ନୂଆଦିଲ୍ଲୀ : ସର୍ବଭାରତୀୟ ଫୁଟ୍‌ବଲ୍ ମହାସଂଘ (ଏଆଇଏଫ୍‌ଏଫ୍)ର ପରିଚାଳନା ଲାଗି ଗଠିତ ପ୍ରଶାସକ ସମିତି (ସିଓଏ)କୁ ସୁପ୍ରିମକୋର୍ଟ ଭାଙ୍ଗିଦେଇଛନ୍ତି। ଫଳରେ ଭାରତ ଉପରୁ ବିଶ୍ବ ଫୁଟବଲ୍ ମହାସଂଘ ବା ଫିଫା ବାସନ୍ଦାଦେଶ ଉଠାଇ ନେଇଛି। ଏହା ପରେ କିନ୍ତୁ ଫିଫା ନିର୍ଦ୍ଦେଶ ମୁତାବକ ଭାରତୀୟ ଫୁଟ୍‌ବଲ୍‌ର ପରିଚାଳନା ଭାର ଗାଣତାନ୍ତ୍ରିକ ଉପାୟରେ ନିର୍ବାଚିତ ସଂସ୍ଥା ହାତରେ ଟେକିବା ଲାଗି ଏଆଇଏଫ୍‌ଏଫ୍ ପ୍ରସ୍ତୁତି ଆରମ୍ଭ କରିଦେଇଛି। ମହାସଂଘର ବିଭିନ୍ନ ପଦପଦବି ଲାଗି ମଧ୍ୟ ପ୍ରାର୍ଥିପତ୍ର ଦାଖଲ ହୋଇସାରିଛି। ସଭାପତି, ଉପସଭାପତି, କୋଷାଧ୍ୟକ୍ଷ ପାଇଁ ଦୁଇ ଜଣ ଲେଖାଏଁ ପ୍ରାର୍ଥିପତ୍ର ଦାଖଲ କରିଥିଲା ବେଳେ କାର୍ଯ୍ୟକାରୀ ସମିତି ଲାଗି ୧୪ ପ୍ରାର୍ଥିପତ୍ର ଦାଖଲ ହୋଇଛି। ଏସବୁର ପୁଙ୍ଖାନୁପୁଙ୍ଖ ତର୍ଜମା ପରେ ରିଟର୍ନିଂ ଅଧିକାରୀ ସମସ୍ତ ୨୦ ପ୍ରାର୍ଥିପତ୍ରକୁ କାୟମ ରଖିଛନ୍ତି।

Advertisment

ସେପ୍ଟେମ୍ବର ୨ରେ ସଭାପତି, ଉପସଭାପତି, କୋଷାଧ୍ୟକ୍ଷ ସହ ୧୪ କାର୍ଯ୍ୟକାରିଣୀ ସଦସ୍ୟ ଲାଗି ନିର୍ବାଚନ ହେବ। ଏହାପରେ ୬ ଜଣ ପୂର୍ବତନ ଖେଳାଳି (୪ ପୁରୁଷ, ୨ ମହିଳା)ଙ୍କୁ ମନୋନୟନ ଭିତ୍ତିରେ ସାମିଲ କରାଯିବ। ସବୁ ପଦବିଠାରୁ କିନ୍ତୁ ସଭାପତି ପଦ ନେଇ ଲଢ଼େଇ ଜୋରଦାର ହେବାର ଯଥେଷ୍ଟ ସମ୍ଭବନା ରହିଛି। ଭାରତୀୟ ଫୁଟବଲ୍‌ର କିବଂଦନ୍ତି ତାରକା ବାଇଚୁଙ୍ଗ ଭୂତିଆ ଏଥିଲାଗି ପୂର୍ବତନ ଭାରତୀୟ ଗୋଲ୍‌ରକ୍ଷକ କଲ୍ୟାଣ ଚୌବେଙ୍କ ସହ ଲଢ଼ିବେ। ନିର୍ବାଚନରେ ୩୪ ରାଜ୍ୟସଂଘ ଅଂଶଗ୍ରହଣ କରିବେ। ଉପସଭାପତି ଦୌଡ଼ରେ ରାଜସ୍ଥାନ ଫୁଟ୍‌ବଲ୍ ସଂଘ ସଭାପତି ମାନବେନ୍ଦ୍ର ସିଂହ ଏବଂ କର୍ଣ୍ଣାଟକ ଫୁଟ୍‌ବଲ୍ ସଂଘ ସଭାପତି ଏନ୍‌ଏ ହାରିସ୍‌ଙ୍କ ମଧ୍ୟରେ ଉପସଭାପତି ପଦ ଲାଗି ମୁକାବିଲା ହେବ। ୧୪ କାର୍ଯ୍ୟକାରିଣୀ ସଦସ୍ୟ ନିର୍ବିବାଦୀୟ ଭାବେ ନିର୍ବାଚିତ ହେବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି। ସେମାନେ ହେଲେ ଜିପି ପାଲଗୁନ, ଅଭିଜିତ ପାଲ (ଓଡ଼ିଶା), ପି ଅନିଲକୁମାର, ଭଲଙ୍କା ନତାଶା ଆଲେମାଓ, ମାଲୋଜି ରାଜେ ଛତ୍ରପତି, ମେନଲା ଏଥେନପା, ମୋହନ ଲାଲ, ଆରିଫ ଅଲୀ, କେ ନେଇବୁ ସିଖୋସ୍, ଲାଲଘିଂଗ୍ଲୋଭା ହମର, ଦୀପକ ଶର୍ମା, ବିଜୟ ବାଲି, ସୟଦ ଇମତିଆଜ ହୁସେନ। ଅଭିଜିତ ଓଡ଼ିଶା ଅଲିମ୍ପିକ୍ସ ସଂଘର ସଂପାଦକ ଦାୟିତ୍ବରେ ରହିଛନ୍ତି।