୨୦୦୧ ଅଷ୍ଟ୍ରେଲିଆ ଟେଷ୍ଟ୍ ବିଜୟକୁ ୨୦୧୧ ବିଶ୍ବକପ୍ ବିଜୟ ସହ ତୁଳନା କଲେ ଭଜି

ଚଣ୍ଡିଗଡ: ଭାରତୀୟ ଅଫସ୍ପିନର ହରଭଜନ ସିଂହ କୋଲ୍‌କାତାର ଐତିହାସିକ ଇଡେନ୍ ଗାର୍ଡେନ୍ସରେ ୨୦୦୧ ମସିହାରେ ଭାରତ ହାସଲ କରିଥିବା ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ୍ ବିଜୟକୁ ୨୦୧୧ ମସିହାର ୫୦ ଓଭରିଆ ବିଶ୍ବକପ୍ ବିଜୟ ସହ ତୁଳନା କରିଛନ୍ତି। ସେହି ଟେଷ୍ଟ୍‌ରେ ଭାରତ ଫଲୋଅନ୍ ହେବା ପରେ ଭିଭିଏସ୍ ଲକ୍ଷ୍ମଣଙ୍କ ୨୮୧, ରାହୁଲ ଦ୍ରାବିଡ଼ଙ୍କ ୧୮୦ ଓ ଭଜିଙ୍କ ହ୍ୟାଟ୍ରିକ୍ ସହ ୧୩ ୱିକେଟ୍ ବଳରେ ଅଷ୍ଟ୍ରେଲିଆକୁ ହରାଇ ସମସ୍ତଙ୍କୁ ଚକିତ କରି ଦେଇଥିଲା। ଏହାକୁ ଘରୋଇ ପରିବେଶରେ ଭାରତର ସର୍ବବୃହତ୍ ଟେଷ୍ଟ୍ ବିଜୟର ଆଖ୍ୟା ମିଳେ। ୨୦୦୧ ଶୃଙ୍ଖଳା ମଧ୍ୟ ଘରୋଇ ପରିବେଶରେ ଭାରତର ଅନ୍ୟତମ ଶ୍ରେଷ୍ଠ ଶୃଙ୍ଖଳା ଥିଲା ବୋଲି କୁହାଯାଏ। ଭାରତ ସେହି ଶୃଙ୍ଖଳା ଜିତି ଟେଷ୍ଟ୍ କ୍ରିକେଟ୍‌ରେ ଷ୍ଟିଭ୍ ୱ’ଙ୍କ ଦଳର ଆଧିପତ୍ୟକୁ ଶେଷ କରି ଦେଇଥିଲା। ସେହି ସ୍ମରଣୀୟ ବିଜୟକୁ ମନେ ପକାଇ ଭଜି କହିଛନ୍ତି ଯେ ଜଣେ ଖେଳାଳି ଭାବେ ୨୦୦୧ ମସିହାର ଅଷ୍ଟ୍ରେଲିଆ ବିପକ୍ଷ ଶୃଙ୍ଖଳାକୁ ମୁଁ ଶୀର୍ଷରେ ରଖିବି। ଆଜି ମୁଁ ଯାହାବି ହୋଇଛି, ସେହି ପ୍ରଦର୍ଶନ ଆଧାରରେ ହୋଇଛି। ପୁଣି ବିଶ୍ବକପ୍ ଜିତିବା ମୋ ପିଲା ବେଳର ସ୍ବପ୍ନ ଥିଲା। ୨୦୧୧ ମସିହାରେ ବିଶ୍ବକପ୍ ଆସିଥିଲା। ଏହାକୁ ମୁଁ କିନ୍ତୁ ୨୦୦୧ ଇଡେନ୍ ଗାର୍ଡେନ୍ସ ଟେଷ୍ଟ୍ ବିଜୟ ସହ ସମାନ ସ୍ତରରେ ରଖିବି। ସୂଚନାଯୋଗ୍ୟ ଯେ ଭଜି ୨୦୦୭ ମସିହାରେ ପ୍ରଥମ ଟ୍ବେଣ୍ଟି-୨୦ ବିଶ୍ବକପ୍ ଜିତିଥିବା ଭାରତୀୟ ଦଳର ମଧ୍ୟ ସଦସ୍ୟ ଥିଲେ। ୨୦୦୭ ମସିହା ବିଶ୍ବକପ୍ ଜିତି ସ୍ବଦେଶ ଫେରିବା ପରେ ମିଳିଥିବା ସ୍ବାଗତ ସମ୍ବର୍ଦ୍ଧନା ଜୀବନ ଥିଲା ଯାଏ ମନେ ରହିବ ବୋଲି ଭଜି ମତ ଦେଇଛନ୍ତି। ଏହି ତିନିଟି ମୁହୂର୍ତ୍ତକୁ ଜୀବନର ଶ୍ରେଷ୍ଠ ତିନି କ୍ରିକେଟ୍ ଭାବେ ମଧ୍ୟ ବର୍ଣ୍ଣନା କରିଛନ୍ତି ଭଜି।

ସମ୍ବନ୍ଧିତ ଖବର