦୁ ବେହେରା, ମିଡିଆ ପ୍ରଭାରୀ ବିମଳ ମିଶ୍ର, ପରେଶ ନାୟକ ପ୍ରମୁଖ ଉପସ୍ଥିତ ଥିବା ବେଳେ ରମେଶ ଚୌଧୁରୀ, ହୃଦାନନ୍ଦ ଦାସ, ହରେକୃଷ୍ଣ ବୈଠାରୁ, ହରିହର ବେହେରା, ମହେନ୍ଦ୍ର ପ୍ରସାଦ ନାୟକ, ଜଗବନ୍ଧୁ ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର