ଭାରତଶ୍ରୀ ପାଇଁ ୧୩ ଜଣିଆ ଓଡ଼ିଶା ଦଳ

ବ୍ରହ୍ମପୁର: ପୁନେରେ ଆସନ୍ତା ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ଚଳିତ ବର୍ଷର ବରିଷ୍ଠ ବର୍ଗର ଏକାଦଶ ଭାରତଶ୍ରୀ (ମିଷ୍ଟର ଇଣ୍ଡିଆ) ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ଅଂଶଗ୍ରହଣ ପାଇଁ ୧୩ ଜଣିଆ ଓଡ଼ିଶା ଦଳ ବୁଧବାର ପୁନେ ଅଭିମୁଖେ ଯାତ୍ରା କରିଛି। ପୁରୀର ଜାତୀୟ ସ୍ୱର୍ଣ୍ଣ ପଦକ ବିଜେତା ଅନିଲ ଗୋଛିକାର (୭୫ କେଜି), ବିଜୟ କୁମାର ମନ୍ତ୍ରୀ (୬୦ କେଜି), ସତ୍ୟଜିତ୍‌ ପ୍ରତିହାରୀ (୧୦୦+ କେଜି) ଗଂଜାମର ବଲାଲ୍‌ ଖାନ୍‌ (୭୦ କେଜି), ବ୍ରଜବନ୍ଧୁ ସୁଆର (୬୫ କେଜି), ଝାରସୁଗୁଡ଼ାର ରାଜେଶ କୁମାର ତେମୁରକର୍‌, ଭୁବନେଶ୍ୱରର ରଶ୍ମିରଂଜନ ସାହୁ, ସୁପ୍ରତିଭ ଖୁଣ୍ଟିଆ (ପ୍ରତ୍ୟେକ ୮୫ କେଜି), ଚୁଟ୍‌କୁ ଦତ୍ତ (୯୦ କେଜି) ବର୍ଗରେ ଅଂଶଗ୍ରହଣ କରିବେ। ଅନ୍ୟ ୪ ଜଣ ଫିଟ୍‌ନେସ୍‌ ଆଥ୍‌ଲେଟ୍‌ ଅଛନ୍ତି। ପ୍ରଶିକ୍ଷକ ଭାବେ ଅନ୍ତର୍ଜାତୀୟ ଖେଳାଳି ଏସ୍‌ ରାଜେଶ ବାବୁ ଆଚାରୀ, ପ୍ରବନ୍ଧକ ଭାବେ ଜାତୀୟ ବିଚାରକ ଉମାଚରଣ ଶତପଥୀ ଦଳ ସହ ଗସ୍ତ କରିଛନ୍ତି। ଏହି ପ୍ରତିଯୋଗିତାରେ ଓଡ଼ିଶା ଏକାଧିକ ପଦକ ହାସଲ କରିବ ବୋଲି ଅନ୍ତର୍ଜାତୀୟ ବିଚାରକ ବି.ଭେଣୁଗୋପାଳ ରାଓ ଆଶାବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର