ଲଣ୍ଡନରେ ଭୁବିଙ୍କ ସଫଳ ଅସ୍ତ୍ରୋପଚାର

ନୂଆଦିଲ୍ଲୀ: ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ବର କୁମାରଙ୍କ ସ୍ପୋର୍ଟସ୍‌ ହାର୍ନିଆ ଅସ୍ତ୍ରୋପଚାର ଲଣ୍ଡନରେ ସଫଳାତର ‌ସହ ଶେଷ ହୋଇଛି। ଲଣ୍ଡନରୁ ଫେରିବା ପରେ ତାଙ୍କର ଥଇଥାନ କାର୍ଯ୍ୟକ୍ରମ ଜାତୀୟ ‌କ୍ରିକେଟ୍‌ ଏକାଡେମି (ଏନ୍‌ସିଏ)ରେ ହେବ ବୋଲି ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି। ‌ଏହି ସମସ୍ୟାରୁ ମୁକୁଳିବା ଲାଗି ଭୁବନେଶ୍ବରଙ୍କୁ କେତେ‌ ଦିନ ଲାଗିବ ତାହା ଉପରେ ବିସିସିଆଇ ପକ୍ଷରୁ କିଛି ସୂଚନା ଦିଆଯାଇନି। ହେଲେ ମାର୍ଚ ୨୯ ତାରିଖରୁ ଆରମ୍ଭ ହେବାକୁ ଥିବା ଆଇପିଏଲ୍‌ ବେଳକୁ ‌ଫେରିବାର ସମ୍ଭାବନା ରହିଛି। ସେ ସନ୍‌ରାଇଜର୍ସ ହାଇଦ୍ରାବଦ ଦଳରେ ଅଛନ୍ତି।

ଭୁବନେଶ୍ବର କୁମାର ଜାନୁଆରି ୯ ତାରିଖରେ ଲଣ୍ଡନ ଗସ୍ତ କରିଥିଲେ। ୧୧ ତାରିଖରେ ତାଙ୍କର ସଫଳ ଅସ୍ତ୍ରୋପଚାର ହୋଇଛି। ତାଙ୍କୁ ସହଯୋଗ କରିବାକୁ ସେଠାରେ ଭାରତୀୟ ଦଳର ଫିଜିଓଥେରାପିଷ୍ଟ ଯୋଗେଶ ପର୍ମାର ଅଛନ୍ତି। ଭୁବନେଶ୍ବର କୁମାର ଭାରତ ଫେରିଲେ ବେଙ୍ଗାଲୁରୁସ୍ଥିତି ଏନ୍‌ସିଏରେ ଚିକିତ୍ସିତ ହେବେ ବୋଲି ବିସିସିଆଇ ସମ୍ପାଦକ ଜୟ ଶାହ ଏକ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଟ୍ବେଣ୍ଟି-୨୦ ଲାଗି ‌ଘୋଷିତ ଭାରତୀୟ ଦଳରେ ଆହତ ଯୋଗୁଁ ଭୁବନେଶ୍ବରଙ୍କ ନାମ ବିଚାରକୁ ନିଆ ଯାଇନଥିଲା। ଅନ୍ୟପକ୍ଷରେ ଏନ୍‌ସିଏରେ ଥଇଥାନ ଥିବା ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ପୃଥ୍ବୀ ସ’ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ଏବେ ସେ ଭାରତୀୟ ଏ’ ଦଳ ସହ ଯୋଗ ଦେବାଲାଗି ନ୍ୟୁଜିଲାଣ୍ଡ ଗସ୍ତ କରିବେ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର