ଭୁବନେଶ୍ବର: ଓଡ଼ିଶା ରାଜ୍ୟ ଓ ଭୁବନେଶ୍ବର ସ୍କୁଲ୍ କ୍ରୀଡ଼ା ସଂଘ ଆନୁକୂଲ୍ୟରେ ସ୍ଥାନୀୟ କିଟ୍ ଓ କିସ୍ କ୍ୟାମ୍ପସ୍ସ୍ଥିତ ଦୂତି ଚାନ୍ଦ ଦୌଡ଼କୁଦ ଷ୍ଟାଡିୟମଠାରେ ଆୟୋଜିତ ଦୁଇ ଦିନିଆ ରାଜ୍ୟସ୍ତରୀୟ ସ୍କୁଲ୍ କ୍ରୀଡ଼ା ପ୍ରତିଯୋଗିତା ଗୁରୁବାର ଉଦ୍ଯାପିତ ହୋଇଯାଇଛି। ୧୪ ଓ ୧୭ ବର୍ଷରୁ କମ୍ ଉଭୟ ବାଳକ ଓ ବାଳିକା ବର୍ଗରେ ବ୍ୟାଡ୍ମିଣ୍ଟନ, ରଗ୍ବି ଫୁଟ୍ବଲ୍ ଓ ଟେବୁଲ ଟେନିସ (ଟିଟି) ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ୧୨ ବର୍ଗରୁ ୭ଟିରେ ଭୁବନେଶ୍ବର ବିଜେତା ହୋଇଥିଲା ବେଳେ ୪ଟିରେ ଉପବିଜେତା ହୋଇଥିଲା। ଭୁବନେଶ୍ବର ବାଳିକା (୧୭ ବର୍ଷରୁ କମ୍) ଦଳ ବ୍ୟାଡ୍ମିଣ୍ଟନ, ରଗ୍ବି ଓ ଟିଟିରେ ବିଜେତା ହୋଇଥିଲା ବେଳେ ୧୪ ବର୍ଷରୁ କମ୍ ଦଳ ବ୍ୟାଡ୍ମିଣ୍ଟନ ଓ ରଗ୍ବିରେ ବିଜେତା ଏବଂ ଟିଟିରେ ଉପବିଜେତା ରହିଥିଲା।
ଭୁବନେଶ୍ବର ବାଳକ ଦଳ (୧୭ ବର୍ଷରୁ କମ୍) ରଗ୍ବିରେ ବିଜେତା ଏବଂ ବ୍ୟାଡ୍ମିଣ୍ଟନ ଓ ଟିଟି ଉପବିଜେତା ହୋଇଥିଲା। ୧୪ ବର୍ଷରୁ କମ୍ ବାଳକ ଦଳ ରଗ୍ବିରେ ବିଜେତା, ଟିଟିରେ ଉପବିଜେତା ହୋଇଥିଲା। ବ୍ୟାଡ୍ମିଣ୍ଟନ ୧୭ ବର୍ଷରୁ କମ୍ ବାଳକରେ ସମ୍ବଲପୁର ବିଜେତା ହୋଇଥିଲା ବେଳେ, ୧୪ ବର୍ଷରୁ କମ୍ରେ ଢେଙ୍କାନାଳ ବିଜେତା ଓ କୋରାପୁଟ ଉପବିଜେତା ହୋଇଥିଲା। ବ୍ୟାଡ୍ମିଣ୍ଟନ ୧୭ ବର୍ଷରୁ କମ୍ ବାଳିକାରେ କଟକ ଏବଂ ୧୪ ବର୍ଷରୁ କମ୍ରେ ଗଞ୍ଜାମ ଉପବିଜେତା ରହିଥିଲେ। ରଗ୍ବି ୧୭ ବର୍ଷ ଓ ୧୪ ବର୍ଷରୁ କମ୍ ବାଳକ ଓ ବାଳିକାରେ ମୟୂରଭଞ୍ଜ ଉପବିଜେତା ହୋଇଥିଲା। ଟିଟି ୧୭ ବର୍ଷରୁ କମ୍ ବାଳକରେ କଟକ ବିଜେତା ଓ ବାଳିକାରେ ଉପବିଜେତା ହୋଇଥିଲା। ୧୪ ବର୍ଷରୁ କମ୍ରେ କଟକର ଉଭୟ ବାଳକ ଓ ବାଳିକା ଦଳ ବିଜେତା ହୋଇଥିଲା।
ଉଦ୍ଯାପନୀ ଉତ୍ସବରେ ଅତିଥି ଭାବେ ଉଚ୍ଚମାଧ୍ୟମିକ ଶିକ୍ଷା ଯୁଗ୍ମ ନିର୍ଦେଶକ ସପନ କୁମାର ଜେନା, ଫିଜିକାଲ୍ ଏଜୁକେସନ ସହଯୋଗୀ ନିର୍ଦେଶକ କୈଳାଶ ଚନ୍ଦ୍ର ପ୍ରଧାନ, କିଟ୍ ଓ କିସ୍ ବିଶ୍ବବିଦ୍ୟାଳୟ କ୍ରୀଡ଼ା ମହାନିର୍ଦେଶକ ଗଗନେନ୍ଦୁ ଦାଶ, ଖୋର୍ଦ୍ଧା ଏଡିଇଓ ସ୍ନିଗ୍ଧା ମିଶ୍ର ଓ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ବନାଥ ତରାଇ ଯୋଗଦେଇ ପୁରସ୍କାର ବଣ୍ଟନ କରିଥିଲେ।