ଲସେଷ୍ଟର: ଆସନ୍ତା ଜୁଲାଇ ୧ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଇଂଲଣ୍ଡ ବିପକ୍ଷ ପରିବର୍ତିତ ସୂଚୀ ଅନୁଯାୟୀ ଗତବର୍ଷ ଶୃଙ୍ଖଳାର ପଞ୍ଚମ ତଥା ଶେଷ ଟେଷ୍ଟ୍‌ ଖେଳିବା ପୂର୍ବରୁ ଭ୍ରମଣକାରୀ ଭାରତୀୟ ଦଳ ପାଇଥିବା ଏକମାତ୍ର ଅଭ୍ୟାସ ମ୍ୟାଚ୍‌ ଖେଳିଛି। ଲିସେଷ୍ଟରସାୟାର ବିପକ୍ଷରେ ଗୁରୁବାରଠୁ ଆରମ୍ଭ ହୋଇଥିବା ଏହି ୪ ଦିନିଆ ଅଭ୍ୟାସ ମ୍ୟାଚ୍‌ର ବର୍ଷା ବାଧାପ୍ରାପ୍ତ ପ୍ରଥମ ଦିବସରେ ୱିକେଟ୍‌ରକ୍ଷକ ଶ୍ରୀକର ଭରତଙ୍କ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଭାରତ ୨୪୬/୮ କରିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ଭାରତ ପକ୍ଷରୁ ଅଧିନାୟକ ରୋହିତ ଶର୍ମା (୨୫), ଶୁବମନ ଗିଲ୍‌ (୨୧), ହନୁମା ବିହାରୀ (୩), ବିରାଟ କୋହଲି (୩୩), ଶ୍ରେୟସ ଆୟର (୦), ରବୀନ୍ଦ୍ର ଜାଦେଜା (୧୩), ଶାର୍ଦୁଲ ଠାକୁର (୬) ଏବଂ ଉମେଶ ଯାଦବ (୨୩) ପାଭିଲିୟନ୍‌ ଫେରିଯାଇଥିଲା ବେଳେ ଭରତ ୭୦ ରନ୍‌ରେ ଅପରାଜିତ ରହିଛନ୍ତି। ତାଙ୍କ ସହ ମହମ୍ମଦ ସାମି (୧୮) ମଧ୍ୟ କ୍ରିଜ୍‌ରେ ରହିଛନ୍ତି। ଲିସେଷ୍ଟର ପକ୍ଷରୁ ସଫଳ ବୋଲର ଭାବେ ରୋମାନ ୱାକର ୫, ୱିଲ୍‌ ଡେଭିସ୍‌ ୨ ଏବଂ ଭାରତୀର ପ୍ରସିଦ୍ଧ କୃଷ୍ଣ ଗୋଟିଏ ୱିକେଟ୍‌ ଦଖଲ କରିଛନ୍ତି।

Advertisment

ଲିସେଷ୍ଟର ପକ୍ଷରୁ ଖେଳିଲେ ପନ୍ତ୍‌, ପୂଜାରା, ବୁମ୍‌ରା ଓ ପ୍ରସିଦ୍ଧ କୃଷ୍ଣ
ଏହି ଅଭ୍ୟାସ ମ୍ୟାଚ୍‌ରେ ପ୍ରତିଦ୍ବନ୍ଦ୍ବୀ ଲିସେଷ୍ଟରସାୟାର ପକ୍ଷରୁ ୪ ଜଣ ଭାରତୀୟ ଖେଳାଳି ଖେଳିଛନ୍ତି। ଟେ‌ଷ୍ଟ୍‌ ମ୍ୟାଚ୍‌ ପୂର୍ବରୁ ଭ୍ରମଣକାରୀ ଦଳର ସମସ୍ତ ଖେଳାଳି ଅଭ୍ୟାସ ସୁଯୋଗ ପାଇବାକୁ ନେଇ ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ), ଇଂଲଣ୍ଡ କ୍ରିକେଟ୍‌ ବୋର୍ଡ (ଇସିବି) ଏବଂ ଲିସେଷ୍ଟର କ୍ରିକେଟ୍‌ ସଂଘ ମଧ୍ୟରେ ସହମତି ପ୍ରକାଶ ପାଇଥିଲା। ଫଳରେ ଋଷଭ ପନ୍ତ୍‌, ଚେତେଶ୍ବର ପୂଜାରା, ଯଶ୍‌ପ୍ରୀତ ବୁମ୍‌ରା ଏବଂ ପ୍ରସିଦ୍ଧ କୃଷ୍ଣ ଲିସେଷ୍ଟର ପକ୍ଷରୁ ନିଜ ଦଳ ବିପକ୍ଷରେ ଖେଳିଛନ୍ତି।