ଭୁବନେଶ୍ୱର ‌ଦେଶର ପ୍ରମୁଖ କ୍ରୀଡ଼ା କେନ୍ଦ୍ର: ଭାଲ୍‌ସନ୍

ଭୁବନେଶ୍ୱର: ୫୮ତମ ଜାତୀୟ ଓପନ୍ ଦୌଡ଼କୁଦ ପ୍ରତିଯୋଗିତାର ସମାପିତ ହୋଇଛି। ଏହାର ସଫଳ ଆୟୋଜନକୁ ନେଇ ଭାରତୀୟ ଦୌଡ଼କୁଦ ସଂଘର ସମ୍ପାଦକ ସିକେ ଭାଲ୍‌ସନ୍ ସନ୍ତୋଷ ପ୍ରକାଶ କରିଛନ୍ତି। ‘ସବୁକିଛି ଠିକ୍ ଠାକ୍ ଚାଲିଲା। ଏକାଧିକ ଜାତୀୟ ଏବଂ ମିଟ୍ ରେକର୍ଡ ବି ଏଠାରେ ପ୍ରତିଷ୍ଠା ହୋଇଛି। ଏହା ପ୍ରମାଣିତ କରୁଛି ପ୍ରତିଯୋଗିତା ଭଲ ଭାବରେ ପରିଚାଳିତ ହୋଇଛି। ଖାଦ୍ୟ, ରହିବା, ପ୍ରତିଯୋଗିତା ସୁବିଧା ସୁଯୋଗ ଆଦିରେ ସମସ୍ତ ଖେଳାଳି ସନ୍ତୋଷ ପ୍ରକାଶ କରିଛନ୍ତି’ ବୋଲି ଭାଲସନ୍ ଶୁକ୍ରବାର ‘ସମ୍ବାଦ’ ସହିତ କଥା ହେବାବେଳେ ପ୍ରକାଶ କରିଥିଲେ। ଜାକର୍ତା ଏସୀୟ କ୍ରୀଡ଼ାରେ ଭାଗନେବା ସହିତ ଏହା ପୂର୍ବରୁ ଏକାଧିକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବାରୁ ବହୁ ପ୍ରମୁଖ ଖେଳାଳି କ୍ଲାନ୍ତ ଥିଲେ। ଆହତ ସମସ୍ୟାରେ ପଡ଼ିବାର ଆଶଙ୍କା ଥିବାରୁ ଭାରତୀୟ ଦୌଡ଼କୁଦ ସଂଘ ସେମାନଙ୍କୁ ନିମନ୍ତ୍ରଣ କରିନଥିଲା। ସେମାନେ ଭୁବନେଶ୍ବର ଆସି ନ ପାରିବା ସ‌େତ୍ତ୍ବ ପ୍ରତିଯୋଗିତା ଏହାର ଗୁରୁତ୍ବ କି ଆକ‌ର୍ଷଣ ହରାଇ ନଥିଲା ବୋଲି କହିଥିଲେ ଭାଲସନ୍। ଲଗାତାର ବର୍ଷ ଏସୀୟ ଦୌଡ଼କୁଦ ଏବଂ ଜାତୀୟ ଦୌଡ଼କୁଦ ପ୍ରତିଯୋଗିତାକୁ ଓଡ଼ିଶା ସରକାର ସଫଳତାର ସହ ଆୟୋଜନ କରିଥିବାରୁ ସେ ସାବାସୀ ଜଣାଇଥିଲେ। ଭୁବନେଶ୍ବରକୁ ଆମେ ଦେଶର ପ୍ରମୁଖ ଖେଳ କେନ୍ଦ୍ର କରିବାକୁ ଚାହୁଁଛୁ। ଏଠାରେ ଭବିଷ୍ୟତରେ ଯେ କୌଣସିର ପ୍ରତିଯୋଗିତା ଆୟୋଜନ ଲାଗି ପ୍ରସ୍ତାବ ଆସିଲେ ଆମେ ପ୍ରସ୍ତୁତ ଅଛୁ। ଏଠାରେ ଯେତେ ଅଧିକରୁ ଅଧିକ ପ୍ରତିଯୋଗିତା ହେବ ଭଲ। ବରି‌ଷ୍ଠ ବର୍ଗର ପ୍ରତିଯୋଗିତା ଶେଷ ହେବା ପରେ କନିଷ୍ଠ ବର୍ଗର ଜାତୀୟ ପ୍ରତିଯୋଗିତା ହେଲେ ଭଲ। ଏଥିରେ ଅଧିକରୁ ଅଧିକ ପିଲା ଭାଗନେବେ ଏବଂ ଅନ୍ୟମାନଙ୍କୁ ଏହା ମଧ୍ୟ ଆକର୍ଷିତ କରିବା ଦ୍ବାରା ଅଧିକ ଯୁବବର୍ଗର ପିଲା ଖେଳକୁ ଆସିପାରିବେ। ଭୁବନେଶ୍ବରରେ କିଛି ବି ଅଭାବ ଅସୁବିଧା ନାହିଁ ବୋଲି ଭାଲସନ୍ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର