ଭାରତ-ଅଷ୍ଟ୍ରେଲିଆ ଶୃଙ୍ଖଳାର ଦର୍ଶକ କୀର୍ତ୍ତିମାନ

ନୂଆଦିଲ୍ଲୀ: ଭାରତ-ଅଷ୍ଟ୍ରେଲିଆ ଶୃଙ୍ଖଳା ଡିଜିଟାଲ ପ୍ଲାଟ୍‌ଫର୍ମରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି। ଟେଲିଭିଜନ ଏବଂ ଷ୍ଟାଡିୟମ ଦର୍ଶକଙ୍କୁ ଛାଡ଼ି ଇଣ୍ଟରନେଟ୍‌ରେ ହୋଇଥିବା ଲାଇଭ୍ ଷ୍ଟ୍ରିମିଂରେ ଏହି ଶୃଙ୍ଖଳାକୁ ୫୦ ନିୟୁତ ବା ୫ କୋଟି ଦର୍ଶକ ଦେଖିଛନ୍ତି। ସେହିଭଳି ଶୃଙ୍ଖଳାର ମୋଟ ଦର୍ଶକ ସମୟ ଥିଲା ୭୦୦ କୋଟି ମିନିଟ୍। ଯାହା ଭାରତର ଇଂଲଣ୍ଡ ଗସ୍ତଠାରୁ ୪୫୦ କୋଟି ମିନିଟ୍ ଅଧିକ। ମୋଟ ଉପରେ ଭାରତୀୟ କ୍ରିକେଟ୍‌ର ଡିଜିଟାଲ ଦର୍ଶକ ସଂଖ୍ୟା ମଧ୍ୟ ଧିରେ ଧିରେ ବଢ଼ିବାରେ ଲାଗିଛି। ଗତବର୍ଷ ଭାରତର ଦକ୍ଷିଣ ଆଫ୍ରିକା ଗସ୍ତକୁ ୨.୫ କୋଟି ଦର୍ଶକ ଡିଜିଟାଲ ପ୍ଲାଟଫର୍ମରେ ‌ଦେଖିଥିଲେ। ଇଂଲଣ୍ଡ ଗସ୍ତ ବେଳକୁ ଯାହା ୩ କୋଟି ଛୁଇଁଥିଲା। ଅଷ୍ଟ୍ରେଲିଆରେ ଏହା ୫ କୋଟି ଟପିଛି। ଭାରତର ଗୋଟିଏ ମ୍ୟାଚ୍‌କୁ ସର୍ବାଧିକ ଦର୍ଶକ ଡିଜିଟାଲ ପ୍ଲାଟ୍‌ଫର୍ମରେ ମେଲବର୍ନ ଦିନିକିଆରେ ଦେଖିଥିଲେ। ଏଠାରେ ଖେଳା ଯାଇଥିବା ଭାରତ-ଅଷ୍ଟ୍ରେଲିଆ ତୃତୀୟ ଦିନିକିଆର ଡିଜିଟାଲ ଦର୍ଶକ ସଂଖ୍ୟା ଥିଲେ ୬୬ ଲକ୍ଷ। ଅନ୍ୟ ପକ୍ଷରେ ଭାରତ-ଦକ୍ଷିଣ ଆଫ୍ରିକା ଶୃଙ୍ଖଳାର କୌଣସି ଏକ ନିର୍ଦିଷ୍ଟ ମୁକାବିଲାକୁ ସର୍ବାଧିକ ୧୫ ଲକ୍ଷ ଦର୍ଶକ ଡିଜିଟାଲ ପ୍ଲାଟଫର୍ମରେ ଉପଭୋଗ କରିଥିଲେ। ଇଂଲଣ୍ଡ ଶୃଙ୍ଖଳାରେ ଏହି ସଂଖ୍ୟା ୨୦ ଲକ୍ଷ ଥିଲା। ବିଭିନ୍ନ ସହର କଥାକୁ ବିଚାରକୁ ନେଲେ ମୁମ୍ବାଇର ସର୍ବାଧିକ ଦର୍ଶକ ଡିଜିଟାଲ ପ୍ଲାଟଫର୍ମରେ ଅଷ୍ଟ୍ରେଲିଆ ଶୃଙ୍ଖଳା ଦେଖିଥିଲେ। ଏହା ପରେ ପୁନେ, ଅହମ୍ମଦାବାଦ, ଲକ୍ଷ୍ନୌ ଓ ପାଟନା ରହିଥିଲା। ଡିଜିଟାଲ ଦର୍ଶକ ମଧ୍ୟରେ ୯୦ ପ୍ରତିଶତ ପୁରୁଷ ହୋଇଥିଲା ବେଳେ ମାତ୍ର ୧୦ ପ୍ରତିଶତ ହେଉଛନ୍ତି ମହିଳା। ସେଥିମଧ୍ୟରେ ୧୮ରୁ ୨୪ ବର୍ଷ ବୟସ୍କ ଦର୍ଶକ ଥିଲେ ୪୫ ପ୍ରତିଶତ।

ସମ୍ବନ୍ଧିତ ଖବର