ଭୁବନେଶ୍ୱର: ଭୁବନେଶ୍ୱର ଜିଲ୍ଲା ବ୍ୟାଡ୍ମିଣ୍ଟନ୍ ସଂଘ (ବିଡିବିଏ) ପକ୍ଷରୁ ଆୟୋଜିତ ପ୍ରଥମ ଭୁବନେଶ୍ୱର ମିଡ଼ିଆ କପ୍ ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତାରେ ଲେନିନ ମଲ୍ଲିକ ଓ ଲିଙ୍ଗରାଜ ଲେଙ୍କା ଯୋଡ଼ି ବିଜେତା ଆଖ୍ୟା ଅର୍ଜନ କରିଛନ୍ତି। ଶନିବାରର ଫାଇନାଲରେ ସିଏସ୍ ବାବୁ ଓ ପିକେ ପାତ୍ରଙ୍କୁ ୨-୦ ସେଟ୍ରେ ପରାସ୍ତ କରି ଉଭୟ ପ୍ରତିଯୋଗିତାର ପ୍ରଥମ ବିଜେତା ହୋଇଛନ୍ତି। ସ୍ଥାନୀୟ ୟୁନିଟ-୧ ସ୍ଥିତ ଇଣ୍ଡୋର ହଲ୍ରେ ଆୟୋଜିତ ଏହି ପ୍ରତିଯୋଗିତାରେ ୪୨ ଜଣ ଗଣମାଧ୍ୟମ ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ବରିଷ୍ଠ ସାମ୍ବାଦିକ କେ ରବି ଓ ମନୋରଂଜନ ମିଶ୍ର ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ୨୧ ଯୋଡ଼ି ଭିତରୁ ପ୍ରଥମେ ସେମିଫାଇନାଲିଷ୍ଟ ଓ ସେଥିରୁ ଫାଇନାଲିଷ୍ଟ ବଛା ଯାଇଥିଲା। ସେମିଫାଇନାଲରେ ଲେନିନ-ଲିଙ୍ଗରାଜ ଯୋଡ଼ି ବିକେ ସାହୁ-ସିକେ ନାୟକଙ୍କୁ ପରାସ୍ତ କରିଥିବା ବେଳେ ସିଏସ ଦାସ ଓ ନିର୍ଦ୍ଦେଶ କୁମାରଙ୍କୁ ପରାସ୍ତ କରି ସିଏସ ବାବୁ ଓ ପିକେ ପାତ୍ରଙ୍କ ଯୋଡ଼ି ଫାଇନାଲ୍କୁ ଯାଇଥିଲେ। ଶେଷରେ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ପ୍ରଦାନ କରାଯିବା ସହ ମ୍ୟାଚ୍ରେ ଅଂଶଗ୍ରହଣ କରିଥିବା ସମସ୍ତ ଖେଳାଳିଙ୍କୁ ମୋମେଣ୍ଟୋ ପ୍ରଦାନ କରାଯାଇଥିଲା। ଏହି ଅବସରରେ ବରିଷ୍ଠ ସାମ୍ବାଦିକ ଭକ୍ତ ତ୍ରିପାଠୀ, ଭୁବନେଶ୍ୱର ଜିଲ୍ଲା ବ୍ୟାଡ୍ମିଣ୍ଟନ ସଂଘର ସଭାପତି ଚଣ୍ଡୀ ପ୍ରସାଦ ଦାସ, ସମ୍ପାଦକ ସନ୍ତୋଷ ଚୌଧୁରୀ, ବିବେକାନନ୍ଦ ମିଶ୍ର ଓ ବିକ୍ରମ କେଶରୀ ମହାନ୍ତି ଉପସ୍ଥିତ ଥିଲେ। ମନୋଜ କୁମାର, ରଶ୍ମୀକାନ୍ତ ଭୂୟାଁ, ଡି ଶୁଭକାନ୍ତ ମହାନ୍ତି, ନଇମୁଦ୍ଦିନ ଖାନ, ଜ୍ଞାନ ଚାନ୍ଦ, ଅଜିତ ମହାନ୍ତି ଓ ରଶ୍ମି ମ୍ୟାଚ୍ ପରିଚାଳନା କରିଥିଲେ। ଅନୁଷ୍ଠାନର ଉପସଭାପତି ଶକ୍ତିରଂଜନ ସ୍ୱାଇଁ, ଯୁଗ୍ମ ସମ୍ପାଦକ ଦୀପ୍ତି ପ୍ରକାଶ ସୁବୁଦ୍ଧି, କୋଷାଧ୍ୟକ୍ଷ ଶ୍ରୀମନ୍ତ ମିଶ୍ର, ସତୀର୍ଥ ନାୟକ ଓ ପୃଥ୍ୱୀବଲ୍ଲଭ ପଟ୍ଟନାୟକ ପ୍ରମୁଖ ପ୍ରତିଯୋଗିତାର ସଫଳ ଆୟୋଜନରେ ପ୍ରମୁଖ ଭୂମିକା ତୁଲାଇଥିଲେ।