ଭୁବନେଶ୍ୱର ନୂଆ ଫୁଟ୍‌ବଲ୍‌ କେନ୍ଦ୍ର

ଭୁବନେଶ୍ୱର: ଆଇଏସ୍‌ଏଲ୍‌ ପରେ ସୁପର୍‌ କପ୍‌ ଆୟୋଜନ ଅଧିକାର ମିଳିବା ପରେ ରାଜଧାନୀ ଭୁବନେଶ୍ୱର ଏବେ ଫୁଟ୍‌ବଲ୍‌ର ନୂଆ ପ୍ରାଣକେନ୍ଦ୍ର ପାଲଟିବାକୁ ଯାଉଛି। ଏହା କହିଛି ସର୍ବଭାରତୀୟ ଫୁଟ୍‌ବଲ୍‌ ସଂଘ (ଏଆଇଏଫ୍‌ଏଫ୍‌)। ସଂଘର ସାଧାରଣ ସମ୍ପାଦକ କୁସଲ ଦାସଙ୍କ କହିବା ଅନୁସାରେ ସୁପର୍‌ କପ୍‌କୁ ସ୍ୱଳ୍ପ ସମୟ ମଧ୍ୟରେ ଓଡ଼ିଶା ସରକାରଙ୍କ ସମର୍ଥନ ନେଇ ଆମେ ବହୁତ ଖୁସୀ। ଏହି କାରଣରୁ ଆମେ ଭୁବନେଶ୍ୱରକୁ ଭେନ୍ୟୁ ଭାବେ ଚୂଡାନ୍ତ କରିଛୁ। କଳିଙ୍ଗ ଷ୍ଟାଡିୟମ୍‌ରେ ଗତ ମାସରେ ଜାମସେଦପୁର ଏଫ୍‌ସିର ଆଇଏସ୍‌ଏଲ୍‌ ମ୍ୟାଚ୍‌ ବେଳେ ଦର୍ଶକଙ୍କ ଉତ୍ସାହ ଆମକୁ ଉଲ୍ଲସିତ କରିଥିଲା। ହିନ୍ଦୀ ଗଡ଼ ଅଞ୍ଚଳରେ ଏହା ଏକ ପ୍ରମୁଖ କେନ୍ଦ୍ର ହୋଇପାରିଛି। ଏହା ମଧ୍ୟ ଭୁବନେଶ୍ୱରକୁ ଏକ ନୂଆ ଫୁଟ୍‌ବଲ୍‌ କେନ୍ଦ୍ର ଭାବେ ପ୍ରତିଷ୍ଠିତ କରାଇବାର ସୁଯୋଗ ଆଣିଛି ବୋଲି କୁସଲ ଦାସ ପ୍ରକାଶ କରିଛନ୍ତି। ଶ୍ରୀ ଦାସଙ୍କ ଏହି ମନ୍ତବ୍ୟ ପରେ ଭୁବନେଶ୍ୱରକୁ ବିରୋଧ କରୁଥିବା ଏକ ଗୋଷ୍ଠୀଙ୍କ ଲାଗି ପାଲଟା ଉତ୍ତର ମିଳିଯାଇଛି। ସୂଚନାଯୋଗ୍ୟ, ସୁପର୍‌ କପ୍‌ର ଯୋଗ୍ୟତା ପର୍ଯ୍ୟାୟ କଳିଙ୍ଗ ଷ୍ଟାଡିୟମ୍‌ରେ ମାର୍ଚ ୧୫ ଓ ୧୬ ତାରିଖରେ ଖେଳାଯିବା ପରେ ୩୧ ତାରିଖରୁ ୧୬ ଦଳକୁ ଚୂଡାନ୍ତ ପର୍ଯ୍ୟାୟ ଆରମ୍ଭ ହେବ। ଯୋଗ୍ୟତା ପର୍ଯ୍ୟାୟରେ ୧୫ ତାରିଖରେ ଦିଲ୍ଲୀ ଡାଇନାମସ-ଚର୍ଚିସ ବ୍ରଦର୍ସ (ଅପରାହ୍‌ଣ ୫ଟା) ଏବଂ ନର୍ଥ ଇଷ୍ଟ୍‍ ୟୁନାଇଟେଡ୍‌-ଗୋକୁଳମ କେରଳ ଏଫ୍‌ସି (ରାତି ୮ଟା) ଏବଂ ମାର୍ଚ ୧୬ରେ ମୁମ୍ବାଇ ସିଟି-ଇଣ୍ଡିଆନ ଆରୋଜ୍‌ (ଅପରାହ୍‌ଣ ୫ଟା) ଓ ଏଟିକେ-ଚେନ୍ନାଇ ସିଟି ଏଫ୍‌ସି (ରାତି ୮ଟା) ଖେଳାଯିବ। ମୁଖ୍ୟ ପ୍ରତିଯୋଗିତା ମାର୍ଚ ୩୧ରୁ ଏପ୍ରିଲ୍‌ ୨୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହାର ଖେଳସୂଚୀ ପରେ ପ୍ରକାଶିତ ହେବ।

ସମ୍ବନ୍ଧିତ ଖବର