ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ସ୍ପିନର ହରଭଜନ ସିଂହ ଶୁକ୍ରବାର ୪୦ ବର୍ଷ ବୟସ ଅତିକ୍ରମ କରିଛନ୍ତି। ଏହି ଜନ୍ମ ଦିନ ଅବସରରେ ତାଙ୍କ ନିକଟକୁ ଅଜସ୍ର ଶୁଭେଚ୍ଛା ଓ ଶୁଭକାମନା ଆସିଲାଣି। ଏହା ମଧ୍ୟରେ ପୂର୍ବତନ ଭାରତୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଯୁବରାଜ ସିଂହଙ୍କ ଶୁଭେଚ୍ଛା ଚର୍ଚ୍ଚାରେ ରହିଛି। ଉଭୟ ଏକାଠି ପଞ୍ଜାବ ପକ୍ଷରୁ ଖେଳ ଆରମ୍ଭ କରିଥିଲେ। ଅନ୍ତର୍ଜାତୀୟସ୍ତରରେ ଉଭୟ ଭାରତ ପକ୍ଷରୁ ବହୁ ମ୍ୟାଚ୍ ଖେଳିଛନ୍ତି। ଦୁହିଁଙ୍କ ମଧ୍ୟରେ ବନ୍ଧୁତା ମଧ୍ୟ ବହୁତ ଭଲ। ଭଜିଙ୍କ ଜନ୍ମ ଦିନରେ ଯୁବି ଉଭୟଙ୍କ ପୁରୁଣା ଫଟୋକୁ ଟ୍ବିଟର୍ରେ ପ୍ରକାଶ କରି ଶୁଭେଚ୍ଛା ଜଣାଇଥିଲେ। ଏଥିରେ ଲେଖିଥିଲେ ‘ଏହା ତୁମର ୪୦ ନା ୪୭ତମ ଜନ୍ମଦିନ। ପରସ୍ପରର ଗୋଡ ଟାଣିବା ଏବଂ ବେଳେବେଳେ ପ୍ୟାଣ୍ଟ୍ ମଧ୍ୟ ଏଭଳି ଚମତ୍କାର ଦିନ ଆମେ ଏକାଠି କଟାଇଛେ। ତୁମେ ବିଶ୍ବରେ ସିଂହକୁ ପ୍ରମାଣିତ କରିସାରିଛ। ତୁମେ ସବୁବେଳେ ରାଜା। କ୍ବାରାଣ୍ଟାଇନ୍ ପରେ ପାର୍ଟି ତ ୧୦୦ ପ୍ରତିଶତ ନେବାକୁ ପଡ଼ିବ। ଲଭ୍ ୟୁ ପାଜି’।
ଅନ୍ୟ ପୂବର୍ତନ ଓ ଏବର କ୍ରିକେଟର୍ ମଧ୍ୟ ଭଜିଙ୍କ ଜନ୍ମ ଦିନ ଅବସରରେ ଶୁଭେଚ୍ଛା ଜଣାଇଥିଲେ। ପୂର୍ବତନ ଦ୍ରୁତ ବୋଲର ଶ୍ରୀଶାନ୍ତ ମଧ୍ୟ ଏଥିରେ ସାମିଲ ଥିଲେ। ସେ ଭଜିଙ୍କ ଗୁଡ଼ାଏ ଫୋଟୋ ଏବଂ ତାଙ୍କ କୀର୍ତ୍ତିମାନ ସେୟାର କରି ଶୁଭେଚ୍ଛା ଜଣାଇଥିଲେ। ପୂର୍ବତନ ବାମହାତୀ ସ୍ପିନର ଓଡ଼ିଆ ପୁଅ ପ୍ରଜ୍ଞାନ ଓଝା ଭଜିଙ୍କ ସହ ଏକ ପୁରୁଣା ଫଟୋକୁ ଫେସ୍ବୁକ୍ରେ ପୋଷ୍ଟ୍ କରି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ‘ଜନ୍ମଦିନର ଅନେକ ଖୁସିର ପ୍ରତ୍ୟାବର୍ତ୍ତନ ଭାଜୁ ପା। ଆଶାକରେ ତୁମ ଆଗରେ ବହୁତ ଭଲ ବର୍ଷ ଅଛି। ଏକ ଛୋଟ ବାଳକ ଭାବରେ ଏନ୍ସିଏରେ ଆପଣଙ୍କୁ ଭେଟିବାଠାରୁ ଆରମ୍ଭ କରି ଆମ ଦେଶ ପାଇଁ ଟେଷ୍ଟ ମ୍ୟାଚ୍ରେ ଆପଣଙ୍କର ବୋଲିଂ ସାଥୀ ହେବା... ଚମତ୍କାର ସ୍ମୃତି! ହରଭଜନ ସିଂହ’ ବୋଲି ପ୍ରଜ୍ଞାନ ଫେସ୍ବୁକ୍ରେ ଲେଖିଥିଲେ। ଏମାନଙ୍କ ସହ ଆଇସିସି, ବିସିସିଆଇ, ଭାରତୀୟ କ୍ରିକେଟର୍ ସୁରେଶ ରାଇନା, ମହମ୍ମଦ କୈଫ୍ ଓ ଶିଖର ଧାୱନଙ୍କ ସହ ଅନେକ ପ୍ରଶଂସକ ସାମାଜିକ ଗଣମାଧ୍ୟମରେ ଭଜିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/06/harbhajan2.jpg)