ରାଞ୍ଚି: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦିନିକିଆ ଶୃଙ୍ଖଳାର ତୃତୀୟ ମ୍ୟାଚ୍ ଶୁକ୍ରବାର ଖେଳାଯିବ। ମହେନ୍ଦ୍ର ସିଂହ ଧୋନିଙ୍କ ସହର ରାଞ୍ଚିର ଝାଡ଼ଖଣ୍ଡ କ୍ରିକେଟ୍ ସଂଘ ପଡିଆରେ ଏହି ମ୍ୟାଚ୍ ଖେଳାଯିବାକୁ ଥିବାବେଳେ ଭାରତ ୩-୦ରେ ଆଗୁଆ ଶୃଙ୍ଖଳା ବିଜୟ ନେଇ ଆଶାବାଦୀ ରହିଛି। ବିଶ୍ବକପ୍ ପୂର୍ବର ଏହି ଶେଷ ଦିନିକିଆ ପରୀକ୍ଷାରେ ସଫଳ ହୋଇ ଭାରତ ଆଉ କିଛି ପରୀକ୍ଷା ନିରୀକ୍ଷା କରିବା ଯୋଜନାରେ ମଧ୍ୟ ରହିବ। ବିଶେଷ କରି ରାଞ୍ଚିରେ ୩-୦ ସମ୍ଭବ ହେଲେ ଲୋକେଶ ରାହୁଲ ଏବଂ ଋଷବ ପନ୍ତ୍ଙ୍କୁ ଅବଶିଷ୍ଟ ୨ ମ୍ୟାଚ୍ରେ ସୁଯୋଗ ଦିଆଯିବା ନିଶ୍ଚିତ। ଭାରତ ପାଇଁ ଶିଖର ଧାୱନଙ୍କ ଫର୍ମ ଏବଂ ଅମ୍ବାତି ରାୟୁଡୁଙ୍କୁ କେଉଁଠି ଖେଳାଯିବ ସେ ନେଇ ଚିନ୍ତା ବଢ଼ିଛି। ବିଜୟ ଶଙ୍କରଙ୍କୁ ୪ ନମ୍ବରରେ ବିଶ୍ବକପ୍ ସୁଯୋଗ ଦେବା ଭଳି ଅନେକ ଅସମାହିତ ପ୍ରଶ୍ନର ଉତ୍ତର ଦେବ ଚଳିତ ଶୃଙ୍ଖଳାର ଶେଷ ୩ ମ୍ୟାଚ୍। ଭାରତକୁ ଅଷ୍ଟ୍ରେଲିଆ ପ୍ରଥମ ୨ ମ୍ୟାଚ୍ରେ ସହଜରେ ବାଟ ଛାଡ଼ିନାହିଁ। ହାଇଦ୍ରାବାଦରେ ଭାରତ ୨୩୭ ରନ୍କୁ ପିଛା କରି ୯୯/୪ରେ ସଂଘର୍ଷ କରିଥିଲା। ଧୋନି-କେଦାର ବଞ୍ଚାଇଥିଲେ। ନାଗପୁରରେ ଅଷ୍ଟ୍ରେଲିଆ ୨୫୧ ରନ୍କୁ ପିଛା କରି ବିଜୟ ଆଡ଼କୁ ଅଗ୍ରସର ହେଉଥିଲେ ମଧ୍ୟ ବୋଲର କରାଇ ଦେଇନଥିଲେ। ଭାରତ ପାଇଁ ସବୁଠାରୁ ଭଲ କଥା ହେଉଛି ସ୍ବଳ୍ପ ସ୍କୋର୍ ବିଶିଷ୍ଟ ଏହି ଦୁଇ ମ୍ୟାଚ୍ରେ ଭାରତ ଥରେ ପଶ୍ଚାତଧାବନ କରି ଏବଂ ଅନ୍ୟଥର ଆଗ ବ୍ୟାଟିଂ କରି ରନ୍କୁ ସୁରକ୍ଷିତ ରଖି ବିଜୟ ହାସଲ କରିଛି। ଶେଷ ୩ ମ୍ୟାଚ୍ ଲାଗି ଭାରତୀୟ ଦଳକୁ ଫେରିଥିବା ଭୁବନେଶ୍ବର କୁମାର ବି କୋହଲିଙ୍କ ପାଇଁ ଆତ୍ମବିଶ୍ବାସକୁ ଉଚ୍ଚା କରିଛି। ଯଶପ୍ରୀତ୍ ବୁମରା କିମ୍ବା ମହମ୍ମଦ ସାମିଙ୍କ ବଦଳରେ ଏହି ଅଲ୍ରାଉଣ୍ଡରଙ୍କୁ ଶୁକ୍ରବାର ସୁଯୋଗ ମିଳିପାରେ।
ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ପାଇଁ ଅଧିନାୟକ ଆରୋନ୍ ଫିଞ୍ଚ୍ ଫର୍ମକୁ ଫେରିବାର ସୂଚନା ଦେଇଥିବାରୁ ଗୋଟିଏ ସମସ୍ୟା ତ ନିଶ୍ଚିତ ଦୂର ହୋଇଛି। କିନ୍ତୁ ମଧ୍ୟ ଓଭର ଗୁଡ଼ିକରେ ଭାରତୀୟ ସ୍ପିନରଙ୍କ ବିପକ୍ଷରେ ଷ୍ଟ୍ରାଇକ୍ ରୋଟେଟ୍ ନ କଲେ ଭ୍ରମଣକାରୀ ଦଳ ସଫଳ ହେବା ଅସମ୍ଭବ। ଶୁକ୍ରବାର ମ୍ୟାଚ୍ରେ ଗତବର୍ଷ ଦେଶର ଶ୍ରେଷ୍ଠ ଦିନିକିଆ ବ୍ୟାଟସମ୍ୟାନ୍ ବିବେଚିତ ସନ୍ ମାର୍ସଙ୍କ ସହିତ ପିଟର୍ ହ୍ୟାଣ୍ଡସ୍କମ୍ଭ୍ ନିର୍ଣ୍ଣାୟକ ହେବେ। ଗତ ମ୍ୟାଚ୍ରେ ବିରଳ ସୁଯୋଗ ଭାବେ ପ୍ୟାଟ୍ କମିନ୍ସ ନୂଆ ବଲରେ ବୋଲିଂ ସାଙ୍ଗକୁ ରୋହିତ ଶର୍ମାଙ୍କ ୱିକେଟ୍ ସହିତ ମେଡେନ୍ ଓଭରରୁ ଅଭିଯାନ ଆରମ୍ଭ କରିଥିଲେ। ଘଣ୍ଟାପ୍ରତି ୧୪୫ କିଲୋମିଟର୍ ବେଗରେ ପକାଇବା ସହିତ ସୁଇଙ୍ଗ୍ ଓ ଏଜ୍ ପାଇବାର ଧାରାକୁ ସେ ଜାରି ରଖିଲେ ଭାରତ ପାଇଁ ସମସ୍ୟା ଆଣିପାରନ୍ତି। ଦଳ ପରିବର୍ତନ ଭାବେ ଆହତ ନାଥନ୍ କୁଲଟର୍ ନାଇଲଙ୍କ ବଦଳରେ ଜାସନ୍ ବେହେରନଡର୍ଫ କିମ୍ବା ଝାଏ ରିଚାର୍ଡସନ୍ ଖେଳିବେ। ଯୁଗଳ ସ୍ପିନ୍ ଆକ୍ରମଣ (ଜାମ୍ପା-ଲାୟନ)କୁ କିନ୍ତୁ ଅଷ୍ଟ୍ରେଲିଆ ଅପରିବର୍ତିତ ରଖିବ। ନିଜ ନିଜର ବିଗତ ୫ ମ୍ୟାଚ୍ ଦେଖିଲେ ଭାରତ ୪-୧, ଅଷ୍ଟ୍ରେଲିଆ ୧-୪ ବିଜୟ-ପରାଜୟ ସ୍ଥିତିରେ ରହିଛନ୍ତି। ଅନ୍ୟପକ୍ଷରେ ବିଶ୍ବକପ୍ ପୂର୍ବରୁ ଭାରତ ନିଜର ଶେଷ ଦିନିକିଆ ଶୃଙ୍ଖଳା ଖେଳୁଥିଲେ ମଧ୍ୟ ଅଷ୍ଟ୍ରେଲିଆ କିନ୍ତୁ ୟୁଏଇ ଗସ୍ତ କରି ପାକିସ୍ତାନ ବିପକ୍ଷରେ ଆଉ ଏକ ୫ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳା ଖେଳିବାର ସୁଯୋଗ ରଖିଛି।
ପିଚ୍ ଓ ପରିବେଶ
ରାଞ୍ଚି ପିଚ୍ କ୍ରମେ ମନ୍ଥର ରହିବ ବୋଲି କୁହାଯାଉଛି। କିନ୍ତୁ ସଂଧ୍ୟା ଆଲୋକରେ ବଲ ନିଶ୍ଚିତ ବ୍ୟାଟ୍ରୁ ଖସିବ। ପାଗ କିନ୍ତୁ ଭଲ ରହିବ ବୋଲି ପୂର୍ବାନୁମାନ କରାଯାଇଛି।
ଜମାଦାର ତଥ୍ୟ
ଗତ ମ୍ୟାଚ୍ରେ ମାର୍କସ ଷ୍ଟୋଇନିସ୍ ଦିନିକିଆରେ ସପ୍ତମ ଅର୍ଧଶତକ ହାସଲ କରିଥିଲେ। କିନ୍ତୁ କୌଣସି ଥର ଅଷ୍ଟ୍ରେଲିଆକୁ ଜିତାଇବାରେ ଏହା ସହାୟକ ହୋଇନାହିଁ। ଗତ ଅଷ୍ଟ୍ରେଲିଆ ଗସ୍ତର ଦିନିକିଆ ଶୃଙ୍ଖଳାରେ ୩ ମ୍ୟାଚ୍ରୁ ୩ ଥର ଫିଞ୍ଚ୍ଙ୍କୁ ଆଉଟ୍ କରିଥିଲେ ଭୁବନେଶ୍ବର କୁମାର।
ଭାରତ ସମ୍ଭାବ୍ୟ: ଶିଖର ଧାୱନ, ରୋହିତ ଶର୍ମା, ବିରାଟ କୋହଲି (ଅଧିନାୟକ), ଅମ୍ବାତି ରାୟୁଡୁ, ମହେନ୍ଦ୍ର ସିଂହ ଧୋନି (ୱିକେଟରକ୍ଷକ), କେଦାର ଯାଦବ, ବିଜୟ ଶଙ୍କର, ରବୀନ୍ଦ୍ର ଜାଦେଜା, ମହମ୍ମଦ ସାମି/ଭୁବନେଶ୍ବର କୁମାର, କୁଲଦୀପ ଯାଦବ, ଯଶପ୍ରୀତ୍ ବୁମରା।
ଅଷ୍ଟ୍ରେଲିଆ ସମ୍ଭାବ୍ୟ: ଉସମାନ ଖୱାଜା, ଆରୋନ୍ ଫିଞ୍ଚ୍ (ଅଧିନାୟକ), ସନ୍ ମାର୍ସ, ପିଟର୍ ହ୍ୟାଣ୍ଡସ୍କମ୍ବ, ଗ୍ଲେନ୍ ମ୍ୟାକ୍ସୱେଲ, ମାର୍କସ ଷ୍ଟୋଇନିସ୍, ଆଲେକ୍ସ କ୍ୟାରି (ୱିକେଟରକ୍ଷକ), ନାଥନ୍ କୁଲଟର୍ ନାଇଲ, ପ୍ୟାଟ୍ କମିନ୍ସ, ନାଥନ୍ ଲାୟନ, ଆଦାମ ଜାମ୍ପା।
ନିଜ ସହରରେ ଧୋନିଙ୍କ ଶେଷ ମ୍ୟାଚ୍
ଇଂଲଣ୍ଡ ବିଶ୍ବକପ୍ ପରେ ଭାରତୀୟ କ୍ରିକେଟ୍ ଇତିହାସର ସଫଳତମ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଅବସର ନେବା କଥାକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ସେହି ଦୃଷ୍ଟିରୁ ଦେଖିଲେ ଧୋନି ନିଜ ସହର ରାଞ୍ଚିରେ ଶୁକ୍ରବାର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି। ଧୋନିଙ୍କ ନାମରେ ରାଞ୍ଚିର ଜେଏସସିଏ ଷ୍ଟାଡିୟମ୍ ନାମିତ ହୋଇଛି। ସେହି ଦୃଷ୍ଟିରୁ ଶୁକ୍ରବାର ଧୋନିଙ୍କ ଘରୋଇ ପ୍ରଶଂସକମାନେ ନିଶ୍ଚିତ ତାଙ୍କ ଶେଷ ସହର ମ୍ୟାଚ୍କୁ ଷ୍ଟାଇଲରେ ଶେଷ କରନ୍ତୁ ବୋଲି ଆଶା ରଖିଛନ୍ତି।