କଟକ: ବାରବାଟୀ ଷ୍ଟାଡିୟମ୍ରେ ଚାଲିଥିବା ଓଡ଼ିଶା ପ୍ରୋ ଟି-୨୦ ଲିଗ୍ (ଓପିଟିଏଲ୍)ରେ ବୁଧବାରର ପ୍ରଥମ ମ୍ୟାଚ୍ରେ ଭୁବନେଶ୍ବର ଟାଇଗର୍ସ ବିଜୟୀ ହୋଇଛି। ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ନେତୃତ୍ବାଧୀନ ଏହି ଦଳ ୫ ୱିକେଟ୍ରେ ରାଉରକେଲା ଷ୍ଟିଲର୍ସଙ୍କୁ ହରାଇଛି। ବର୍ଷା କାରଣରୁ ମ୍ୟାଚ୍ ବିଳମ୍ବିତ ହେବା ସହ ଏହାକୁ ୧୫ ଓଭରକୁ ହ୍ରାସ କରାଯାଇଥିଲା। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ରାଉରକେଲା ଷ୍ଟିଲର୍ସ ୮ୱିକେଟ୍ ହରାଇ ୯୧ ରନ୍ କରିଥିଲେ। ସ୍ବରୂପ ଭୂୟାଁ ୩୧ (୧୮ ବଲ୍) ଏବଂ ଆଶୀର୍ବାଦ ସ୍ବାଇଁ ୨୨ ରନ୍ (୧୭ ବଲ୍) କରିଥିଲେ।
ଭୁବନେଶ୍ବର ପକ୍ଷରୁ ଅଧିନାୟକ ସୂର୍ଯ୍ୟକାନ୍ତ ପ୍ରଧାନ, ଦେବବ୍ରତ ପ୍ରଧାନ ଓ ବାଦଲ ବିଶ୍ବାଳ ୩ଟି ଲେଖାଏଁ ୱିକେଟ୍ ନେଇଥିଲେ। ଜବାବରେ ଭୁବନେଶ୍ବର ଟାଇଗର୍ସ ୧୧.୪ ଓଭରରେ ୫ ୱିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା। ସତ୍ୟକାମ ଭରଦ୍ବାଜ୍ ୬୫ ରନ୍ (୩୪ ବଲ୍) କରି ଦଳକୁ ବିଜୟ ଦେବାରେ ପ୍ରମୁଖ ଭୂମିକା ତୁଲାଇଥିଲେ। ରାଉରକେଲା ପକ୍ଷରୁ ଆଶୁତୋଷ ମାରାଣ୍ଡି ଓ ପ୍ରଦୀପ ପ୍ରଧାନ ୨ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ। ସତ୍ୟକାମଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଅତିଥି ଓଡ଼ିଶା ଦୌଡ଼କୁଦ ସଂଘ ସଭାପତି ଡକ୍ଟର ଜି. ଶ୍ରୀନିବାସ ପଟ୍ଟନାୟକ ପ୍ରଦାନ କରିଥିଲେ।