ଡିକ୍ସନଙ୍କ ହୃଦୟରେ ଭୁବନେଶ୍ବର

ଭୁବନେଶ୍ବର: ଇଂଲିସ୍ ହକି ତାରକା ଆଡାମ ଡିକ୍ସନ ହକି ଇଣ୍ଡିଆ ଲିଗ୍‌ର ଏକାଧିକ ଋତୁରେ ସ୍ଥାନୀୟ ଦଳ କଳିଙ୍ଗ ଲାନସର୍ସର ପ୍ରତିନିଧିତ୍ବ କରିଥିଲେ। ସେହି କାରଣରୁ ସେ ଭୁବନେଶ୍ବରରେ ଏକପ୍ରକାର ଲୋକାଲ ହିରୋ ପାଲଟି ଯାଇଥିଲେ। ଚତୁର୍ଦଶ ପୁରୁଷ ହକି ବିଶ୍ବକପ୍ ଲାଗି ଇଂଲଣ୍ଡ ଦଳ ଶୁକ୍ରବାର ବିଳମ୍ବିତ ରାତିରେ ଭୁବନେଶ୍ବର ପହଞ୍ଚିବା ପରେ ଡିକ୍ସନ୍ ହିଁ ସବୁଠାରୁ ବେଶୀ ଉତ୍ସାହିତ ଅଛନ୍ତି। ତୃତୀୟ ଥର ପାଇଁ ବିଶ୍ବକପ୍ ଖେଳିବାକୁ ଯାଉଥିବା ଡିକ୍ସନ୍ ଭୁବନେଶ୍ବର ଫେରିବାର ଉତ୍ସାହକୁ ବର୍ଣ୍ଣନା କରିବାକୁ ଯାଇ କହିଛନ୍ତି ଯେ ମୋ ପାଇଁ ବିଶ୍ବକପ୍ ଏକ ଲମ୍ବା ଯାତ୍ରା। ନୂଆଦିଲ୍ଲୀରେ ୨୦୧୦‌ରେ ମୁଁ ପ୍ରଥମ ବିଶ୍ବକପ୍ ଖେଳିଥିଲି। କଳିଙ୍ଗ ଲାନସର୍ସ ଅଭିଜ୍ଞତା ପାଇଁ ମୋ ହୃଦୟରେ ଭୁବନେଶ୍ବର ପାଇଁ ସ୍ବତନ୍ତ୍ର ସ୍ଥାନ ରହିଛି। ଏଠାରେ ମୁଁ ଚାମ୍ପିଅନ୍ସ ଟ୍ରଫି ଏବଂ ବିଶ୍ବ ହକି ଲିଗ୍ ଫାଇନାଲ୍ ମଧ୍ୟ ଖେଳିଥିଲି। ବିଶ୍ବକପ୍ ପାଇଁ ଇଂଲଣ୍ଡର ପ୍ରସ୍ତୁତି ବିଷୟରେ ସୂଚନା ଦେବାକୁ ଯାଇ ସେ ମତ ରଖିଛନ୍ତି ଯେ ଆମ ଦଳରେ ଅନେକ ଅଭିଜ୍ଞ ଖେଳାଳି ଅଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ୧୦୦ରୁ ଅଧିକ ମ୍ୟାଚ୍ ଖେଳିଛନ୍ତି। କେତେକ ପ୍ରତିଭାବାନ ନୂଆ ଖେଳାଳି ମଧ୍ୟ ଆମ ପାଖରେ ଅଛନ୍ତି। ଦଳର ଅଧାରୁ ଅଧିକ ଖେଳାଳିଙ୍କର ଭୁବନେଶ୍ବରରେ ଖେଳିବାର ଅଭିଜ୍ଞତା ରହିଛି। ସତ କହିବାକୁ ଗଲେ ଏହା ମୋର ଶେଷ ବିଶ୍ବକପ୍। ଗତ ଦୁଇ ଥର ବିଶ୍ବକପ୍ ଧରି ପାରି ନଥିବାରୁ ଏଥର ମୁଁ ଏହି ଆଶା ପୂରଣ କରିବା ଲକ୍ଷ୍ୟରେ ରହିବି।

ସମ୍ବନ୍ଧିତ ଖବର