ଭୁବନେଶ୍ବର: ଦେଶର ସର୍ବକାଳୀନ ଶ୍ରେଷ୍ଠ କ୍ରୀଡ଼ାବିତ୍ ତଥା ହକି କିଂବଦନ୍ତି ବ୍ୟକ୍ତିତ୍ବ ମେଜର ଧ୍ୟାନଚାନ୍ଦଙ୍କୁ ‘ଭାରତରତ୍ନ’ ପ୍ରଦାନ ଦାବି ପୁଣି ଜୋର୍ ନେଇଛି। ଏଥର ହକି ଅଲିମ୍ପିଆନ୍ ତଥା ପଦ୍ମଶ୍ରୀ ଦିଲୀପ ତିର୍କିଙ୍କ ନେତୃତ୍ବରେ ଓଡ଼ିଶାରୁ ଏହି ଅଭିଯାନ ପୁନଃଆରମ୍ଭ ହୋଇଛି। ୨୦୧୬ରେ ଦିଲୀପଙ୍କ ତତ୍ତ୍ବାବଧାନରେ ନୂଆଦିଲ୍ଲୀର ଜନ୍ତର ମନ୍ତରରେ ଏଭଳି ଅଭିଯାନର ଶୁଭାରମ୍ଭ ପଡ଼ିଥିବା ବେଳେ ଦେଶର ବହୁ ହକି ଅଲିମ୍ପିଆନଙ୍କୁ ଏକାଠି ହୋଇଥିବା ଦେଖିବାକୁ ମିଳିଥିଲା। ଗୁରୁବାର ଧ୍ୟାନଚାନ୍ଦଙ୍କ ୪୧ତମ ଶ୍ରାଦ୍ଧବିବସ ଅବସରରେ ଭୁବନେଶ୍ବର କ୍ଲବ୍ ପରିସରରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ବକ୍ତାମାନେ ପୁଣି ସେହି ଉପେକ୍ଷିତ ଦାବିକୁ ଦୋହରାଇଥିଲେ। ‘ଭାରତର ରତ୍ନଙ୍କୁ ଭାରତରତ୍ନ ନମିଳିବା ଦୁର୍ଭାଗ୍ୟଜନକ କଥା। ବିଶ୍ବ ଦରବାରରେ ଭାରତକୁ ପରିଚିତ କରିବା ଏବଂ କ୍ରୀଡ଼ା ମାନଚିତ୍ରରେ ଭାରତକୁ ସ୍ବତନ୍ତ୍ର ସ୍ଥାନ ଦେବାର ପ୍ରମୁଖ ବ୍ୟକ୍ତି ମେଜର ଧ୍ୟାନଚାନ୍ଦଙ୍କ ପ୍ରତି ଏଭଳି ଅନ୍ୟାୟ ଏବେ ବି ଅବୁଝା ରହୁଛି। ଏଭଳି ଅନ୍ୟାୟ ଉଚିତ୍ ନୁହେଁ। କ୍ରୀଡ଼ା ଦୁନିଆଠାରୁ ଆରମ୍ଭ କରି ଅନ୍ୟ କ୍ଷେତ୍ରର ପ୍ରମୁଖ ବ୍ୟକ୍ତି ଓ ଦେଶର ସାଧାରଣ ଜନତା ମଧ୍ୟ ମେଜର ଧ୍ୟାନଚାନ୍ଦଙ୍କୁ ଏପର୍ଯ୍ୟନ୍ତ ଭାରତରତ୍ନ ମିଳିନଥିବାରୁ ଆଶ୍ଚର୍ଯ୍ୟ ପ୍ରକଟ କରୁଛନ୍ତି’ ବୋଲି ଦିଲୀପ ତିର୍କି ପ୍ରକାଶ କରିଛନ୍ତି। ସରକାର ବିନମ୍ରତାର ସହ ଏହି ସର୍ବସମ୍ମତ ଦାବି ପ୍ରତି ଆଉ ଅଣଦେଖା ନ କରିବାକୁ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲୀପ ଅନୁରୋଧ କରିଛନ୍ତି। ସରକାର ଏହି ଦାବିକୁ ନ ମାନିବା ପର୍ଯ୍ୟନ୍ତ ଅଭିଯାନକୁ ଜାରି ରଖାଯିବ ଏବଂ ବ୍ୟାପକ କରାଯିବ ବୋଲି ପଦ୍ମଶ୍ରୀ ଡକ୍ଟର ତିର୍କି ପ୍ରକାଶ କରିଥିଲେ।
ଗୁରୁବାରର ଶ୍ରଦ୍ଧାଞ୍ଜଳି ସଭାରେ ଅନ୍ୟତମ ପଦ୍ମଶ୍ରୀ ତଥା ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ସାମିଲ ହୋଇଥିଲେ। ପ୍ରତିବର୍ଷ ବାଲୁକାକଳାରେ ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଥିବା ଶ୍ରୀ ପଟ୍ଟନାୟକ ମଧ୍ୟ ଭାରତରତ୍ନ ଦାବିକୁ ଦୃଢ଼ ସମର୍ଥନ କରିଥିଲେ। ହକି ଷ୍ଟିକ୍ରେ ଦସ୍ତଖତ ଅଭିଯାନ ଅବସରରେ ପୂର୍ବତନ କ୍ରୀଡ଼ା ପ୍ରଶାସକ ଅଶୋକ ମହାନ୍ତି ଧ୍ୟାନଚାନ୍ଦଙ୍କ ସହ ବ୍ୟକ୍ତିଗତ ସମ୍ପର୍କ ବିଷୟରେ ଅବଲୋକନ କରିଥିଲେ। ପ୍ରିଲ୍ୟୁଡ୍ ମୁଖ୍ୟ ସତ୍ୟବ୍ରତ ରଥୋ (ସାନୁ) ମଧ୍ୟ ସାମାଜିକ ଗଣମାଧ୍ୟମରେ ଏହି ଅଭିଯାନକୁ ବ୍ୟାପକ କରାଯିବ ବୋଲି ଘୋଷଣା କରିଥିଲେ। ଖଣି ଓ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମଧ୍ୟ ଅଭିଯାନରେ ସାମିଲ ହୋଇ ରାଜ୍ୟ ସରକାରଙ୍କୁ ସମର୍ଥନ ପ୍ରଦାନ କରିଥିଲେ। ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍ଜା)ର ସମ୍ପାଦକ ସମ୍ବିତ ମହାପାତ୍ର ଏବଂ ଯୁଗ୍ମ ସମ୍ପାଦକ ତପନ ସ୍ବାଇଁ ମଧ୍ୟ ଏହି ଅଭିଯାନରେ ସାମିଲ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/gj4dgj4dgj7dg98j798dgjdgjgjd.jpg)