ଭୁବନେଶ୍ବର କ୍ରୀଡ଼ା ଛାତ୍ରାବାସ ଜିତିଲା ନବଭାରତ ଟ୍ରଫି ହକି

ଭୁବନେଶ୍ବର: ଛତିଶଗଡ଼ର ବିଳାଶପୁରଠାରେ ଆୟୋଜିତ ଚତୁର୍ଥ ନବଭାରତ ଟ୍ରଫି ସର୍ବଭାରତୀୟ ପୁରୁଷ ହକି ପ୍ରତିଯୋଗିତାରେ ଭୁବନେଶ୍ବର କ୍ରୀଡ଼ା ଛାତ୍ରାବାସ ବିଜେତା ଆଖ୍ୟା ଅର୍ଜନ କରିଛି। ଦୁଇ ଓଡ଼ିଶା ଦଳକୁ ନେଇ ଖେଳାଯାଇଥିବା ବୁଧବାରର ତୀବ୍ର ସଂଘର୍ଷପୂର୍ଣ୍ଣ ଫାଇନାଲ୍‌କୁ ସୁଟ୍‌ଆଉଟ୍‌ରେ ଜିତି ଭୁବନେଶ୍ବର ଦଳ ବିଜେତା ମୁକୁଟ ହାସଲ କରିଥିଲା। ଆଜିର ଏହି ଉତ୍କଣ୍ଠାଭରା ମ୍ୟାଚ୍‌ର ନିର୍ଦ୍ଧାରିତ ସମୟରେ ଉଭୟ ଭୁବନେଶ୍ବର କ୍ରୀଡ଼ା ଛାତ୍ରାବାସ ଓ ପ୍ରତିପକ୍ଷ ସେଲ୍ ରାଉରକେଲା ଦୁଇଟି ଲେଖାଏଁ ଗୋଲ୍ ଦେଇ ବରାବର ସ୍ଥିତିରେ ରହିଥିଲେ।

ସେଲ୍ ପକ୍ଷରୁ ପ୍ରଶାନ୍ତ ସିଂହ ଦୁଇଟି ଯାକ ଗୋଲ୍ ଦେଇଥିଲା ବେଳେ ଅନୁରୂପ ଭାବେ ଭୁବନେଶ୍ବର ପକ୍ଷରୁ ସୁଶୀଲ ଧନୱାର ଦୁଇଟି ଯାକ ଗୋଲ୍ କରିଥିଲେ। ସୁଟଆଉଟ୍‌ ମୁକାବିଲାରେ କିନ୍ତୁ ସେଲ୍ ରାଉରକେଲା ଗୋଟିଏ ଗୋଲ୍ ପଛରେ ପଡ଼ିଯାଇଥିଲା। ସେଲ୍‌ର ପ୍ରଶାନ୍ତ ସିଂହ, ଅନମୋଲ ଏକ୍କା ଓ ଅଧିନାୟକ ରାଜକୁମାର ମିଞ୍ଜ୍ ଗୋଲ୍ କରିବାରେ ବିଫଳ ହୋଇଥିଲେ। ଅନ୍ୟପକ୍ଷରେ ରାଜା ଯାଦବ ଓ ତରୁଣ ଯାଦବ ସଫଳ ହୋଇଥିଲେ। ସେପଟେ ଭୁବନେଶ୍ବର ଦଳ ପାଇଁ ଅଭିଜ୍ଞ ରୋଶନ ମିଞ୍ଜ୍, ଅଧିନାୟକ ବିଜୁ ଏକ୍କା ଓ ଭିକ୍ଟର ଷ୍ଟାନ୍‌ଲି ମିଞ୍ଜ୍ ଗୋଲ୍ ଦେଇଥିଲା ବେଳେ କେବଳ ପ୍ରକାଶ ଧୀର୍, ପ୍ରଯୁକ୍ତ ନାଗ ବିଫଳ ହୋଇଥିଲେ। ଶେଷରେ ଭୁବନେଶ୍ବର କ୍ରୀଡ଼ା ଛାତ୍ରାବାସ ୫-୪ ଗୋଲ୍‌ରେ ବିଜୟୀ ହୋଇଥିଲା। ସୂଚନାଯୋଗ୍ୟ ଯେ ଏହି ସର୍ବଭାରତୀୟ ହକି ପ୍ରତିଯୋଗିତାରେ ଓଡ଼ିଶାର ନିଶାନଜ୍ୟୋତି ମହାନ୍ତି ବିଚାରକ ଦାୟିତ୍ବ ତୁଲାଉଥିଲା ବେଳେ ରାଜିନ ଏକ୍କା ଅମ୍ପାୟାରିଂ କରୁଥିଲେ।

ସମ୍ବନ୍ଧିତ ଖବର