ସମସାଦ୍‌ ଜିତିଲେ ଟାଟା ଷ୍ଟିଲ୍‌ ଭୁବନେଶ୍ବର ହାଫ୍‌ ମାରାଥନ୍‌

ଭୁବନେଶ୍ବର : ଦୀର୍ଘ ୫ ବର୍ଷର ପ୍ରୟାସ ପରେ ଓଡ଼ିଆ ଝିଅ ସମସାଦ୍‌ ଆରା ବେଗମ୍‌ଙ୍କ ଟାଟା ଷ୍ଟିଲ୍‌ ଭୁବନେଶ୍ବର ହାଫ୍‌ ମାରାଥନ୍‌ ବିଜୟର ସ୍ବପ୍ନ ସାକାର ହୋଇଛି। ରବିବାର ଅନୁଷ୍ଠିତ ରାଜ୍ୟର ଏହି ଏକମାତ୍ର ସମ୍ମାଜନକ ହାଫ୍‌ ମାରାଥନ୍ ପ୍ରତିଯୋଗିତାରେ ସମସାଦ ମହିଳା ବର୍ଗରେ ବିଜୟିନୀ ହୋଇଛନ୍ତି। ଏହି ଖୋର୍ଧା ଝିଅ ୨୧ କିଲୋମିଟର୍‌ ହାଫ୍‌ ମାରାଥନ୍‌କୁ ୧.୦୬.୫୯ ମିନିଟ୍‌ରେ ଶେଷ କରିଥିଲେ। ପୁରୁଷ ବର୍ଗରେ ମେଘାଳୟ ସିଲଂର ଶଙ୍କରମନ ଥାପ୍ପା ବିଜେତା ହୋଇଥିଲେ। ଉଭୟଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ମହିଳା ବର୍ଗରେ ସମସାଦଙ୍କ ପଛକୁ ପ୍ରଜକ୍ତା ଗୋଡବୋଲ୍‌, ମୋନିକା ରାଉତ, ନୈନା ପଟେଲ୍‌, ଦୀପ୍ତି ଲାକ୍ରା ପରବର୍ତୀ ୪ ସ୍ଥାନରେ ରହି ପୁରସ୍କୃତ‌ ହୋଇଥିଲେ। ସେହିଭଳି ପୁରୁଷ ବର୍ଗରେ ବୀରେନ୍ଦ୍ର ବର୍ମା, ବାସୁଦେବ ନିସାଦ, ଦୀପକ କୁମ୍ଭାର, ଅର୍ଜୁନ ଟୁଡୁ ଯଥାକ୍ରମେ ଦ୍ବିତୀୟରୁ ପଞ୍ଚମ ସ୍ଥାନରେ ରହି ଆର୍ଥିକ ପୁରସ୍କାର ପାଇଥିଲେ। ଏହି ପ୍ରତ‌ିଯୋଗିତା ୧୮ ବର୍ଷରୁ ଊର୍ଧ୍ବ ବୟସ ବର୍ଗ ପାଇଁ ଉଦ୍ଧିଷ୍ଟ ଥିଲା।

ଏହାବାଦ୍‌ ୧୫ ବର୍ଷରୁ ଊର୍ଧ୍ବ ୧୦ କିଲୋମିଟର ଏବଂ ୧୨ରୁ ୧୫ ବୟସ ବର୍ଗର ୫ କିଲୋମିଟର ଶ୍ରେଣୀରେ ମଧ୍ୟ ପ୍ରତିଯୋଗିତା ହୋଇଥିଲା। ୧୦ କିଲୋମିଟର ପୁରୁଷରେ ବୀରେନ୍ଦ୍ର କୁମାର ପାଲ, ଧର୍ମେନ୍ଦର‌ ଚୌଧୁରୀ, ଅନିଲ ସିଂହ, ମନୋଜ ବିଷ୍ଟ, ଭିକି ତୋମାର ଏବଂ ମହିଳାରେ ଜ୍ୟୋତି ଜ୍ୟୋତି, ଶୀତଲ ଭଗତ, ଶାନ୍ତି ରାଏ, ମଧୁସ୍ମିତା ଓଝା, ହୋଲିକା ମୋଦି ଶୀ‌ର୍ଷ ୫ ସ୍ଥାନରେ ରହିଥିଲେ। ୫ କିଲୋମିଟର ପୁରୁଷରେ ସୀମା ଶିଶା, ଜୁରିୟା ପୂ୍ର୍ତି, ଆକାଶ କୁମାର, ତୁରି କାଣ୍ଡେୟାଙ୍ଗ, ଡାକିନ୍‌ ସୋରେନ୍ ଏବଂ ମହିଳାରେ ସ୍ବର୍ଣ୍ଣଲତା ଶର୍ମା, ଈତିଶ୍ରୀ ମହାନ୍ତ, ଶୁଭଦ୍ରା ମହାରଣା, ପ୍ରଣତି ପତି ଏବଂ ସାଇନା ସ୍ମାଇଲ୍‌ ମହାନ୍ତି ମଧ୍ୟ ପ୍ରଥମ ୫ ଭିତରେ ରହି ଆର୍ଥିକ ପୁରସ୍କାର ଓ ପ୍ରମାଣପାତ୍ର ପାଇଥିଲେ। ସମସ୍ତ ୩ ବର୍ଗରେ ମୋଟ ୮.୬୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇବା ଅବସରରେ ଟାଟା ଷ୍ଟିଲ୍‌ କର୍ପୋରେଟ୍‌ ସର୍ଭିସେସ୍‌ ଉପସଭାପତି ଚାଣକ୍ୟ ଚୌଧୁରୀ କହିଛନ୍ତି, ‘ଭୁବନେଶ୍ବର ହାଫ୍‌ ମାାରାଥନ୍‌ର ଆଉ ଏକ ସଫଳ ସଂସ୍କରଣ ରାଜ୍ୟର କ୍ରୀଡ଼ା ଉତ୍ସାହକୁ ପ୍ରତିଫଳିତ କରିଛି। ଦେଶର କ୍ରୀଡ଼ା କ୍ୟାଲେଣ୍ଡରରେ ଏହା ଏକ ପ୍ରମୁଖ ସ୍ଥାନ ହାସଲ କରିଥିବାରୁ ଆମେ ଖୁସି’। ସୂଚନାଯୋଗ୍ୟ, ୨୧ କିଲୋମିଟର ବିଶିଷ୍ଟ ମୁଖ୍ୟ ଦୌଡ଼ରେ ଏଥର ୧୪୩୯ ଜଣ ଭାଗନେବା ଏକ କୀର୍ତ୍ତିମାନ କରିଛି। ସେହିଭଳି ସମଗ୍ର ଦେଶରୁ ୫୦୦୦ରୁ ଊର୍ଧ୍ବ ଧାବକ ଧାବିକା ଏଥିରେ ସାମିଲ ହେବା ଆୟୋଜକଙ୍କୁ ଉତ୍ସାହିତ କରିଛି।

ରବିବାର ପ୍ରତ୍ୟୁଷରେ କଳିଙ୍ଗ ଷ୍ଟାଡିୟମ୍‌ଠାରୁ ପାତ୍ରପଡ଼ା ପର୍ଯ୍ୟନ୍ତ ଯିବା ଆସିବା ସହିତ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଦୁଇ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ତୁଷାରକାନ୍ତି ବେହେରା, ବିଧାୟକ ଅନନ୍ତ ନାରାୟଣ ଜେନା, ଆଇଏଫ୍‌ଏସ୍‌ ଡକ୍ଟର ସନ୍ଦୀପ ତ୍ରିପାଠୀ, ଦେବୀଦତ୍ତ ବିଶ୍ବାଳ, ଆଇପିଏସ୍‌ ଲଳିତ ଦାସ, ଆଇପିଏସ୍ ସାଗରିକା ନାଥ, ଟାଟା ଷ୍ଟିଲ୍‌ର ବରିଷ୍ଠ ଅଧିକାରୀ ଚାଣକ୍ୟ ଚୌଧୁରୀ, ଆର୍ ଆର୍ ଶତପଥୀ, ଦେବାଶିଷ ଜେନା, ଓଲିଉଡ୍ ଅଭିନେତା ସବ୍ୟସାଚୀ ମିଶ୍ର, ଅଭିନେତ୍ରୀ ଅର୍ଚିତା ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର