ଭୂବିଙ୍କ ଅଭୁଲା ବୋଲିଂ ପରେ ବିପର୍ଯ୍ୟୟ

ପ୍ରଥମ ଦିନ ୧୩ ଓ୍ଵିକେଟ୍‌ ପତନ ଦକ୍ଷିଣ ଆଫ୍ରିକା ୨୮୬: ଭାରତ ୨୮/୩

କେପ୍‌ ଟାଉନ୍‌: ନ୍ୟୁଲାଣ୍ଡ୍‌ସ ପଡ଼ିଆରେ ଭଲରେ ନୂଆବର୍ଷ ଆରମ୍ଭ କରିଥିବା ଭାରତୀୟ କ୍ରିକେଟ୍‌ ଦଳ ଖରାପରେ ଶେଷ କରିଛି। କ୍ରିକେଟ୍‌ କାର୍ଯ୍ୟାଳୟର ପ୍ରଥମ ଦିନରେ ଭୁବନେଶ୍ୱର କୁମାରଙ୍କ ନେତୃତ୍ୱରେ ବୋଲରମାନେ ହୋଇଛନ୍ତି ବିଜେତା। କିନ୍ତୁ ଦ୍ରୁତ ବୋଲରଙ୍କ ଦବଦବାରେ ବିତିଥିବା ପ୍ରଥମ ଦିନ ୧୩ ଓ୍ଵିକେଟ୍‌ ଝଡ଼ିଛି। କିନ୍ତୁ ଉଭୟ ଦଳର ଦ୍ରୁତ ବୋଲର ୧୧ ଓ୍ଵିକେଟ୍‌ ବାଣ୍ଟିଛନ୍ତି। ଭାରତୀୟ ବୋଲିଂ ଯେଭଳି ଫୁଟିଥିଲା, ସେଭଳି ବ୍ୟାଟିଂ ନିରାଶ କରିଛି। ଦକ୍ଷିଣ ଆଫ୍ରିକାର ୨୮୬ ରନ୍‌ ଜବାବରେ ଭାରତ ୨୮ ରନରେ ୩ ଓ୍ଵିକେଟ୍‌ ହରାଇ ବସିଛି।

ସ୍ୱପ୍ନର ଆରମ୍ଭ
ଶୃଙ୍ଖଳାର ତୃତୀୟ ବଲ୍‌ରୁ ଓ୍ଵିକେଟ୍‌ ନେଇ ଅଭିଯାନ ଆରମ୍ଭ କରିଥିବା ଭୁବନେଶ୍ୱର କୁମାର ନିଜର ପରବର୍ତୀ ୨ ଓଭରରେ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ନେଇ ଦକ୍ଷିଣ ଆଫ୍ରିକାକୁ ୧୨/୩ରେ ଭୂମିଷ୍ଠ କରାଇଥିଲେ। ୧୯୯୨-୯୩ରେ କପିଳ ଦେବ ଶୃଙ୍ଖଳାର ପ୍ରଥମ ଟେଷ୍ଟ୍‍ରେ ଜିମି କୁକ୍‌ଙ୍କ ଓ୍ଵିକେଟ୍‌ ନେବା ପରଠାରୁ ବିଦେଶରେ ଏହା ଭାରତର ସବୁଠୁ ସଅଳିଆ ସଫଳତା ଥିଲା। ସେହିଭଳି ୨୦୦୧ ମସିହା ପରେ ଏକ ବିଦେଶ ଶୃଙ୍ଖଳାର ୩ ଓଭରରେ ୩ ଓ୍ଵିକେଟ୍‌ ନେବାରେ ତୃତୀୟ ବୋଲର ହୋଇଥିଲେ। ପୂର୍ବରୁ ୨୦୦୫ରେ ଜିମ୍ବାେଓ୍ଵ ବିପକ୍ଷରେ ନ୍ୟୁଜିଲାଣ୍ଡ୍‌ର ଜେମ୍‌ସ ଫ୍ରାଙ୍କଲିନ୍‌ ଏବଂ ଗତବର୍ଷ ବାଂଲାଦେଶ ବିପକ୍ଷରେ ଅଷ୍ଟ୍ରେଲିଆର ପ୍ୟାଟ୍‌ କମିନସ ଏଭଳି ସଫଳତା ପାଇଥିଲେ। ଦକ୍ଷିଣ ଆଫ୍ରିକା ୧୨/୩ରେ ସଂଘର୍ଷ କରିବା ଭାରତ ପାଇଁ ଏସିଆ ବାହାରେ ଦ୍ୱିତୀୟ ଶ୍ରେଷ୍ଠ। ୨୦୦୬ରେ ଜୋହାନେସ୍‌ବର୍ଗରେ ଦକ୍ଷିଣ ଆଫ୍ରିକାକୁ ଭାରତ ୫/୩ରେ ସଂଘର୍ଷ କରାଇଥିଲା।

ଆମଲାଙ୍କ ସଂଘର୍ଷ
ବିଗତ କିଛି ବର୍ଷ ହେବ ହାସିମ ଆମଲାଙ୍କ ଜାଜୁଲ୍ୟମାନ ଖେଳ ଜୀବନ ଭଲ ବିତି ନାହିଁ। ୨୦୧୬ ଆରମ୍ଭ ବେଳକୁ ୪୬.୬୩ ହାରରେ ରନ୍‌ କରୁଥିବା ହାସିମ୍‌ ଆମଲା (୩) ଶୁକ୍ରବାର ଭୁବନେଶ୍ୱର କୁମାରଙ୍କ ତୃତୀୟ ଶିକାର ହୋଇଥିଲେ। ଏବେ ଉନ୍ନତ ବୋଲିଂ ଆକ୍ରମଣ ରଖୁଥିବା ଦେଶ ବିପକ୍ଷରେ ଏହା ୪୨.୪୪ କୁ ଖସିଯାଇଛି। ୨୦୧୦ରୁ ୨୦୧୪ ମସିହାର ସ୍ୱର୍ଣ୍ଣିମ ଖେଳ ଜୀବନର ୫ ବର୍ଷ ସମୟରେ ଆମଲା ୬୫.୬୨ ହାରରେ ରନ୍‌ ସଂଗ୍ରହ କରୁଥିଲେ।

ଶତକୀୟ ସମ୍ମାନ
ଦକ୍ଷିଣ ଆଫ୍ରିକା ୧୨/୩ରେ ସଂଘର୍ଷ କରିବା ବେଳେ ଘରୋଇ ଦଳକୁ ଅଧିକ ବିପଦରୁ ବାହାର କରିଥିଲେ ପୂର୍ବତନ ଅଧିନାୟକ ଏବି ଡି’ଭିଲିୟର୍ସ (୬୫, ୮୪ ବଲ୍‌, ୧୧ ଚୌକା) ଏବଂ ଅଧିନାୟକ ଫାପ୍‌ ଡୁ ପ୍ଲେସିସ୍‌ (୬୨, ୧୦୪ ବଲ୍‌, ୧୨ ଚୌକା)। ଉଭୟ ଚତୁର୍ଥ ଓ୍ଵିକେଟ୍‌ ପାଇଁ କରିଥିବା ୧୧୪ ରନ୍‌ ଭାଗୀଦାରି ହିଁ ଘରୋଇ ଦଳକୁ ପ୍ରତ୍ୟାବର୍ତନ ବାଟ ଦେଖାଇଥିଲା। ଏବି ଡି’ଭିଲାୟର୍ସ ପ୍ରଥମ ପଦାର୍ପଣ କରିଥିବା ଯଶପ୍ରୀତ ବୁମରାଙ୍କ ଶିକାର ହୋଇଯିବା ପରେ ଦକ୍ଷିଣ ଆଫ୍ରିକା ନିୟମିତ ବ୍ୟବଧାନରେ ଓ୍ଵିକେଟ୍‌ ହରାଇଥିଲେ ମଧ୍ୟ ଉନ୍ନତ ରନ୍‌ ହାର ବଜାୟ ରଖିଥିଲା। କ୍ୟୁଣ୍ଟନ୍‌ ଡି’କକ୍‌ (୪୩, ୪୦ ବଲ୍‌), ଭେର୍ନନ ଫିଲାଣ୍ଡର୍‌ (୨୩, ୩୫ ବଲ୍‌), କେଶବ ମହାରାଜ (୩୫, ୪୭ ବଲ୍‌), କାଗିସୋ ରବାଦା (୨୬, ୬୬ ବଲ୍‌) ପ୍ରମୁଖଙ୍କ ଛୋଟ ଛୋଟ ଅବଦାନ ଦକ୍ଷିଣ ଆଫ୍ରିକାକୁ ୨୮୬ ରନ୍‌ରେ ପହଞ୍ଚାଇ ଦେଇଥିଲା।

ସବୁ ବୋଲର ସଫଳ
ଭାରତର ୫ ଜଣିଆ ବୋଲିଂ ବାହିନୀ ଅନ୍ୟୁନ ଗୋଟିଏ ଓ୍ଵିକେଟ୍‌ ନେବାରେ ସକ୍ଷମ ହୋଇ ଆଫ୍ରିକା ଅଭିଯାନ ଆରମ୍ଭ କରିଛନ୍ତି। ଭୁବନେଶ୍ୱର କୁମାର ସବୁଠୁ ମହଙ୍ଗା (୧୯-୪-୮୭-୪) କିନ୍ତୁ ସଫଳତମ ଥିଲେ। ମହମ୍ମଦ ସାମି, ଯଶପ୍ରୀତ ବୁମରା, ହାର୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ। ଦ୍ରୁତ ବୋଲରଙ୍କ ପ୍ରାଧାନ୍ୟ ଭିତରେ ବିତିଥିବା ପ୍ରଥମ ଦିନରେ ଭାରତୀୟ ସ୍ପିନର୍‌ ରବିଚନ୍ଦ୍ରନ ଅଶ୍ୱିନ୍‌ ଦକ୍ଷିଣ ଆଫ୍ରିକାର ଶେଷ ୨ ଓ୍ଵିକେଟ୍‌ ଅକ୍ତିଆର କରି ନିଜ ଉପସ୍ଥିତି ଜାହିର କରିଥିଲେ।

ଭାରତକୁ ସମଦଶା
କେପ୍‌ ଟାଉନ୍‌ରେ ସକାଳେ ଭାରତୀୟ ବୋଲର ଯେଭଳି ଆରମ୍ଭ କରିଥିଲେ, ସଂଧ୍ୟାରେ ଦକ୍ଷିଣ ଆଫ୍ରିକା ବୋଲର ସେଭଳି ଶେଷ କଲେ। ଦକ୍ଷିଣ ଆଫ୍ରିକାକୁ ୨୮୬ ରନରେ ଶେଷ କରିଦେବା ପରେ ଭାରତୀୟ ବ୍ୟାଟସମ୍ୟାନ୍‌ ମଧ୍ୟ ସମାନ ଦଶା ଭୋଗିଥିଲେ। ମାତ୍ର ୧୧ ଓଭର ଖେଳିବାର ସୁଯୋଗ ପାଇଥିବା ଭାରତୀୟ ଦଳ ୨୮ ରନ୍‌ରେ ୩ ଓ୍ଵିକେଟ୍‌ ହରାଇ ସଫଳ ଦିନକୁ ନିଷ୍ଫଳରେ ଶେଷ କରିଛି। ମୁରଲୀ ବିଜୟଙ୍କୁ ଫିଲାଣ୍ଡର୍‌ ଗଲିରେ ଏଲଗାରଙ୍କ ହାତରେ ଧରାଇ ନେଇଥିଲେ। ଶିଖର ଧାଓ୍ଵନଙ୍କ ଦାୟିତ୍ୱହୀନ ସଟ ବ୍ୟାଟ୍‌ର ଉପର ଧାରରେ ଲାଗି ଡେଲ୍‌ ଷ୍ଟେନ୍‌ଙ୍କୁ ଆକାଶଚୁମ୍ବି ଲେଉଟାଣୀ କ୍ୟାଚ୍‌ ଦେଇଥିଲା। ଉଭୟ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ୪ ବଲ୍‌ ଭିତରେ ଫେରିଥିଲେ। ଶେଷକୁ ନବବିବାହିତ ଅଧିନାୟକ ବିରାଟ କୋହଲିଙ୍କୁ ମର୍ନି ମର୍କେଲ ତାଙ୍କ ପ୍ରଥମ ବଲ୍‌ରେ ଆଉଟ୍‌ କରି ବଡ଼ ଶିକାର କରିଥିଲେ। ଓ୍ଵିକେଟ୍‌ ପଛପଟେ କ୍ୱିଣ୍ଟନ ଡି’କକ୍‌ କ୍ୟାଚ୍‌ ନେବା ପରେ ଦକ୍ଷିଣ ଆଫ୍ରିକା ଶିିବିର ଟେଷ୍ଟ୍‍ ଜିତିଯିବା ଭଳି ଉଲ୍ଲସିତ ହୋଇଉଠିଥିଲା।

ବୁମ୍‌ରାଙ୍କ ଟେଷ୍ଟ୍‍ ପଦାର୍ପଣ

କେପ୍‌ ଟାଉନ୍‌: ଭାରତର ନୂଆ ବର୍ଷ ନୂଆ ଟେଷ୍ଟ୍‍ ଶୃଙ୍ଖଳା ଆରମ୍ଭ ମଧ୍ୟ ନୂଆ ଟେଷ୍ଟ୍‍ ତାରକା ଆବିର୍ଭାବରୁ ହୋଇଛି। ପୂର୍ବ ଆକଳନ ଅନୁସାରେ ଯୁବ ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମରାଙ୍କ ଟେଷ୍ଟ୍‍ ଜୀବନ କେପ୍‌ ଟାଉନ୍‌ରୁ ଆରମ୍ଭ ହୋଇଛି। ଅଭିଜ୍ଞ ଦିଲ୍ଲୀ ଦ୍ରୁତ ବୋଲର ଈଶାନ୍ତ ଶର୍ମାଙ୍କୁ ପଛରେ ପକାଇ ବୁମ୍‌ରା ଟେଷ୍ଟ୍‍ ପଦାର୍ପଣର ସୁଯୋଗ ପାଇଛନ୍ତି। ସେ ବିପଜ୍ଜନକ ବ୍ୟାଟସମ୍ୟାନ୍‌ ଏବି ଡି’ଭିଲିୟର୍ସଙ୍କ ବହୁମୂଲ୍ୟ ଓ୍ଵିକେଟ୍‌ ନେଇ ଭାରତକୁ ପ୍ରତ୍ୟାବର୍ତନ ସୁଯୋଗ ଦେଇଥିଲେ। ଡି’ଭିଲିୟର୍ସଙ୍କ ନିଜ ପ୍ରଥମ ଟେଷ୍ଟ୍‍ ଓ୍ଵିକେଟ୍‌ କରିଥିବାରୁ ମଧ୍ୟ ବୁମରା ଖୁସୀ ଜାହିର୍‌ କରିଛନ୍ତି। ଭାରତ ବୁମରାଙ୍କ ସହିତ ମହମ୍ମଦ ସାମି, ଭୁବନେଶ୍ୱର କୁମାର ଏବଂ ଉମେଶ ଯାଦବଙ୍କୁ ନେଇ ୪ ଜଣିଆ ପେସ୍‌ ଆକ୍ରମଣରେ ପଡ଼ିଆକୁ ଓହ୍ଲାଇଛି। ଅଶ୍ୱିନ୍‌ ଏକମାତ୍ର ସ୍ପିନର୍‌ ରହିଛନ୍ତି। ବ୍ୟାଟିଂରେ ଅଜିଙ୍କ୍ୟ ରାହାଣେଙ୍କୁ ପଛରେ ପକାଇ ଲୟରେ ଥିବା ତାଙ୍କ ମୁମ୍ବାଇ ସାଥୀ ରୋହିତ ଶର୍ମା ଚୂଡାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ମଧ୍ୟ ୪ ଜଣିଆ ଦ୍ରୁତ ବୋଲିଂ ଆକ୍ରମଣ ଏବଂ ଜଣେସ୍ପିନରଙ୍କୁ ନେଇ ଏହି ଟେଷ୍ଟ୍‍ ଖେଳୁଛି।

ସୀମିତ ଓଭରରେ ଭରତର ପ୍ରଥମ ପସନ୍ଦର ବୋଲର ରହିବା ପରେ ବୁମରା ଏବେ କ୍ରିକେଟ୍‌ର ସର୍ବୋଚ୍ଚ ଶ୍ରେଣୀରେ ପ୍ରବେଶ କରିଛନ୍ତି। କିନ୍ତୁ ବର୍ଷେ ହେବ ସେ ଲାଲ୍‌ ବଲ୍‌ରେ ଖେଳିନାହାନ୍ତି। ଶେଷ ଥର ପାଇଁ ସେ ୨୦୧୭ ଜାନୁଆରିରେ ଗୁଜରାଟକୁ ରଣଜୀ ଫାଇନାଲ୍‌ରେ ପହଞ୍ଚାଇବାରେ ସକ୍ଷମ ହୋଇଥିଲେ। ବର୍ତମାନର ଭାରତୀୟ ଦଳରେ ସର୍ବକନିଷ୍ଠ ଖେଳାଳିଭାବେ ୨୪ ବର୍ଷୀୟ ବୁମରା ମଧ୍ୟ ଈଶାନ୍ତ ଶର୍ମାଙ୍କ ୭୭ ଟେଷ୍ଟ୍‍ ଅଭିଜ୍ଞତାକୁ ପଛରେ ପକାଇବାରେ ସକ୍ଷମ ହୋଇଛନ୍ତି। ସୀମିତ ଓଭରରେ ଭାରତର ଶୀର୍ଷ ମାନ୍ୟତା ବୋଲର ବୁମରା ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ୨୬ ମ୍ୟାଚ୍‌ରୁ ୨୫.୩୩ ହାରରେ ୮୯ ଓ୍ଵିକେଟ୍‌ ନେଇଛନ୍ତି। ୬/୨୯ ତାଙ୍କ ଶ୍ରେଷ୍ଠ ବୋଲିଂ ଚିତ୍ର ରହିଛି।

ସମ୍ବନ୍ଧିତ ଖବର