ବ୍ରହ୍ମପୁର: ବ୍ରହ୍ମପୁର କ୍ରୀଡ଼ା ଛାତ୍ରାବାସର ଉଦୀୟମାନ ଭାରୋତ୍ତୋଳକ ଭକ୍ତରାମ ଦେଷ୍ଟିଙ୍କୁ ମିଳିଛି ଅନ୍ତର୍ଜାତୀୟ ସୁଯୋଗ। ଅଷ୍ଟ୍ରେଲିଆର ସାମୋଆ ଏପିଆ ଠାରେ ଆସନ୍ତା ୯ରୁ ୧୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଯୁବ ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ଲାଗି ଭକ୍ତରାମ ମନୋନୀତ ହୋଇଛନ୍ତି। ସେ ଗତ ଜାନୁଆରି ୨୦ରୁ ପଂଜାବର ପାତିଆଲା ସ୍ଥିତ ଜାତୀୟ ପ୍ରଶିକ୍ଷଣ ଶିବିରରେ ତାଲିମ ନେଇ ଆସୁଛନ୍ତି। ଭକ୍ତରାମ ଶୁକ୍ରବାର ଭାରତୀୟ ଦଳ ସହ ଦିଲ୍ଲୀରୁ ସାମୋଆ ଗସ୍ତ କରିବେ ବୋଲି ପ୍ରଶିକ୍ଷିକା ସୀତା କୁମାରୀ ଜେନାଙ୍କଠାରୁ ସୂଚନା ମିଳିଛି। ମାଲକାନଗିରି ଜିଲ୍ଲାର ମାଓ ପ୍ରବଣ ଅଂଚଳ ଭାବେ ପରିଚିତ ଚିତ୍ରକୋଣ୍ଡାର ଏକ ଗରିବ ପରିବାରରୁ ଆସିଛନ୍ତି ଭକ୍ତରାମ। ବାପା ସଦନ ଦେଷ୍ଟିଙ୍କ ସହ ପରିବାର ଲୋକେ ଚାଷବାସ କାମ କରି ଗୁଜୁରାଣ ମେଣ୍ଟାନ୍ତି। ଭକ୍ତରାମ ୨୦୧୪ ମସିହାରେ ବ୍ରହ୍ମପୁର କ୍ରୀଡ଼ା ଛାତ୍ରାବାସରେ ଭାରୋତ୍ତୋଳନ ପ୍ରଶିକ୍ଷଣ ନେବାପାଇଁ ମନୋନୀତ ହୋଇ ଆସିଥିଲେ। ପ୍ରଶିକ୍ଷିକା ସୀତାଙ୍କ ତତ୍ତ୍ବାବଧାନରେ ଭକ୍ତରାମ ଗତ ୪ ବର୍ଷ ହେବ ଭାରୋତ୍ତୋଳନରେ ତାଲିମ୍ ନେଇ ଆସୁଛନ୍ତି। ‌ନିଷ୍ଠାପର ଉଦ୍ୟମ ଯୋଗୁଁ ଖୁବ୍‌ଶୀଘ୍ର ସେ ଏହି କ୍ରୀଡ଼ାର କଳା କୌଶଳ ଆୟତ୍ତ କରିପାରିଥିଲେ। ୨୦୧୬ରେ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ପ୍ରତିଯୋଗିତାରେ ଉନ୍ନତ ପ୍ରଦର୍ଶନ କରି ପ୍ରଥମ ଥର ପାଇଁ ଜାତୀୟସ୍ତରର ପ୍ରତିଯୋଗିତାରେ ଭାଗ ନେବାର ସୁଯୋଗ ପାଇଥିଲେ ଭକ୍ତ। ୱାରଙ୍ଗଲରେ ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗିତାର ୪୫-୫୦ କେଜି ‌ବର୍ଗରେ ଶ୍ରେଷ୍ଠ ପ୍ରଦର୍ଶନ କରି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ୨୦୧୮ରେ ଦିଲ୍ଲୀ‌‌େର ଅନୁ‌ଷ୍ଠିତ ପ୍ରଥମ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ପୁଣି ସ୍ବର୍ଣ୍ଣ ପଦକ ଜିତି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ। ତେବେ ଏହା ପରେ ସେ ଦେଇଥିବା ମାଟ୍ରିକ୍‌ ପରୀକ୍ଷା ଫଳ ବାହାରିଥିଲା। ଏଥିରେ ଭକ୍ତରାମ ଅକୃତକାର୍ଯ୍ୟ ହେବାରୁ ଛାତ୍ରାବାସ ଛାଡ଼ି ଗାଁକୁ ଚାଲିଯାଇଥିଲେ। ପରିବାର ଲୋକ ତାଙ୍କୁ ପୁଣି ଥରେ ମାଟ୍ରିକ୍‌ ପରୀକ୍ଷା ଦେବା ଏବଂ ଖେଳ ଜାରି ରଖିବା ବଦଳରେ ଚାଷବାସରେ ସହଯୋଗ କରିବାକୁ କହିଥିଲେ। ସେଥିପାଇଁ ପ୍ରାୟ ୫ ମାସ ସେ ଆଉ ଛାତ୍ରାବାସକୁ ଫେରିନଥିଲେ। ଏହାମଧ୍ୟରେ ଔରାଙ୍ଗାବାଦ୍‌ରେ ହେବାକୁ ଥିବା ଜାତୀୟ ପ୍ରଶିକ୍ଷଣ ଶିବିର ପାଇଁ ସେ ମନୋନୀତ ହୋଇଥିବା ନେଇ ତାଙ୍କ ପ୍ରଶିକ୍ଷିକା ସୀତା ଜେନା ଜାଣିବା ପରେ ଭକ୍ତରାମଙ୍କ ସହ ଫୋନ୍‌ରେ ଯୋଗଯୋଗ କରିଥିଲେ। ଭଲ ଖେଳିଲେ ଅର୍ଥର ଅଭାବ ରହିବ ନାହିଁ, ତାଙ୍କ ପରିବାରର ଆର୍ଥିକ ଅବସ୍ଥା ସୁଧୁରି ଯିବ ବୋଲି ବୁଝାଇବାରେ ସକ୍ଷମ ହୋଇଥିଲେ। ଭକ୍ତରାମ ତାଙ୍କ ପରିବାରକୁ ଏହା କହିବା ପରେ ସେମାନେ ବୁଝିଥିଲେ। ମାଣ୍ଡିଆ ବିକି ଭକ୍ତରାମଙ୍କୁ ପୁଣି ଖେଳିବା ପାଇଁ ପଠାଇଥିଲେ। ଏହାପରେ ଆଉ ପଛକୁ ଚାହିଁନାହାନ୍ତି ଭକ୍ତରାମ। ସେହିବର୍ଷ ଡିସେମ୍ବରରେ ନାଗପୁର ଠାରେ ଅନୁ‌ଷ୍ଠିତ ହୋଇଥିବା ଯୁବ ଏବଂ କନିଷ୍ଠ ଜାତୀୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ନିଜର ଶ୍ରେ‌ଷ୍ଠ ପ୍ରଦର୍ଶନ ଦେଇଥିଲେ। ନିଜ ବର୍ଗରେ ମୋଟ ୧୮୬ କେଜି (୮୨+୧୦୪) ଭାରୋତ୍ତୋଳନ କରି ପ୍ରଥମ ହେବା ସହ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ପୁଣି ଚଳିତ ବର୍ଷ ଜାନୁଆରିରେ ପୁନେଠାରେ ଅନୁଷ୍ଠିତ ହୋଇଥିବା ଦ୍ବିତୀୟ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ପୂର୍ବ ସଫଳତା ଦୋହରାଇଥିଲେ। ଜାତୀୟସ୍ତରରେ ନିରନ୍ତର ଉନ୍ନତ ପ୍ରଦର୍ଶନ କରି ଆସୁଥିବା ଭକ୍ତରାମ ପାତିଆଲାରେ ଜାତୀୟ ପ୍ରଶିକ୍ଷଣ ଶିବିରରେ ତାଲିମ୍‌ ନେବାପାଇଁ ମନୋନୀତ ହୋଇଥିଲେ।