ନୂଆଦିଲ୍ଲୀ : ଭାରତରେ ହେବାକୁ ଥିବା ଆଇସିସି ଦିନିକିଆ ବିଶ୍ୱକପ୍ କୁ ନେଇ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି । ଅକ୍ଟୋବର ୧୫ରେ ଅହମଦାବାଦରେ ଭାରତ-ପାକିସ୍ତାନ ମହାମୁକାବିଲା ହେବ । ଏହାକୁ ନେଇ ଏବେଠାରୁ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏହି ମହାମୁକାବିଲାକୁ ନେଇ କେବଳ କ୍ରିକେଟପ୍ରେମୀ ନୁହନ୍ତି, ପୂର୍ବତନ କ୍ରିକେଟିୟରମାନେ ବି ଉତ୍ସାହିତ ହୋଇଯାଇଛନ୍ତି ।
ଏବେଠାରୁ ବିତର୍କ ଚାଲିଛି ଯେ କିଏ ବଡ଼ ଖେଳାଳି- ବିରାଟ କୋହଲି ନା ବାବର ଆଜମ୍ ? ଏ ନେଇ ମୁହାଁମୁହିଁ ହୋଇଛନ୍ତି ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତର ଓ ଭାରତର ମହାନ ସ୍ପିନର ହରଭଜନ ସିଂ ଓରଫ ଭଜି । ସୋଏବ ଅଖତରଙ୍କ ୟୁଟ୍ୟୁବ ଚ୍ୟାନେଲରେ ଭଜି ଆଲୋଚନା କରୁଥିବାବେଳେ କହିଥିଲେ ଯେ, ବିରାଟ କୋହଲି ବିଶ୍ୱର ଶ୍ରେଷ୍ଠ ଖେଳାଳି ତାଲିକାରେ ସାମିଲ ହୋଇସାରିଛନ୍ତି । କିନ୍ତୁ ବାବର ଆଜମଙ୍କୁ ସେଠାରେ ପହଞ୍ଚିବା ପାଇଁ ଆହୁରି ଅନେକ କାମ କରିବାକୁ ପଡ଼ିବ। ବାବର ମଧ୍ୟ ଜଣେ ମହାନ ଖେଳାଳି ହେବେ କାରଣ ସେ ଜଣେ ଭଲ ଖେଳାଳି ବୋଲି ଭଜି କହିଛନ୍ତି ।
ହରଭଜନ ସିଂହ କହିଛନ୍ତି ଯେ ବାବର ଆଜମ ଟେଷ୍ଟ କ୍ରିକେଟରେ ବହୁତ ଭଲ କିନ୍ତୁ ଟି-୨୦ରେ ତାଙ୍କ ପ୍ରଦର୍ଶନ ସେତେଟା ଭଲ ନୁହେଁ। ସୋଏବ ଅଖତର ଏ ନେଇ ନିଜର ମତାମତ ରଖି କହିଛନ୍ତି ଯେ ଦେଖନ୍ତୁ ବାବର ଟି-୨୦ କ୍ରିକେଟରେ ମଧ୍ୟ ଉନ୍ନତି ପାଇଁ ବହୁତ ଚେଷ୍ଟା କରୁଛନ୍ତି ।