ଭଜି, ବୀରୁ, ଜାକ୍‌ଙ୍କୁ ମଧ୍ୟ ବିଦାୟୀ ମିଳିନଥିଲା

ନୂଆଦିଲ୍ଲୀ: କେବଳ ନିଜ ପାଇଁ ନୁହେଁ ସାଥୀ ଖେଳାଳିମାନଙ୍କ ପାଇଁ ମଧ୍ୟ ପୂର୍ବତନ ଅଲରାଉଣ୍ଡର୍ ଯୁବରାଜ ସିଂହ ବିସିସିଆଇ ବିରୋଧରେ ନିଜ ଅସନ୍ତୋଷ ଜାହିର କରିଛନ୍ତି। ଦେଶ ପାଇଁ ଦୀର୍ଘ ୧୯ ବର୍ଷ ଧରି ଖେଳିଥିବା ଯୁବରାଜ କହିଛନ୍ତି କେବଳ ମୋତେ ନୁହେଁ ହରଭଜନ ସିଂହ, ବୀରେନ୍ଦ୍ର ସେହବାଗ ଏବଂ ଜାହିର୍ ଖାନ୍‌ଙ୍କୁ ମଧ୍ୟ ବିସିସିଆଇ ସେମାନଙ୍କ ଖେଳ ଜୀବନର ଶେଷ ଭାଗରେ ଉପଯୁକ୍ତ ସମ୍ମାନ ଦେଇନଥିଲା। ଆଶ୍ଚର୍ଯ୍ୟଜନକ ଭାବେ ଏମାନେ ମଧ୍ୟ ବିସିସିଆଇର ଅଣପେସାଦାର ମନୋବୃତ୍ତିର ଶିକାର ହୋଇଥିଲେ। ବିଦାୟୀ ମ୍ୟାଚ୍‌ ପ୍ରଦାନ କରିବା ବିସିସିଆଇ ଅଧିକାର ପରିସରଭୁକ୍ତ ହୋଇଥିବା ବେଳେ ମୋ ସହିତ ଏମାନଙ୍କୁ ମଧ୍ୟ ଉପଯୁକ୍ତ ପରିଚାଳନା କରାଯାଇନଥିଲା।

ଖେଳାଳିଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ କରିବା ବିସିସିଆଇର କାମ। କିନ୍ତୁ ଅତୀତରେ ବି ଏଭଳି ଘଟିଥିବାରୁ ମୁଁ ବିଶେଷ ଆଶ୍ଚର୍ଯ୍ୟ ନୁହେଁ ବୋଲି ଯୁବରାଜ ପ୍ରକାଶ କରିଥିଲେ। ଭବିଷ୍ୟତରେ ଯେଉଁମାନେ ଭାରତ ପାଇଁ ଖେଳିବେ ସେମାନଙ୍କ ପାଇଁ ଏଭଳି ନ ଘଟୁ ବୋଲି ସେ ଆଶା କରିଛନ୍ତି। ପ୍ରତ୍ୟାବର୍ତନ ଶୃଙ୍ଖଳାରେ ଗତବର୍ଷ କଟକରେ ନିଜ ଦିନିକିଆ ଜୀବନର ଶ୍ରେଷ୍ଠ ପାଳି ୧୫୦ ରନ୍ ଖେଳିଥିବା ଯୁବରାଜ କହିଛନ୍ତି ଦୁଇଟି ବିଶ୍ବକପ୍‌ ବିଜୟ ଦେଇଥିବା ଗୌତମ ଗମ୍ଭୀରଙ୍କୁ ମଧ୍ୟ ବିସିସିଆଇ ଠିକଣା ସମ୍ମାନ ଦେଇନାହିଁ। ସୁନିଲ ଗାଭାସ୍କରଙ୍କ ପରେ ଭାରତକୁ ବହୁ ମ୍ୟାଚ୍ ବିଜୟ ଦେଇଥିବା ବୀରେନ୍ଦ୍ର ସେହବାଗ, ୩୫୦ ୱିକେଟ୍ ନେଇଥିବା ଜାହିର ଖାନ୍‌ଙ୍କୁ ବି ତାଙ୍କ ହକ୍‌ର ସମ୍ମାନ ମିଳିନଥିଲା ବୋଲି ଯୁବରାଜ ପ୍ରକାଶ କରିଥିଲେ। ସୂଚନାଯୋଗ୍ୟ, ଗତବର୍ଷ ବିଶ୍ବକପ୍‌ ଦଳରେ ସ୍ଥାନ ନ ପାଇବା ପରେ ଯୁବରାଜ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଯାଇଥିଲେ। ସୂଚନାଯୋଗ୍ୟ ଯେ ଯୁବରାଜ ଭାରତ ପକ୍ଷରୁ ୪୦ ଟେଷ୍ଟ୍, ୩୦୪ ଦିନିକିଆ ଓ ୫୮ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିଛନ୍ତି। ୨୦୦୩ରୁ ୨୦୧୭ ମଧ୍ୟରେ ସେ ୮୭୦୧ ରନ୍ କରିବା ସହ ୧୧୧ ୱିକେଟ୍ କରାୟତ୍ତ କରିଥିଲେ। ୨୦୦୭ ମସିହାର ପ୍ରଥମ ଟ୍ବେଣ୍ଟି-୨୦ ବିଶ୍ବକପ୍ ଅବସରରେ ଇଂଲଣ୍ଡର ଷ୍ଟୁଆର୍ଟ ବ୍ରଡ୍‌ଙ୍କୁ ୬ ଛକା ମାରି ସେ ଚର୍ଚିତ ହୋଇଥିଲେ। ସେ ମଧ୍ୟ ୨୦୧୧ ଏକଦିବସୀୟ ବିଶ୍ବକପ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଭାରତର ୨୦୦୭ ଟ୍ବେଣ୍ଟି-୨୦ ବିଶ୍ବକପ୍ ବିଜୟରେ ମଧ୍ୟ ଯୁବି ନିର୍ଣ୍ଣାୟକ ଭୂମିକା ତୁଲାଇଥିଲେ।

ସମ୍ବନ୍ଧିତ ଖବର