ଭୁବନେଶ୍ୱର ହକି ବିଶ୍ୱକପ୍‌ରେ ବଣ୍ଟାହେବ ମଦ

ନୂଆଦିଲ୍ଲୀ: ଚଳିତ ବର୍ଷ ନଭେମ୍ବର ୨୮ରୁ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ହକି ବିଶ୍ୱକପ୍‌ ବେଳେ ବଛା ବଛା ଅତିଥିଙ୍କୁ ମଦ ବଣ୍ଟାଯିବ। ବାହାରୁ ଆସୁଥିବା ଭିଭିଆଇପିଙ୍କୁ କଳିଙ୍ଗ ଷ୍ଟାଡିୟମର କିଛି ନିର୍ଦିଷ୍ଟ ଅଞ୍ଚଳରେ ମଦ୍ୟ ସେବନ କରିବାର ସୁଯୋଗ ମିଳିବ। ଏଭଳି ଏକ ବିବାଦୀୟ ପଦକ୍ଷେପ ରାଜ୍ୟ କ୍ରୀଡ଼ା ବିଭାଗ ନେଇଛି। ହେଲେ ଏହି ବିତର୍କିତ ପଦକ୍ଷେପ ଏବେ ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଏଥିଲାଗି ଲାଇସେନ୍ସ ପ୍ରଦାନ କରିବା ଲାଗି କିନ୍ତୁ କ୍ରୀଡ଼ା ସଚିବ ବିଶାଲ ଦେବ ଚଳିତ ମାସ ୩ ତାରିଖରେ ଅବକାରୀ କମିସନରଙ୍କୁ ପତ୍ର ଲେଖି ସାରିଛନ୍ତି। ଅନ୍ତର୍ଜାତୀୟ ହକି ମହାସଂଘ (ଏଫଆଇଏଚ୍‌) ଓ ଅଂଶଗ୍ରହଣକାରୀ ହକି ମହାସଂଘର ଅଧିକାରୀ ଏବଂ ପ୍ରତିନିଧି ମଣ୍ଡଳି ପାଇଁ କଳିଙ୍ଗ ଷ୍ଟାଡିୟମ୍‌ ଭିଆଇପି ଲାଉଞ୍ଜରେ ମଦ ଏବଂ ବିଅର ପରିବେଷଣ କରାଯିବ। ସେଥିପାଇଁ କ୍ରୀଡ଼ା ଓ ଯୁବସେବା ବିଭାଗ ନାଁରେ ନଭେମ୍ବର ୨୭ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଲାଇସେନ୍ସ ମଞ୍ଜୁର କରିବା ଲାଗି ଅନୁରୋଧ କରାଯାଉଛି ବୋଲି ଶ୍ରୀ ଦେବ ତାଙ୍କ ପତ୍ରରେ ଉଲ୍ଲେଖ କରିଥିବା ଜଣା ପଡ଼ିଛି। ଶ୍ରୀ ଦେବ ପତ୍ର ଲେଖିଥିବା ସ୍ୱୀକାର କରିବା ସହ ବଡ଼ ବଡ଼ ଅନ୍ତର୍ଜାତୀୟ ପ୍ରତିଯୋଗିତା ବେଳେ ମଦ ପରିବେଷଣ କରାଯିବା ନୂଆ କଥା ନୁହେଁ ବୋଲି କହିଛନ୍ତି। ତେବେ କେବଳ ନିର୍ଦିଷ୍ଟ ଅଞ୍ଚଳରେ ଏଫଆଇଏଚ୍‌ ଏବଂ ଅଂଶଗ୍ରହଣକାରୀ ଦଳର ପ୍ରତିନିଧିଙ୍କୁ ବିଅର ଏବଂ ଓ୍ଵାଇନ୍‌ ଦିଆଯିବ ବୋଲି ସେ ସ୍ପଷ୍ଟ କରି ଦେଇଛନ୍ତି। ବୃହତ୍‌ ପ୍ରତିଯୋଗିତା ବେଳେ ମଦ ପରିବଷେଣ ହେବା ନୂଆ କଥା ନୁହେଁ। ସବୁ ଖେଳର ବିଶ୍ୱକପ ବେଳେ କିଛି ନିର୍ଦିଷ୍ଟ ଅଞ୍ଚଳରେ ଏହାର ପରିବେଷ କରାଯାଇଥାଏ। ଆୟୋଜକ ଭାବେ ରାଜ୍ୟ ସରକାର କେବଳ ଲାଇସେନ୍ସ ପାଇଁ ଆବେଦନ କରିଛନ୍ତି। ଏହାକୁ ଆୟୋଜକ ମହାସଂଘ ହକି ଇଣ୍ଡିଆର ବେଭେରେଜ୍‌ ପାର୍ଟନର ପ୍ରାୟୋଜନ କରିବ। ରାଜ୍ୟ ସରକାର ଏଥିଲାଗି କୌଣସି ଅର୍ଥ ବ୍ୟୟ କରିବେ ନାହିଁ। ଏଫଆଇଏଚ୍‌ ସଭାପତି ନରିନ୍ଦର ବାତ୍ରା ମଧ୍ୟ ଶ୍ରୀ ଦେବଙ୍କ ସହ ଏକମତ ହୋଇଛନ୍ତି। ମାମଲାକୁ ଅଯଥାରେ ବିବାଦୀୟ କରନ୍ତୁ ନାହିଁ। ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ବଛା ବଛା ଅତିଥିଙ୍କୁ ଓ୍ଵାଇନ୍‌ ଏବଂ ବିଅର ସେବନ କରିବାକୁ ଦିଆ ଯାଇଥାଏ। ଅବଶ୍ୟ ଏହି ବିଷୟରେ ମୋ ପାଖରେ ଅଧିକ ତଥ୍ୟ ନାହିଁ। ତେବେ ଏହା ଏକ ନୂଆ ପରମ୍ପରା ନୁହେଁ। କ୍ରିକେଟ୍‌ ବିଶ୍ୱକପ୍‌, ଆଇପିଏଲ୍‌ ବେଳେ ମଧ୍ୟ ଅବକାରୀ ନିୟମ ଅନୁସାରେ କିଛି ସ୍ୱତନ୍ତ୍ର ଓ ନିର୍ଦିଷ୍ଟ ଅତିଥିଙ୍କୁ ମଦ ପରିବେଷଣ କରାଯାଇଥାଏ।

ସମ୍ବନ୍ଧିତ ଖବର