ଭକ୍ତରାମଙ୍କୁ ଭାରୋତ୍ତୋଳନ ସ୍ୱର୍ଣ୍ଣ, ସ୍ନେହାଙ୍କୁ ରୌପ୍ୟ

ହକି ସେମିରେ ଓଡ଼ିଶା

ବ୍ରହ୍ମପୁର: ଦିଲ୍ଲୀରେ ଚାଲିଥିବା ପ୍ରଥମ ଖେଲୋ ଇଣ୍ଡିଆ ବିଦ୍ୟାଳୟ କ୍ରୀଡ଼ାର ଭାରୋତ୍ତୋଳନରେ ଓଡ଼ିଶାକୁ ସୋମବାର ଦୁଇଟି ପଦକ ମିଳିଛି। ବାଳକରେ ବ୍ରହ୍ମପୁର ଛାତ୍ରାବାସର ଭକ୍ତରାମ ଦେଷ୍ଟି ସ୍ୱର୍ଣ୍ଣ ଏବଂ ବାଳିକାରେ ମୟୁରଭଂଜର ସ୍ନେହା ସୋରେନ୍‌ ରୌପ୍ୟପଦକ ହାସଲ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଭକ୍ତରାମ ବାଳକ ୫୦ କିଲୋଗ୍ରାମ ବର୍ଗର ସ୍ନାଚ୍‌ରେ ୭୭ କିଲୋଗ୍ରାମ ଓ କ୍ଲିନ୍‌ ଆଣ୍ଡ ଜର୍କ ୯୯ କିଲୋଗ୍ରାମ ଏବଂ ମୋଟ ଉପରେ ୧୭୬ କିଲୋଗ୍ରାମ ଭାରୋତ୍ତୋଳନ କରି ପ୍ରଥମ ସ୍ଥାନ ହାସଲ କରିଥିଲେ। ଅନ୍ୟପକ୍ଷରେ ସ୍ନେହା ବାଳିକା ୪୮କିଲୋଗ୍ରାମ ବର୍ଗ ସ୍ନାଚ୍‌ରେ ୫୭ କିଲୋଗ୍ରାମ, କ୍ଲିନ୍‌ ଆଣ୍ଡ ଜର୍କରେ ୭୪କିଲୋଗ୍ରାମ ଏବଂ ମୋଟରେ ୧୩୧କିଲୋଗ୍ରାମ ଭାରୋତ୍ତୋଳନ କରି ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ। ବ୍ରହ୍ମପୁରରୁ ଏକ ମାତ୍ର ଖେଳାଳିଭାବେ ଭକ୍ତରାମ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଭକ୍ତରାମଙ୍କ ଘର ମାଲକାନଗିରିରେ ହୋଇଥିବା ବେଳେ ବ୍ରହ୍ମପୁର ଛାତ୍ରାବାସରେ ରହି ବାରାକ୍ସ ହାଇସ୍କୁଲରେ ୧୦ମ ଶ୍ରେଣୀରେ ପଢ଼ୁଛନ୍ତି। ସୀତା ଜେନା ତାଙ୍କର ପ୍ରଶିକ୍ଷିକା ଅଛନ୍ତି। ୨୦୧୫-୧୬ ଶିକ୍ଷାବର୍ଷରେ ଜାତୀୟ ସ୍କୁଲ କ୍ରୀଡ଼ାରେ ସେ ସ୍ୱର୍ଣ୍ଣ ପଦକ ହାସଲ କରି ନିଜର ଦକ୍ଷତା ପ୍ରତିପାଦନ କରିଥିଲେ। ପୂର୍ବରୁ ସନ୍ତରଣରେ ପ୍ରତ୍ୟାଶା ରାଏ ଏବଂ ଦୌଡ଼କୁଦରେ ପୁଙ୍ଗା ସୋରେନ୍‌ ରାଜ୍ୟ ପାଇଁ ଏହି ପ୍ରତିଯୋଗିତାରେ ପଦକ ଜିତି ସାରିଛନ୍ତି।

ଭୁବନେଶ୍ୱର: ଖେଲୋ ଇଣ୍ଡିଆ ବିଦ୍ୟାଳୟ କ୍ରୀଡ଼ାରେ ସୋମବାର ଓଡ଼ିଶାକୁ ହକି ପଡ଼ିଆରୁ ମଧ୍ୟ ଖୁସି ଖବର ମିଳିଥିଲା। ଓଡ଼ିଶା ବାଳକ ହକିର ସେମିଫାଇନାଲରେ ପ୍ରବେଶ କରିଥିଲା। ରାଜ୍ୟ ଦଳ ଆଜି ଦିଲ୍ଲୀକୁ ୫-୧ ଗୋଲ୍‌ରେ ହରାଇ ଏହି ସଫଳତା ଲାଭ କରିଥିଲା। ଅନ୍ୟଏକ ମ୍ୟାଚ୍‌ରେ ପଞ୍ଜାବ ୭-୧ରେ ହରିଆଣାକୁ ହରାଇ ଏହି ପର୍ଯ୍ୟାୟରେ ସ୍ଥାନ ସୁରକ୍ଷିତ କରି ନେଇଥିଲା।

ସମ୍ବନ୍ଧିତ ଖବର