ଭୁବନେଶ୍ବର ଏଫ୍‌ଆଇଏଚ୍‌ ହକି ସିରିଜ୍‌:ଭାରତ-ରୁଷିଆ ମୁକାବିଲାରୁ ଆରମ୍ଭ

ନୂଆଦିଲ୍ଲୀ/ଭୁବନେଶ୍ବର: ଜୁନ୍‌ ୬ରୁ ୧୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା ଏଫ୍‌ଆଇଏଚ୍ (ଅନ୍ତର୍ଜାତୀୟ ହକି ସଂଘ) ହକି ସିରିଜ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ ଭାରତ ଏବଂ ରୁଷିଆ ମଧ୍ୟରେ ଅନୁଷ୍ଠିତ ହେବ। ପଞ୍ଚମ ମାନ୍ୟତାପ୍ରାପ୍ତ ଭାରତ ଆଗରେ ୨୨ତମ ମାନ୍ୟତା ରୁଷିଆ ଥିବାରୁ ଘରୋଇ ଦଳ ସହଜ ମୁକାବିଲାରୁ ଅଭିଯାନ ଆରମ୍ଭ କରିବାର ଆଶା ରହିଛି। ସେହିଦିନ ଦକ୍ଷିଣ ଆଫ୍ରିକା-ଆମେରିକା ଏବଂ ପୋଲାଣ୍ଡ୍‌-ଉଜ୍‌ବେକିସ୍ତାନ ମଧ୍ୟ ମୁକାବିଲାରେ ଅବତୀର୍ଣ୍ଣ ହେବେ। ପୁଲ୍‌ ‘ଏ’ରେ ଭ‌ାରତ ଏବଂ ରୁଷିଆ ସହିତ ଉଜ୍‌ବେକିସ୍ତାନ (୪୩ତମ ମାନ୍ୟତା) ଓ ପୋଲାଣ୍ଡ୍‌ ରହିଛି। ପୁଲ୍‌ ‘ବି’ରେ ଦକ୍ଷିଣ ଆଫ୍ରିକା (୧୬ତମ), ଏସୀୟ ସ୍ବର୍ଣ୍ଣ ବିଜୟୀ ଜାପାନ (୧୮ତମ), ଆମେରିକା (୨୫ତମ) ଏବଂ ମେକ୍ସିକୋ (୩୯ତମ) ସ୍ଥାନ ପାଇଛନ୍ତି। ଭାରତ ନିଜର ପରବର୍ତୀ ମ୍ୟାଚ୍‌ଗୁଡିକ ଜୁନ୍‌ ୭ (ବନାମ‌ ପୋଲାଣ୍ଡ୍‌) ଏବଂ ଜୁନ୍‌ ୧୦ରେ (ବନାମ ଉଜବେକିସ୍ତାନ) ଖେଳିବ। ପ୍ରତିଯୋଗିତାର ଶ୍ରେଷ୍ଠ ଦୁଇ ଦଳ ଜୁନ୍‌ ୧୫ ତାରିଖରେ ଫାଇନାଲ୍ ଖେଳିବେ। ଏହି ପ୍ରତିଯୋଗିତାକୁ ଅନ୍ୟତମ ଅଲିମ୍ପିକ୍ କ୍ବାଲିଫାୟାର୍ ଭାବେ ବିବେଚନା କରାଯାଉଛି। ଭାରତୀୟ ଦଳର ନବ ନିଯୁକ୍ତ ପ୍ରଶିକ୍ଷକ ଗ୍ରାହାମ୍ ରିଡ୍‌ଙ୍କ ପାଇଁ ଏହା ପ୍ରଥମ ଦାୟିତ୍ବ ହେବ।
ଅନ୍ୟପକ୍ଷରେ ଭାରତୀୟ ମହିଳା ହକି ଦଳ ମଧ୍ୟ ସମାନ ସମୟରେ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ଲାଗି ଏଫ୍‌ଆଇଏଚ୍‌ ସିରିଜ୍‌ ଫାଇନାଲ୍ସରେ ଖେଳିବ। ଏହି ପ୍ରତିଯୋଗିତା ଜୁନ୍‌ ୧୫ରୁ ୨୩ ତାରିଖ ପର୍ଯ୍ୟନ୍ତ ଜାପାନର ହିରୋସୀମାରେ ଖେଳାଯିବ। ପୁଲ୍‌ ‘ଏ’ରେ ଭାରତ ସହିତ ପୋଲାଣ୍ଡ୍‌, ଫିଜି, ଉରୁଗୁଏ ରହିଛନ୍ତି। ପୁରୁଷଙ୍କ ଭଳି ଭାରତୀୟ ମହିଳାମାନେ ମଧ୍ୟ ନିଜ ପୁଲ୍‌ରେ ଉଚ୍ଚମାନ୍ୟତା ପ୍ରାପ୍ତ ଦଳ (ନବମ) ରହିଛି। ଏଫ୍‌ଆଇଏଚ୍‌ ସିରିଜ୍‌ ଫାଇନାଲ୍‌ସର ଶୀର୍ଷ ଦୁଇ ଦେଶ ଅକ୍ଟୋବର ଓ ନଭେମ୍ବରରେ ଖେଳାଯିବାକୁ ଥିବା ଏଫ୍‌ଆଇଏଚ୍‌ ଅଲିମ୍ପିକ୍ସ କ୍ବାଲିଫାୟାର୍‌ରେ ଖେଳିବେ। ଏହା କେଉଁଠାରେ ଖେଳାଯିବ ଧାର୍ଯ୍ୟ ହୋଇନାହିଁ।

ସମ୍ବନ୍ଧିତ ଖବର