ସିଡ୍ନି: ନେଦରଲାଣ୍ଡ୍ସ ପାଳିରେ ପୂରା ୪ ଓଭର ବୋଲିଂ କରିବାର ସୁଯୋଗ ପାଇନଥିଲେ ଭୁବନେଶ୍ବର କୁମାର। ହେଲେ ଏହି ଦ୍ରୁତ ବୋଲର ୩ ଓଭର ବୋଲିଂ କରି ୯ ରନ୍ ବିନିମୟରେ ୨ ୱିକେଟ୍ ନେଇଥିଲା ବେଳେ ତାଙ୍କ ପ୍ରଥମ ଦୁଇ ଓଭର ମେଡେନ୍ ଥିଲା। ଫଳରେ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକର ଗୋଟିଏ ପାଳିରେ ସବୁଠୁ ଅଧିକ ଥର ୨ ମେଡେନ୍ ଓଭର ବୋଲିଂ କରିବାରେ ଭୁବନେଶ୍ବର କୁମାର ପ୍ରଥମ ଭାରତୀୟ କୀର୍ତ୍ତିମାନ ପାଇଛନ୍ତି।
ଗୁରୁବାର ନେଦରଲାଣ୍ଡ୍ସ ବିପକ୍ଷ ମ୍ୟାଚ୍ ପୂର୍ବରୁ ସେ ୨୦୧୬ରେ ମୀରପୁରରେ ୟୁଏଇ ବିପକ୍ଷ ମ୍ୟାଚ୍ରେ ପ୍ରଥମେ ଏଭଳି ସଫଳତା ପାଇଥିଲେ। ଅନ୍ୟ ଭାରତୀୟ ବୋଲରଙ୍କ ମଧ୍ୟରେ ହରଭଜନ ସିଂହ (ବନାମ ଇଂଲଣ୍ଡ, କଲମ୍ବୋ, ୨୦୧୨) ଏବଂ ଯଶ୍ପ୍ରୀତ୍ ବୁମ୍ରା (ବନାମ ପାକିସ୍ତାନ, ମୀରପୁର, ୨୦୧୬) ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରେ ୨ଟି ଲେଖାଏଁ ମେଡେନ୍ ଓଭର ବୋଲିଂ କରିଥିଲେ। ତେବେ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରେ ବୁମ୍ରା ହିଁ ସର୍ବାଧିକ ୯ ମେଡେନ୍ ଓଭର ବୋଲିଂ କରିଥିଲା ବେଳେ ଭୁବନେଶ୍ବର କୁମାରଙ୍କ ସଂଖ୍ୟା ୮ରେ ପହଞ୍ଚିଛି।