ଟୋକିଓ ପାରାଲିମ୍ପିକ୍ସରେ ଭାରତକୁ ପ୍ରଥମ ପଦକ ଭେଟି ଦେଇଥିବା ମହିଳା ଟିଟି ତାରକା ଭାବିନାଙ୍କ ଗାଁ ଉତ୍ସବ ମୁଖର

ମେହସାନା (ଗୁଜରାଟ) : ଚଳିତ ଟୋକିଓ ପାରାଲିମ୍ପିକ୍ସରେ ଭାରତକୁ ପ୍ରଥମ ପଦକ ଭେଟି ଦେଇଥିବା ମହିଳା ଟିଟି ତାରକା ଭାବିନା ପଟେଲଙ୍କ ଗାଁ ଏବେ ଉତ୍ସବ ମୁଖର। ଗୁଜରାଟର ମେହସାନା ଜିଲ୍ଲାର ସୁନ୍ଧିଆ ଗାଁରେ ଜନ୍ମିତ ଭାବିନା ରବିବାର ମହିଳା ଏକକ ଟେବୁଲ ଟେନିସ (ଟିଟି) କ୍ଲାସ୍‌ ୪ରେ ରୌପ୍ୟ ପଦକ ଜିତି ଦେଶକୁ ଗୌରବାନ୍ବିତ କରିଛନ୍ତି। ସେ ଫାଇନାଲ୍‌ରେ ଚୀନ୍‌ର ୟିଙ୍ଗ୍‌ ଝୋଉଙ୍କଠୁ ୦-୩ରେ ହାରି ରୌପ୍ୟରେ ସନ୍ତୁଷ୍ଟ ରହିଥିଲେ ମଧ୍ୟ ପାରାଲିମ୍ପିକ୍ସରେ ପଦକ ଜିତିବା‌ରେ ଦୀପା ମଲିକଙ୍କ ପରେ ଦ୍ବିତୀୟ ଭାରତୀୟ ମହିଳା ହୋଇଥିଲେ। ଏହି ପଦକ ଜିତିବା‌ ପରେ ତାଙ୍କ ପରିବାର ସଦସ୍ୟ ଓ ସାଙ୍ଗସାଥୀମାନେ ଗୁଜରାଟର ପାରମ୍ପରିକ ନୃତ୍ୟ ‘ଗାର୍ବା’ରେ ଝୁମିବା ସହ ସୁନ୍ଧିଆ ଗାଁ ଆତସବାଜିରେ ଚକମିଥିଲା।

‘‘ସେ ଦିବ୍ୟାଙ୍ଗ ହୋଇପାରେ, କିନ୍ତୁ ଆମ ପାଇଁ ‌‌ଦିବ୍ୟ। ଦେଶ ପାଇଁ ରୌପ୍ୟ ପଦକ ଜିତିଥିବାରୁ ମୁଁ ବହୁତ ଖୁସି’’ ବୋଲି ତାଙ୍କ ବାପା ହସମୁଖ ପ‌ଟେଲ କହିଛନ୍ତି। ହସମୁଖଙ୍କ ଗାଁରେ ଗୋଟିଏ ଛୋଟ ତେଜରାତି ଦୋକାନ ରହିଛି। ଏହି ଦୋକାନରୁ ରୋଜଗାରରେ ସେ ତାଙ୍କ ପରିବାର ଚଳାଇଥା’ନ୍ତି। ଭାବିନାଙ୍କ ଫାଇନାଲ୍‌ ମ୍ୟାଚ୍‌ ଦେଖିବାକୁ ଗାଁ ଲୋକମାନେ ଟିଭି ନିକଟରେ ଚାତକ ପରି ଚାହିଁ ବସିଥିଲେ। ପଦକ ଜିତିବା ପରେ ‘ଗର୍ବା’ ନାଚ ସହ ଭାବିନାଙ୍କୁ ସ୍ବାଗତ କରିବାର ସବୁ ପ୍ରସ୍ତୁତ ‌ହୋଇ ରହିଥିଲା। ସେ ରୌପ୍ୟ ଜିତୁ ଜିତୁ ଗାଁରେ ଉତ୍ସବ ଆରମ୍ଭ ହୋଇଯାଇଥିଲା। ‘‘ସେ କେବଳ ଆମ ଗାଁର ଅଳଙ୍କାର ନୁହେଁ ସାରା ଭାରତର’’ ବୋଲି ତାଙ୍କ ଗାଁରେ ଜଣେ ବ୍ୟକ୍ତି କହିଛନ୍ତି। ସୂଚନାଯୋଗ୍ୟ ଯେ ଭାବିନା ଯେତେବେଳେ ୧୨ ମାସର ହୋଇଥିଲେ ପୋଲିଓରେ ପୀଡ଼ିତ ହୋଇଥିଲେ।

ସମ୍ବନ୍ଧିତ ଖବର