ରାଜ୍ୟ ଜୁଡ଼ୋ ପ୍ରତିଯୋଗିତାରେ ଭୁବନେଶ୍ବର ଓ କିଟ୍-କିସ୍ ବିଜେତା
ଉର୍ମିଳା ସାହୁ, ଛବିଲାଲ୍ ମାଝୀ, ସାଗର ଜେନା ଶ୍ରେଷ୍ଠ ଜୁଡ଼ୋକା
ଭୁବନେଶ୍ବର: ବଲାଙ୍ଗୀର ଜିଲ୍ଳା ଜୁଡ଼ୋ ସଂଘ (ବିଡ଼ିଜେଏ) ଏବଂ ଓଡ଼ିଶା ରାଜ୍ୟ ଜୁଡ଼ୋ ସଂଘ (ଓସ୍ଜା) ଆନୁକୂଲ୍ୟରେ ଟିଟିଲାଗଡ଼ର ମହାବୀର ପଞ୍ଚାୟତି ଧର୍ମଶାଳାଠାରେ ରାଜ୍ୟ ଜୁଡ଼ୋ ପ୍ରତିଯୋଗିତା (କ୍ୟାଡେଟ୍, କନିଷ୍ଠ, ବରିଷ୍ଠ) ଅକ୍ଟୋବର ୨୯ରୁ ୩୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି। ୨୨ଟି ଜିଲ୍ଲା, ଅନୁଷ୍ଠାନ ଓ ପୁଲିସ୍ରୁ ପ୍ରାୟ ୩୭୦ ଜଣ ଏହି ୩ ଦିନିଆ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ବେଳେ ବରିଷ୍ଠ ବର୍ଗରେ ଭୁବନେଶ୍ବର ଜୁଡ଼ୋ ସଂଘ ବିଜେତା ଏବଂ ସମ୍ବଲପୁର ଉପବିଜେତା ହୋଇଛନ୍ତି। କ୍ୟାଡେଟ୍ ଓ କନିଷ୍ଠ ବର୍ଗରେ କିଟ୍-କିସ୍ ଦଳଗତ ବିଜେତା ହୋଇଥିବା ବେଳେ ଭୁବନେଶ୍ବର ଉପବିଜେତା ହୋଇଥିଲା। ମହିଳା ବିଭାଗରେ ଭୁବନେଶ୍ବରର ଉର୍ମିଳା ସାହୁ ଶ୍ରେଷ୍ଠ ଜୁଡ଼ୋକା ଏବଂ ପୁରୁଷ ବିଭାଗରେ କିସ୍ର ଛବିଲାଲ ମାଝୀ ଓ ଭୁବନେଶ୍ବରର ସାଗର ଜେନା ମିଳିତ ଭାବେ ଯୁଗ୍ମ ଶ୍ରେଷ୍ଠ ଜୁଡ଼ୋକା ବିବେଚିତ ହୋଇଥିଲେ। କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ କିଟ୍ ପରିସରରେ ଅନୁଷ୍ଠିତ ପ୍ର୍ରଶିକ୍ଷଣ ଶିବିରରେ ଭାଗ ନେଇଥିବା ୧୬ ଜଣ ମିଳିତ ଭାବେ ୧୧ ସ୍ବର୍ଣ୍ଣ, ୪ ରୌପ୍ୟ ୨ କାଂସ୍ୟ ପଦକ ଜିତି ଉଲ୍ଲେଖନୀୟ ସଫଳତା ପାଇଥିଲେ। ଜାତୀୟ କ୍ୟାଡେଟ୍ ଓ କନିଷ୍ଠ ପ୍ରତିଯୋଗିତା ଲାଗି ୧୯ ଜଣିଆ ଓଡ଼ିଶା ଦଳ ମନୋନୀତ ହୋଇଛି।
ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଓସ୍ଜା ମୁଖ୍ୟ କାର୍ଯ୍ୟନିର୍ବାହୀ ଗୀତାଞ୍ଜଳି ପଣ୍ଡା, ବୈଷୟିକ ସମ୍ପାଦକ କନ୍ଦନ ମୁର୍ମୁଙ୍କ ସହିତ ବସନ୍ତ ଦଳାଇ, ବିଶ୍ବଜିତ ମହାରୀ, ପୁରୁରବା ମହାପାତ୍ର, ଲୋପାମୁଦ୍ରା ପାଲଟାସିଂହ, ତାରାକାନ୍ତ ପରିଡ଼ା, ସୁଶ୍ରୀ ଶ୍ୟାମା ମହାନ୍ତି, ରାଜେଶ କୁମାର ସାହୁ, ଲକ୍ଷ୍ମୀ ସୋଢ଼ି ପ୍ରମୁଖ ପରିଚାଳନା କରିଥିଲେ। ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ଓସିଏସ୍ ଜୁଡ଼ୋ ପ୍ରଶିକ୍ଷିକା ସବିତା ନନ୍ଦ ପର୍ଯ୍ୟବେକ୍ଷକ ଭାବେ ପ୍ରତିଯୋଗିତା ତଦାରଖ କରିଥିଲେ।