ଭୁବନେଶ୍ବର: ଭାରତର ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ବିଡ୍କୁ ଭାରତୀୟ ଅଲିମ୍ପିକ୍ସ ସଂଘ (ଆଇଓଏ) ବୁଧବାର ଆନୁଷ୍ଠାନିକ ମୋହର ମାରିଛି। ଆଜି ଅନୁଷ୍ଠିତ ଆଇଏଓର ସ୍ବତନ୍ତ୍ର ସାଧାରଣ ବୈଠକରେ ସର୍ବସମ୍ମତିକ୍ରମେ ଏହାକୁ ମଞ୍ଜୁର କରାଯାଇଛି। ସେହିଭଳି ଭାରତର ପଦକ ଜିତିବା ସମ୍ଭାବନା ଥିବା ଖେଳଗୁଡ଼ିକୁ ଅଧିକରୁ ଅଧିକ ସାମିଲ କରିବା ଲାଗି ପ୍ରୟାସ କରିବାକୁ ନିଷ୍ପତ୍ତି ନିଆଯାଇଛି। ଆଇଓଏ ଏହା ପୂର୍ବରୁ ଗୁଜରାଟର ଅହମଦାବାଦକୁ ମୁଖ୍ୟ ଆୟୋଜକ ସହର ଭାବେ ବାଛି ଏହି ସମ୍ମାନଜନକ ପ୍ରତିଯୋଗିତା ଲାଗି ଆଗ୍ରହ ପତ୍ର ପ୍ରଦାନ କରିସାରିଛି। ଏଥିଲାଗି ଚୂଡ଼ାନ୍ତ ବିଡ୍ ଦାଖଲ କରିବାର ଶେଷ ତାରିଖ ଚଳିତ ଅଗଷ୍ଟ ୩୧ ଥିବାରୁ ଏହାର ୧୭ ଦିନ ପୂର୍ବରୁ ‘ଆଇଓଏ’ ଆନୁଷ୍ଠାନିକ ଭାବେ ଏହି ପ୍ରସ୍ତାବକୁ ଗୃହୀତ କରିଥିବା ସଭାପତି ତଥା ଦୌଡ଼ରାଣୀ ପିଟି ଉଷା କହିଛନ୍ତି। ସେହିଭଳି ଅହମଦାବାଦ ସହ ଦିଲ୍ଲୀ ଏବଂ ଓଡ଼ିଶାର ରାଜଧାନୀ ଭୁବନେଶ୍ବରକୁ ମଧ୍ୟ ଆୟୋଜକ ସହର ଭାବେ ବିଚାରକୁ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି। ପ୍ରକାଶଯୋଗ୍ୟ ଯେ ଏହା ପୂର୍ବରୁ ଭାରତ ୨୦୧୦ ମସିହାରେ ନୂଆଦିଲ୍ଲୀରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଆୟୋଜନ କରିଥିଲା। ୨୦୩୦ ମସିହାର ଆୟୋଜନ ଅଧିକାର ଯଦି ମିଳେ, ତାହେଲେ ୨୦ବର୍ଷ ପରେ ଏହି ବହୁରାଷ୍ଟ୍ରୀୟ ପ୍ରତିଯୋଗିତା ଭାରତକୁ ଫେରିବ।
ସାଢ଼େ ଚାରିଘଣ୍ଟା ଧରି ଚାଲିଥିବା ବୈଠକ ପରେ ଉଷା କହିଛନ୍ତି, ଏହି ମାମଲାରେ ସମସ୍ତେ ଏକମତ ଥିବାରୁ ବ୍ୟକ୍ତିଗତ ଭାବେ ବହୁତ ଖୁସି ଲାଗୁଛି। ସର୍ବସମ୍ମତିକ୍ରମେ ଏଭଳି ନିଷ୍ପତ୍ତି ନିଆଯାଇଛି। ଏବେ ଆମେ ପ୍ରସ୍ତୁତି ପର୍ବରେ ଲାଗି ପଡ଼ିବୁ। ଅହମଦାବାଦ ହିଁ ଆୟୋଜକ ସହର ହେବ ବୋଲି କିନ୍ତୁ ଆମେ ଏବେ ସ୍ପଷ୍ଟ କରିପାରିବୁନି। ଭୁବନେଶ୍ବର ଓ ଦିଲ୍ଲୀରେ ମଧ୍ୟ ବହୁତ ଭଲ ଓ ବିଶ୍ବସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ଅଛି। ୨୦୨୬ ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅପେକ୍ଷାକୃତ ଛୋଟ ଆକାରରେ ହେବ। ଯଦି ଆମେ ୨୦୩୦ ଆୟୋଜନ ଅଧିକାର ପାଉ, ତହେଲେ ଏହା ବ୍ୟାପକ ଏବଂ ୨୦୧୦ ଭଳି ବୃହତ୍ ଆକାରର ହେବ।
ଅହମଦାବାଦ, ଦିଲ୍ଲୀ ମଧ୍ୟ ସାମିଲ ହେବେ
୨୦୩୦ ସଂସ୍କରଣ ଲାଗି ବିଡ୍ ଦାଖଲକୁ ଆଇଏଓ ମୋହର
କବାଡ଼ି, ଖୋ ଖୋକୁ ସାମିଲ କରିବା ଯୋଜନା
ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଆୟୋଜକମାନେ ବ୍ୟୟ ଭାରକୁ ଆଳ କରି ହକି, ବ୍ୟାଡ୍ମିଣ୍ଟନ୍, କୁସ୍ତି ଓ ସୁଟିଂ ଭଳି ଲୋକପ୍ରିୟ ଖେଳକୁ ବାଦ୍ ଦେଇଛନ୍ତି। ଯାହା ଫଳରେ ଭାରତର ପଦକ ସଂଖ୍ୟା କମିବାରେ ଯଥେଷ୍ଟ ଆଶଙ୍କା ରହିଛି। ଘରୋଇ ପରିବେଶରେ ୨୦୩୦ରେ ଏହି ଖେଳଗୁଡ଼ିକୁ ଆୟୋଜନ ତାଲିକାକୁ ଫେରାଇ ଅଣାଯିବ ବୋଲି ଉଷା ସଂକେତ ଦେଇଛନ୍ତି। ଏହି ବିଷୟରେ ନିଜ ପ୍ରତିକ୍ରିୟା ରଖି ଉଷା ମତ ରଖିଛନ୍ତି ଯେ ଆମେ ପଦକ ଜିତୁଥିବା ସୁଟିଂ, ତୀରନ୍ଦାଜି, କୁସ୍ତି ଆଦି ଖେଳକୁ ରାଜ୍ୟଗୋଷ୍ଠୀ କ୍ରୀଡ଼ାକୁ ଫେରାଇ ଆଣିବାକୁ ଲକ୍ଷ୍ୟ ରଖାଯାଇଛି। ତା’ ସହିତ କବାଡ଼ି ଓ ଖୋ ଖୋ ଭଳି ପାରମ୍ପରିକ ଭାରତୀୟ ଖେଳକୁ ମଧ୍ୟ ସାମିଲ କରିବାକୁ ଆଶା ରଖିଛୁ। ‘ଆଇଓଏ’ ଯୁଗ୍ମ ସଂପାଦକ ତଥା ପୂର୍ବତନ ଅନ୍ତର୍ଜାତୀୟ ଫୁଟବଲର୍ କଲ୍ୟାଣ ଚୌବେ କହିଛନ୍ତି, ରାଜ୍ୟଗୋଷ୍ଠୀ କ୍ରୀଡ଼ା ନିର୍ଦ୍ଦେଶକ ଡରେନ ହଲ୍ଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳ ନିକଟରେ ଅହମଦାବାଦ ଆସି ସେଠାକାର କ୍ରୀଡ଼ା ଭିତ୍ତିଭୂମିକୁ ବୁଲି ଦେଖିଥିଲେ। ଚଳିତମାସ ଶେଷ ଆଡ଼କୁ ଆଉ ଏକ ବଡ଼ ପ୍ରତିନିଧିମଣ୍ଡଳ ଅହମଦାବାଦ ଆସିବାର କାର୍ଯ୍ୟକ୍ରମ ରହିଛି।
୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ କରିବାକୁ ଆଗ୍ରହ ପ୍ରକାଶ କରିଥିବା କାନାଡ଼ା ଓହରି ଯାଇଥିବାରୁ ଭାରତ ଏହି ସଂସ୍କରଣର ଆୟୋଜନ ଅଧିକାର ପାଇବାର ଆଶା ପୂର୍ବାପେକ୍ଷା ବଢ଼ିଛି। ତେବେ ନାଇଜେରିଆ ସହ ଅନ୍ୟ ଦୁଇ ରାଜ୍ୟଗୋଷ୍ଠୀ ସଦସ୍ୟ ରାଷ୍ଟ୍ର କିନ୍ତୁ ଏବେବି ଦୌଡ଼ରେ ରହିଛନ୍ତି। ଅନ୍ୟପକ୍ଷରେ ଅହମଦାବାଦ ଯଦି ମୁଖ୍ୟ ଆୟୋଜକ ସହର ହୁଏ ତାହେଲେ ଭୁବନେଶ୍ବରରେ କିଛି ଖେଳ ଆୟୋଜନ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଯଦି ଭୁବନେଶ୍ବରକୁ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଆୟୋଜନ ଅଧିକାର ମିଳେ, ତେବେ ଓଡ଼ିଶା କ୍ରୀଡ଼ା ଇତିହାସରେ ଏହା ଆଉ ଏକ ସୁବର୍ଣ୍ଣ ଅଧ୍ୟାୟ ଯୋଡ଼ିବ। ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜକ ଘୋଷଣା ଆସନ୍ତା ନଭେମ୍ବର ମାସ ତୃତୀୟ ସପ୍ତାହରେ ଗ୍ଲସ୍ଗୋରେ ବସିବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ସାଧାରଣ ପରିଷଦ ବୈଠକରେ ନିଆଯିବ। ସବୁକିଛି କିନ୍ତୁ ‘ଆଇଓଏ’ର ଚୂଡ଼ାନ୍ତ ବିଡ୍ ଉପରେ ନିର୍ଭର କରିବ।
୨୦୧୦ ନୂଆଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପ୍ରଥମ ଓ ଶେଷ ଥର ପାଇଁ ୩୮ ସ୍ବର୍ଣ୍ଣ ସହ ୧୦୦ରୁ ଅଧିକ ପଦକ ଜିତିଥିଲା। ଭାରତ ତା’ର ଦ୍ବିତୀୟ ଶ୍ରେଷ୍ଠ ପ୍ରଦର୍ଶନ ୨୦୦୨ ମାଞ୍ଚେଷ୍ଟର୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୩୦ ସ୍ବର୍ଣ୍ଣ ସହ ୬୯ ପଦକ ହାସଲ କରିଥିଲା। ଇଂଲଣ୍ଡର ବର୍ମିଂହାମରେ ଆୟୋଜିତ ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ଦଳ ୨୨ ସ୍ବର୍ଣ୍ଣ, ୧୬ ରୌପ୍ୟ ଓ ୨୩ କାଂସ୍ୟ ସହ ୬୧ ପଦକ କରାୟତ୍ତ କରିଥିଲା।