ଭୁବନେଶ୍ବର କାନ୍ଥକୁ ଜୀବନ୍ତ କରୁଛନ୍ତି ଆମେରିକୀୟ ଚିତ୍ରକର

ଭୁବନେଶ୍ବର,: ହକି ବିଶ୍ବକପ୍ ପାଇଁ ରାଜଧାନୀର ବିଭିନ୍ନ କାନ୍ଥକୁ ଜୀବନ୍ତ କରୁଛନ୍ତି ଆମେରିକୀୟ ଚିତ୍ରକର ଦଳ। ଏହି ଦଳରେ ଆମେରିକାର ଲସ୍ ଏଞ୍ଜେଲ୍ସ ବାସିନ୍ଦା‌ ଜୁଲିଓ ଜିମେନେଜ ମଧ୍ୟ ଅଛନ୍ତି। ସେ ଜଣେ ପ୍ରତିଷ୍ଠିତ ପଥପ୍ରାନ୍ତ ଚିତ୍ରକାର। ମେକ୍ସିକୋର ମୂଳ ବାସିନ୍ଦା ଜୁଲିଓଙ୍କ ସହ ଗିନିଜ୍ ବୁକ୍ସ ଅଫ୍ ରେକର୍ଡଧାରୀ ତ୍ରାସି ଲି ଷ୍ଟମଙ୍କ ନେତୃତ୍ବରେ ଏକ ଚାରି ଜଣିଆ ବିଦେଶୀ ଦଳ ରାଜଧାନୀର ବିଭିନ୍ନ ମହତ୍ବପୁର୍ଣ୍ଣ ସ୍ଥାନରେ ଥିବା କାନ୍ଥବାଡ଼ରେ ବିଭିନ୍ନପ୍ରକାର ମନ୍ତ୍ରମୁଗ୍ଧକର ଚିତ୍ର ଆଙ୍କିବାକୁ ଓଡ଼ିଶା ଆସିଛନ୍ତି। ସେମାନେ ଭୁବନେଶ୍ବରରେ ୧୫ ଦିନ ରହି ରାଜଧାନୀର କାନ୍ଥବାଡ଼କୁ ନିଜ ନିଆରା ପ୍ରତିଭାରେ ସଜାଇବେ। ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ସେମାନଙ୍କୁ ଏଥିଲାଗି ନିଯୁକ୍ତ କରାଯାଇଛି। ବିଶ୍ବକପ୍ ବେଳେ ଆସିବାକୁ ଥିବା ବିଦେଶୀ ପର୍ଯ୍ୟଟକଙ୍କୁ ଅଭୁଲା ଅଭିଜ୍ଞତା ସହ ସେମାନଙ୍କୁ ଅଧିକରୁ ଅଧିକ ସଂଖ୍ୟାରେ ଆକର୍ଷିତ କରିବାକୁ ମହାନଗର ନିଗମ ଏଭଳି ପଦକ୍ଷେପ ‌ନେଇଛି। ଏହି ପ୍ରକଳ୍ପକୁ ଷ୍ଟ୍ରିଟ୍ ଆର୍ଟ ଆଣ୍ଡ ମୁରାଲ ପ୍ରକଳ୍ପ ବା ଷ୍ଟାମ୍ପ ନାଁ ଦିଆଯାଇଛି। ଭୁବନେଶ୍ବରକୁ ସରସ ଏବଂ ସୁନ୍ଦର କରିବା ଲାଗି ରାଜ୍ୟ ସରକାର ରଖିଥିବା ୧୦୦ କୋଟି ଟଙ୍କାର ବ୍ୟୟ ବରାଦ ଭିତରେ ଏହା ଅନ୍ତର୍ଗତ। ହେଲେ ଫୁଟବଲ୍ ଏବଂ ବେସ୍‌ବଲ୍ ଭଳି ଖେଳ ପାଇଁ ପରିଚିତ ଆମେରିକାର ଚିତ୍ରକରଙ୍କୁ ହକି ବିଶ୍ବକପ୍ ପାଇଁ ନିଯୁକ୍ତ କରାଯିବା ଟିକିଏ ଅଡ଼ୁଆ ଲାଗୁଛି। ସ୍ଥାନୀୟ କଳାକଳାମାନେ ଏହାକୁ ପସନ୍ଦ କରିନାହାନ୍ତି। ତେବେ ଏହି ଦଳର ଚିତ୍ରକୁ ସମସ୍ତେ ପସନ୍ଦ ଏବଂ ପ୍ରଶଂସା କରିଛନ୍ତି। ତ୍ରାସି ଏବଂ ଜିମେନେଜଙ୍କ ଛଡ଼ା ଏହି ଚାରି ଜଣିଆ ଦଳରେ ଜି ସ୍କିଣ୍ଡଲର ଏବଂ ଅନଟ ରୋନେନ ନାମକ ଆଉ ଦୁଇ ଜଣ ଆମେରିକୀୟ କଳାକାର ଅଛନ୍ତି। ୨୦୦୬ରେ ତ୍ରାସି ସବର୍ବୃହତ୍ ଚକ୍ ଚିତ୍ର ପାଇଁ ନିଜ ନାଁକୁ ଗିନିଜ୍ ବୁକ୍ସ ଅଫ୍ ରେକଡ୍ସରେ ଲିପିବଦ୍ଧ କରି ସାରିଛନ୍ତି। ଭୁବନେଶ୍ବର କାନ୍ଥରେ ଏମାନେ କିଛି ଥ୍ରୀ ଡି ଚିତ୍ର ମଧ୍ୟ ଆଙ୍କିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର