ଢାକା: ଚଳିତ ଦଶମ ଏସିଆ କପ୍ ହକିର ଦ୍ୱିତୀୟ ପର୍ଯ୍ୟାୟ ମୁକାବିଲା ଆଜିଠୁ ଆରମ୍ଭ ହେବ। ଗ୍ରୁପ୍-ଏ’ରୁ ଭାରତ ଓ ପାକିସ୍ତାନ ଏବଂ ଗ୍ରୁପ୍-ବି’ରୁ ମାଲେସିଆ ଓ ଦକ୍ଷିଣ କୋରିଆ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅକ୍ତିଆର କରି ‘ସୁପର୍-୪’ ଭାବେ ପରିଗଣିତ ଏହି ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ରବିବାର ଭାରତ ଓ ପାକିସ୍ତାନ ଏହି ପର୍ଯ୍ୟାୟରେ ସ୍ଥାନ ସୁରକ୍ଷିତ କରିସାରିଥିଲା ବେଳେ ସୋମବାର ଗ୍ରୁପ୍-ବି ଅନ୍ତିମ ଦୁଇଟି ମ୍ୟାଚ୍ରେ ମାଲେସିଆ ୭-୧ ଗୋଲ୍ରେ ଓମାନକୁ ଏବଂ ଦକ୍ଷିଣ କୋରିଆ ୪-୧ରେ ଚୀନ୍କୁ ପରାସ୍ତ କରି ଦ୍ୱିତୀୟ ପର୍ଯ୍ୟାୟରେ ପହଞ୍ଚିଥିଲେ। ଏହି ୪ ଦଳ ଦ୍ୱିତୀୟ ପର୍ଯ୍ୟାୟରେ ପରସ୍ପର ସହ ଥରେ ଲେଖାଏଁ ମ୍ୟାଚ୍ ଖେଳିବେ। ମ୍ୟାଚ୍ ବିଜୟ ଓ ସର୍ବାଧିକ ପଏଣ୍ଟ୍ ଭିତ୍ତିରେ ଏହି ୪ ଦଳ ପ୍ରଥମରୁ ଚତୁର୍ଥ ସ୍ଥାନ ପାଇବେ।
ପ୍ରଥମ ଦୁଇ ଦଳ ମଧ୍ୟରେ ଫାଇନାଲ୍ ମୁକାବିଲା ୨୨ ତାରିଖରେ ହେବାକୁ ଥିଲା ବେଳେ ଶେଷ ଦୁଇ ଦଳ ତୃତୀୟ ସ୍ଥାନ ପାଇଁ ସେହି ଦିନ ଲଢ଼ିବେ। ଅନ୍ୟପକ୍ଷରେ ଏହି ପ୍ରତିଯୋଗିତାର ୮ ଦଳ ମଧ୍ୟରୁ ଅବଶିଷ୍ଟ ୪ ଦଳ (ଜାପାନ, ଚୀନ୍, ଓମାନ୍ ଓ ଆୟୋଜକ ବାଂଲାଦେଶ) ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବାରୁ ବଞ୍ଚିତ ହୋଇଥିବାରୁ ପଞ୍ଚମରୁ ଅଷ୍ଟମ ସ୍ଥାନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ।
ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ଦିବସରେ ଦୁଇଟି ମ୍ୟାଚ୍ ଖେଳାଯିବ। ପ୍ରଥମ ମ୍ୟାଚ୍ରେ ଗ୍ରୁପ୍-ବି ବିଜେତା ମାଲେସିଆର ମୁକାବିଲା ଗ୍ରୁପ୍-ଏ ଦ୍ୱିତୀୟ ପାକିସ୍ତାନ ସହ ହେବାକୁ ଥିଲା ବେଳେ ଦ୍ୱିତୀୟ ମ୍ୟାଚ୍ରେ ଗ୍ରୁପ୍-ଏ ବିଜେତା ଭାରତ ଓ ଗ୍ରୁପ୍-ବି ଦ୍ୱିତୀୟ ଦକ୍ଷିଣ କୋରିଆ ମୁହାଁମୁହିଁ ହେବେ। ବିଶ୍ୱ ମାନ୍ୟତା ଦୃଷ୍ଟିକୋଣରୁ ଦକ୍ଷିଣ କୋରିଆ ବିପକ୍ଷରେ ଭାରତ ବିଜୟ ଆଶା ଅଧିକ। ଭାରତ ଏବେ ବିଶ୍ୱ ମାନ୍ୟତାର ଷଷ୍ଠ ସ୍ଥାନରେ ଥିଲା ବେଳେ କୋରିଆ ଦଳ ତ୍ରୟୋଦଶରେ ରହିଛି। ପୁଣି ଗ୍ରୁପ୍ ପର୍ଯ୍ୟାୟରେ ଭାରତ ଅପରାଜେୟ ରହିଥିଲା ବେଳେ କୋରିଆ ଗୋଟିଏ ମ୍ୟାଚ୍ ହାରିଛି। ଫାଇନାଲ୍ ଖେଳିବାକୁ ହେଲେ ଭାରତକୁ ଏହି ପର୍ଯ୍ୟାୟରେ ୩ରୁ ୨ ମ୍ୟାଚ୍ ଜିତିବା ଆବଶ୍ୟକ। ସେହି ଦୃଷ୍ଟିରୁ ଦକ୍ଷିଣ କୋରିଆକୁ ହରାଇ ଏହି ଲକ୍ଷ୍ୟରେ ଆଗକୁ ବଢ଼ିବାର ଲକ୍ଷ୍ୟ ରଖିଛି ଭାରତ। ଭାରତ ସାଙ୍ଗକୁ ମାଲେସିଆ ମଧ୍ୟ ଗ୍ରୁପ୍ ପର୍ଯ୍ୟାୟରେ ୩ ମ୍ୟାଚ୍ରୁ ୩ ବିଜୟ ସହ ପ୍ରଥମ ସ୍ଥାନ ପାଇଥିଲା ବେଳେ ପାକିସ୍ତାନ ଓ ଦକ୍ଷିଣ କୋରିଆ ଦ୍ୱିତୀୟରେ ରହିଥିଲେ।
ଗ୍ରୁପ୍ ପର୍ଯ୍ୟାୟରେ ଭାରତ ୫-୧ ଗୋଲ୍ରେ ଜାପାନକୁ, ୭-୦ରେ ବାଂଲାଦେଶକୁ ଏବଂ ୩-୧ରେ ପାକିସ୍ତାନକୁ ପରାସ୍ତ କରିଥିଲା ବେଳେ ମାଲେସିଆ ୭-୧ରେ ଚୀନ୍କୁ, ୨-୧ରେ ଦକ୍ଷିଣ କୋରିଆକୁ ଓ ୭-୧ରେ ଓମାନ୍କୁ ପରାସ୍ତ କରି ସର୍ବାଧିକ ୯ ପଏଣ୍ଟ୍ ଲେଖାଏଁ ସହ ଶୀର୍ଷରେ ରହିଥିଲେ। ଏହି ପର୍ଯ୍ୟାୟରେ ଭାରତ ମୋଟ ୧୫ ଗୋଲ୍ କରିଥିଲା ବେଳେ ୨ ଗୋଲ୍ ଖାଇଥିଲା। ସେହିପରି ମାଲେସିଆ ୧୬ ଗୋଲ୍ ଦେଇଥିଲା ବେଳେ ୩ ଗୋଲ୍ ବରଣ କରିଥିଲା।
ଅନ୍ୟପକ୍ଷରେ ଦକ୍ଷିଣ କୋରିଆ ୭-୨ରେ ଓମାନ୍କୁ ଓ ୪-୧ରେ ଚୀନ୍କୁ ହରାଇଥିଲା ବେଳେ ମାଲେସିଆ ନିକଟରୁ ୧-୨ରେ ହାର୍ ମାନିଥିଲା। ଏହି ଦଳର ପଏଣ୍ଟ୍ ସଂଖ୍ୟା ୬ ଥିଲା। ଦଳ ୧୨ ଗୋଲ୍ କରିଥିଲା ବେଳେ ୫ ଗୋଲ୍ ଖାଇଥିଲ। ପାକିସ୍ତାନ ୭-୦ରେ ବାଂଲାଦେଶକୁ ହରାଇଥିଲା ବେଳେ ଜାପାନ ସହ ୨-୨ରେ ଅମୀମାଂସିତ ରଖିଥିଲା। ହେଲେ ଭାରତ ନିକଟରୁ ୧-୩ରେ ହାରି ୪ ପଏଣ୍ଟ୍ ପାଇଥିଲା। ପାକିସ୍ତାନ ମୋଟ ୧୦ ଗୋଲ୍ କରିଥିଲା ବେଳେ ୫ ଗୋଲ୍ ବରଣ କରିଥିଲା।