ଭୁବନେଶ୍ବର ଫୁଟ୍‌ବଲ୍ ବିଶ୍ବକପ୍‌ ଫେବ୍ରୁଆରି-ମାର୍ଚକୁ ଘୁଞ୍ଚିଲା

କ୍ରୀଡ଼ାମନ୍ତ୍ରୀଙ୍କ ସ୍ବାଗତ

ନୂଆଦିଲ୍ଲୀ/ଭୁବନେଶ୍ବର: ଚଳିତ ବର୍ଷ ନଭେମ୍ବର ମାସରେ ଭାରତରେ ଆୟୋଜିତ ହେବାକୁ ଥିବା ୧୭ ବର୍ଷରୁ କମ୍‌ ଫିଫା ମହିଳା ବିଶ୍ବକପ୍‌କୁ କୋଭିଡ-୧୯ ମହାମାରୀ କାରଣରୁ ଆସନ୍ତା ବର୍ଷ ଫେବ୍ରୁଆରି-ମାର୍ଚ ମାସକୁ ଘୁଞ୍ଚାଇ ଦିଆଯାଇଛି। ମହାମାରୀ ପରିସ୍ଥିତିର ଠିକଣା ଆକଳନ ପରେ ଏହାକୁ ୨୦୨୧ ଫେବ୍ରୁଆରି ୧୭ରୁ ମାର୍ଚ ୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ କରାଯିବ ବୋଲି ମଙ୍ଗଳବାର ଆଞ୍ଚଳିକ ଆୟୋଜନ ସମିତି (ଏଲ୍‌ଓସି) ଘୋଷଣା କରିଛି। ପ୍ରତିଯୋଗିତା ପାଇଁ ଖେଳାଳିଙ୍କ ବୟସ ଲାଗି ପୂର୍ବରୁ ଧାର୍ଯ୍ୟ ଥିବା ତାରିଖ (୨୦୦୩ ଜାନୁଆରି ୧ ପରେ ଏବଂ ୨୦୦୫ ଡିସେମ୍ବର ୩୧ ପୂର୍ବରୁ ଜନ୍ମଗ୍ରହଣ କରିଥିବେ)ରେ କୌଣସି ପରିବର୍ତନ କରାଯିବ ନାହିଁ ବୋଲି ଫିଫା ସ୍ପଷ୍ଟ କରିଛି। ପୂର୍ବରୁ ଏହି ପ୍ରତିଯୋଗିତା ନଭେମ୍ବର ୨ରୁ ୨୧ ତାରିଖ ମଧ୍ୟରେ ଓଡ଼ିଶାର ଭୁବନେଶ୍ବର ସମେତ କୋଲକାତା, ଅହମ୍ମଦାବାଦ, ନଭି ମୁମ୍ବାଇ ଏବଂ ଗୁଆହାଟୀରେ ଖେଳାଯିବାକୁ ଧାର୍ଯ୍ୟ ରହିଛି। ମୋଟ ୧୬ ଦେଶ ଏଥିରେ ଭାଗନ‌େବେ। ଭାରତ ଆୟୋଜକ ଦେଶ ଭାବେ ଏହି ପ୍ରତିଯୋଗିତାରେ ପଦାର୍ପଣ କରିବାକୁ ଯାଉଥିବା ବେଳେ ଅନ୍ୟ ମହାଦେଶୀୟ ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତାଗୁଡିକ ପରିବର୍ତିତ ପରିସ୍ଥିତିକୁ ନଜରରେ ରଖି ଠିକଣା ଭାବେ ଅୟୋଜନ କରିବାକୁ ପରାମର୍ଶ ଦିଆଯାଇଛି।

ଫିଫା ୧୭ ବର୍ଷରୁ କମ୍‌ ମହିଳା ବିଶ୍ବକପ୍‌ର ପୁନଃ ଖେଳସୂଚୀ ଘୋଷଣା ପରେ ପରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ ଏହାକୁ ସ୍ବାଗତ କରିଛନ୍ତି ଏବଂ ପୂର୍ଣ୍ଣମାତ୍ରାରେ ସମର୍ଥନ ଯୋଗାଇଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ‘ପ୍ରତିଯୋଗିତାର ସଫଳତା ଲାଗି ମୁଁ ସମ୍ପୂର୍ଣ୍ଣ ସହ‌ଯୋଗ ଓ ସମର୍ଥନର ପ୍ରତିଶ୍ରୁତି ଦେଉଛି’ ବୋଲି ରିଜିଜୁ ନିଜ ଟ୍ବିଟ୍ ବାର୍ତାରେ ପ୍ରକାଶ କରିଛନ୍ତି। ସବର୍ଭାରତୀୟ ଫୁଟ୍‌ବଲ୍‌ ମହାସଂଘ (ଏଆଇଏଫଏଫ) ସଭାପତି ପ୍ରଫୁଲ ପଟେଲଙ୍କ ନେତୃତ୍ବରେ ଭାରତ ୨୦୧୭ ମସିହାରେ ୧୭ ବର୍ଷରୁ କମ୍‌‌ ଯୁବ ବିଶ୍ବକପ୍‌କୁ ସଫଳତାର ସହ ଆୟୋଜନ କରିଥିଲା। ଏବେ ମହିଳାଙ୍କ ସେହି ବୟସ ବର୍ଗ ବିଶ୍ବକପ୍‌ର ପୁନଃସୂଚୀକୁ ଶ୍ରୀ ପଟେଲ୍‌ ମଧ୍ୟ ସ୍ବାଗତ କରିଛନ୍ତି। ‘ଘୋଷଣାକୁ ନେଇ ମୁଁ ଖୁସି, ପ୍ରତିଯୋଗିତାର ସମସ୍ତ ଅଂଶୀଦାରଙ୍କ ସମର୍ଥନ ରହିବ ବୋଲି ଆଶା କରୁଛି ଏବଂ ଏଆଇଏଫଏଫ୍‌ ଓ ଏଲଓସି ଏହି ଐତିହାସିକ ପ୍ରତିଯୋଗିତାର ସଫଳତା ପାଇଁ ପ୍ରତିଜ୍ଞାବଦ୍ଧ ବୋଲି ପଟେଲ୍ ପ୍ରକାଶ କରିଛନ୍ତି। ପ୍ରତିଯୋଗିତା ସ୍ଥଗିତ ରହିବା ପୂର୍ବରୁ କେବଳ ଏସିଆ ମହାଦେଶର ଯୋଗ୍ୟତା ପର୍ଯ୍ୟାୟ ଶେଷ ହୋଇଥିଲା। ଜାପାନ ଓ ‌ଉତ୍ତର କୋରିଆ ଯୋଗ୍ୟତା ହାସଲ କରିଥିଲେ। ଏବେ ଆଫ୍ରିକା, ୟୁରୋପ, ଓସେନିଆ, ଦକ୍ଷିଣ ଆମେରିକା, କେନ୍ଦ୍ରୀୟ ଓ ଉତ୍ତର ଆମେରିକା ଏବଂ କାରବୀୟ ଯୋଗ୍ୟତା ପର୍ଯ୍ୟାୟ ସମ୍ଭବ ହୋଇପାରିନି।

କ୍ରୀଡ଼ାମନ୍ତ୍ରୀଙ୍କ ସ୍ବାଗତ
୧୭ ବର୍ଷରୁ କମ୍‌ ଫିଫା ବିଶ୍ବକପ୍‌ ଲାଗି ପୁନଃସୂଚୀ ଘୋଷିତ ହେବା ପରେ ଅନ୍ୟତମ ଆୟୋଜକ ଓଡ଼ିଶାର କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଏହାକୁ ସ୍ବାଗତ କରିଛନ୍ତି। ‘ଫିଫା, ଏଆଇଏଫଏଫ୍‌, ଏଲ୍‌ଓସିର ନିଷ୍ପତ୍ତିକୁ ମୁଁ ସ୍ବାଗତ କରୁଛି। ପ୍ରତିଯୋଗିତାକୁ ଫିଫା ସ୍ତରର ଆୟୋଜନ କରିବାରେ ଓଡ଼ିଶା ସରକାରଙ୍କ ପ୍ରସ୍ତୁତି ଓ ପ୍ରତିଶ୍ରୁତି ପୂର୍ବଭଳି ଅବ୍ୟାହତ ରହିବ’ ବୋଲି ଶ୍ରୀ ବେହେରା ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି। ଲକ୍‌ଡାଉନ୍‌ ଉଠିଗଲେ ଆମେ ଏହି ମର୍ଯ୍ୟଦାଜନକ ପ୍ରତିଯୋଗିତାର ପ୍ରସ୍ତୁତି ଆରମ୍ଭ କରିଦେବୁ ବୋଲି ଶ୍ରୀ ବେହେରା ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ପ୍ରତିଯୋଗିତାର ମୋଟ ୮ ମ୍ୟାଚ୍‌ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଏହା ମଧ୍ୟରେ ଗୋଟିଏ ଲେଖାଏଁ କ୍ବାର୍ଟର ଫାଇନାଲ୍ ଏବଂ ସେମିଫାଇନାଲ ସାମିଲ ଅଛି। ନଭି ମୁମ୍ବାଇରେ ଅନ୍ୟ ସେମିଫାଇନାଲ୍ ସହିତ ତୃତୀୟ ସ୍ଥାନ ପ୍ଲେଅଫ୍ ଓ ଫାଇନାଲ୍ ମ୍ୟାଚ୍‌ ଖେଳାଯିବ।

ସମ୍ବନ୍ଧିତ ଖବର