ଭୁବନେଶ୍ୱରରେ ଖେଳାଯିବ ଫିଫା ୧୭ ବର୍ଷରୁ କମ ମହିଳା ବିଶ୍ୱକପ-୨୦୨୦

ଭୁବନେଶ୍ୱର: ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଫିଫା ୧୭ ବର୍ଷରୁ କମ ମହିଳା ବିଶ୍ୱକପ-୨୦୨୦ର ଖେଳାଯିବ । ଭୁବନେଶ୍ୱରକୁ ଭାରତର ପ୍ରଥମ ସ୍ଥାନ ଭାବେ ଅସ୍ଥାୟୀ ରୂପେ ମଂଜୁରୀ ମିଳିଥିବା ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି। ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ମ୍ୟାଚଗୁଡ଼ିକ ଖେଳାଯିବା ସମ୍ଭାବନା ରହିଛି । ଏହି ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ଆୟୋଜକ ଭାରତ ସମେତ ୧୬ଟି ଦେଶ ଭାଗ ନେବେ। ଚଳିତ ବର୍ଷ ଶେଷ ସୁଦ୍ଧା ଟୁର୍ଣ୍ଣାମେଣ୍ଟର ସୂଚୀ ଘୋଷଣା ହେବ ବୋଲି ପୂର୍ବାନୁମାନ କରାଯାଉଛି।

ସ୍ଥାନୀୟ ଆୟୋଜକ କମିଟିର ଟୁର୍ଣ୍ଣାମେଣ୍ଟ ନିର୍ଦ୍ଦେଶକ ରୋମା ଖନ୍ନା କହିଛନ୍ତି, ଫିଫା ୧୭ ବର୍ଷରୁ କମ ମହିଳା ବିଶ୍ୱକପ-୨୦୨୦ ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ଭୁବନେଶ୍ୱରକୁ ଚୟନ କରାଯାଇଥିବାରୁ ଆମେ ଖୁସି ଅନୁଭବ କରୁଛୁ। ଦେଶରେ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟର ଆୟୋଜନ ପାଇଁ ଭୁବନେଶ୍ୱର ଉପଯୁକ୍ତ ସ୍ଥାନ । ରାଜ୍ୟ ସରକାର ଷ୍ଟାଡିୟମକୁ ଅନ୍ତର୍ଜାତୀୟ ସ୍ତରରେ ନିର୍ମାଣ କରିଛନ୍ତି ଏବଂ ଏଠାରେ ଫିଫା ମାନକ ଅନୁସାରେ ତାଲିମ ପାଇଁ ଭିତ୍ତିଭୂମିର ବ୍ୟବସ୍ଥା କରାଯାଇଛି।

ଫିଫା ୧୭ ବର୍ଷରୁ କମ ମହିଳା ବିଶ୍ୱକପ-୨୦୨୦ ଫିଫା ମାନକର ଭିତ୍ତିଭୂମିକୁ ସାହାଯ୍ୟ କରିବ। ଫିଫା ପ୍ରତିଯୋଗିତାର ଆୟୋଜନ କରିବାରେ ଓଡ଼ିଶାରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ପ୍ରଥମ ହେବ।

ଭୁବନେଶ୍ୱରରେ ଫିଫା ୧୭ ବର୍ଷରୁ କମ ମହିଳା ବିଶ୍ୱକପ-୨୦୨୦ର ଆୟୋଜନ ନେଇ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଖୁସି ଅନୁଭବ କରିଛନ୍ତି। କ୍ରୀଡ଼ାମନ୍ତ୍ରୀ ଶ୍ରୀ ବେହେରା ନିଜର ପ୍ରତିକ୍ରିୟାରେ କହିଛନ୍ତି, ଭାରତର ପ୍ରଥମ ସହର ଭାବେ ଫିଫା ଭୁବନେଶ୍ୱରକୁ ଚୟନ କରିଛି। ବିଶ୍ୱର ଲୋକପ୍ରିୟ ଖେଳର ଆୟୋଜନ କରିବା ରାଜ୍ୟ ପାଇଁ ଗୌରବର ବିଷୟ ବୋଲି କ୍ରୀଡ଼ାମନ୍ତ୍ରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ମହିଳା ଫୁଟବଲ ଖେଳାଳିଙ୍କ ବିକାଶ ପାଇଁ ରାଜ୍ୟ ସରକାର ଯୋଜନା କରୁଛନ୍ତି।

ସମ୍ବନ୍ଧିତ ଖବର