ଭୁବନେଶ୍ବର: ସୌରାଷ୍ଟ୍ରକୁ ପରାସ୍ତ କରି ବିଦର୍ଭ ଲଗାତାର ଦ୍ବିତୀୟ ଥର ପାଇଁ ରଣଜୀ ଟ୍ରଫି ଜିତି ନେଇଛି। ବିଦର୍ଭର ଏହି ସ୍ମରଣୀୟ ସଫଳତା ପଛରେ କିନ୍ତୁ ଜଣେ ଓଡ଼ିଆ ପୁଅଙ୍କ ପ୍ରଚ୍ଛନ୍ନ ହାତ ରହିଛି। ସର୍ଭିସେସ୍ ପକ୍ଷରୁ ରଣଜୀ ଖେଳିଥିବା ଅମୀୟ କୁମାର ମହାନ୍ତିଙ୍କ ମାର୍ଗଦର୍ଶନ ଓ ତତ୍ତ୍ବାବଧାନରେ ହିଁ ବିଦର୍ଭ ଖେଳାଳିମାନେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇ ପାରିଛନ୍ତି। କ୍ରିକେଟର୍ରୁ କଣ୍ଡିସନିଂ କୋଚ୍ ପାଲଟିଥିବା ଅମୀୟ ଗତ ଦୁଇ ବର୍ଷ ହେବ ବିଦର୍ଭ ପ୍ରଶିକ୍ଷକ ମଣ୍ଡଳିର ଅନ୍ୟତମ ସଦସ୍ୟ ଭାବେ କାର୍ଯ୍ୟ କରି ଆସୁଛନ୍ତି। ସଂପ୍ରତି ସେ ବିଦର୍ଭ ଦଳର ଷ୍ଟ୍ରେନ୍ଥ ଓ କଣ୍ଡିସନିଂ ପ୍ରଶିକ୍ଷକ ଅଛନ୍ତି। ତା’ ସହ ନାଗପୁରର ଜାମଥାଠାରେ ଥିବା ବିଦର୍ଭ କ୍ରିକେଟ୍ ଏକାଡେମିର ଭାରପ୍ରାପ୍ତ ଅଧିକାରୀ ଦାୟିତ୍ବ ମଧ୍ୟ ନିର୍ବାହ କରୁଛନ୍ତି। ପ୍ରଶିକ୍ଷକ ଭାବେ ଲଗାତାର ଦୁଇ ବର୍ଷ ରଣଜୀ ଟ୍ରଫି ଜିତିଥିବା ହାତଗଣତି କ୍ରିକେଟ୍ ବିଶେଷଜ୍ଞ ତାଲିକାରେ ଅମୀୟ ନିଜକୁ ସାମିଲ କରି ସାରିଛନ୍ତି।
ଜଗତପୁରରୁ ଜାମଥା
କଟକର ଜଗତପୁରଠାରେ ଜନ୍ମ ଗ୍ରହଣ କରିଥିବା ଅମୀୟ ନିମପୁର ସ୍ପୋର୍ଟସ କ୍ଲବ୍ରୁ ନିଜ ଆଦ୍ୟ କ୍ରିକେଟ୍ ଜୀବନ ଆରମ୍ଭ କରିଥିଲେ। କ୍ରିକେଟ୍ ପ୍ରତି ପିଲାବେଳୁ ଭଲ ପାଇବା ଥିଲା। ସେଥିପାଇଁ ବିଭିନ୍ନ କ୍ଲବ୍ ସ୍ତରୀୟ ଓ ଛୋଟ ମୋଟ ମ୍ୟାଚ୍ ଖେଳି ସେ ନିଜ କ୍ରିକେଟ୍ ଭୋକ ମେଣ୍ଟାଉଥିଲେ। ଇତ୍ୟବସରରେ ମାତ୍ର ୧୭ ବର୍ଷ ବୟସରେ ତାଙ୍କୁ ବାୟୁସେନାରେ ବୈଷୟିକ ଅଧିକାରୀ ଭାବେ ଯୋଗ ଦେବାର ସୁଯୋଗ ମିଳି ଯାଇଥିଲା। ରେଭେନ୍ସା ବିଶ୍ବବିଦ୍ୟାଳୟରେ ଯୁକ୍ତ ୨ ଶେଷ କରି ଯୁକ୍ତ ୩ର ପ୍ରଥମ ବର୍ଷର ଛାତ୍ର ଥିଲା ବେଳେ ଭାରତୀୟ ବାୟୁସେନା ପାଇଁ ଦେଇଥିବା ପରୀକ୍ଷାରେ ସେ କୃତକାର୍ଯ୍ୟ ହୋଇଥିଲେ। ଏହା ହିଁ ପରବର୍ତୀ ସମୟରେ ତାଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଥିଲା। ବାୟୁସେନାରେ ଯୋଗଦେବା ପରେ ସେହିଠାରେ ହିଁ ଅମୀୟଙ୍କ କ୍ରୀଡ଼ା ପ୍ରତିଭା ଅଧିକ ପ୍ରଷ୍ପୁଟିତ ହୋଇଥିଲା। ବାୟୁସେନାର କ୍ରିକେଟ୍ ଚୟନ ଶିବିରରେ ଯୁବ ଅମୀୟ ନିଜ ପ୍ରଦର୍ଶନରେ ଚୟନକର୍ତାଙ୍କ ଧ୍ୟାନ ଆକର୍ଷଣ କରି ପାରିଥିଲେ। ଫଳରେ ବୈଷୟିକ ଅଧିକାରୀ ପଦ ପରିବର୍ତେ ବାୟୁସେନାର କ୍ରୀଡ଼ା ବିଭାଗକୁ ଯିବାର ସୁଯୋଗ ତାଙ୍କୁ ମିଳି ଯାଇଥିଲା। ୧୯୯୯ରେ ଅମୀୟ ପ୍ରଥମ ଥର ପାଇଁ ଅନ୍ତଃସର୍ଭିସେସ୍ କ୍ରିକେଟ୍ ପ୍ରତିଯୋଗିତାରେ ବାୟୁସେନାର ପ୍ରତିନିଧିତ୍ବ କରିବାର ସୁଯୋଗ ପାଇଥିଲେ। ଡାହାଣହାତୀ ବ୍ୟାଟିଂ ସହ ଅଫ୍ ବ୍ରେକ୍ ବୋଲିଂ କରୁଥିବା ଅମୀୟ ସ୍ଥିର ପ୍ରଦର୍ଶନ ବଳରେ ମାତ୍ର ୪ ବର୍ଷ ମଧ୍ୟରେ ସର୍ଭିସେସ୍ ରଣଜୀ ଦଳରେ ନିଜ ସ୍ଥାନ ପକ୍କା କରି ନେଇଥିଲେ। ୨୦୦୩ ମସିହାରେ ଦିଲ୍ଲୀର ପାଲମ ପଡ଼ିଆରେ ଓଡ଼ିଶା ବିପକ୍ଷରେ ହିଁ ସେ ନିଜ ରଣଜୀ ଜୀବନ ଆରମ୍ଭ କରିଥିଲେ। ୨୦୦୩ରୁ ୨୦୦୯ ପର୍ଯ୍ୟନ୍ତ ସର୍ଭିସେସ୍ ଦଳର ପ୍ରତିନିଧିତ୍ବ କରି ଅମୀୟ ୨୬ ପ୍ରଥମ ଶ୍ରେଣୀ, ୧୩ ଲିଷ୍ଟ ‘ଏ’ ଏବଂ ଗୋଟିଏ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିଥିଲେ। ବାୟୁସେନାର େବୖଷୟିକ ଅଧିକାରୀ ଏବଂ ଲୋକପ୍ରିୟ କ୍ରୀଡ଼ାବିତ୍ ଭାବେ ଦୀର୍ଘ ୨୦ ବର୍ଷ ଚାକିରି କରିବା ପରେ ସେ ଅବସର ନେଇଥିଲେ। ୨୦୦୯ ପର୍ଯ୍ୟନ୍ତ ଘରୋଇ କ୍ରିକେଟ୍ରେ ଖେଳାଳି ଭାବେ ସକ୍ରିୟ ଥିଲେ। ଖେଳାଳି ଭାବେ ତାଙ୍କ ସଫଳତା ତାଲିକାରେ ସାମିଲ ରହିଛି ୨୦୦୫ ଓ ୨୦୦୯ରେ ସର୍ଭସେସ୍ ଟ୍ରଫି, ୨୦୦୪, ୦୬ ଓ ୭ରେ ଉପବିଜେତା, ୨୦୦୫ରେ ରଣଜୀ ଟ୍ରଫି ପ୍ଲେଟ୍ ଗ୍ରୁପ୍ର ଉପବିଜେତା, ୨୦୦୧, ୦୫ ଓ ୦୭ରେ ବାୟୁସେନା ପ୍ରତିଯୋଗିତା ଜିତିବା ଆଦି। ଏହା ପରେ ପ୍ରଶିକ୍ଷଣରେ ମନ ଦେଇ ବିଦର୍ଭର କନିଷ୍ଠ ଦଳରୁ ବରିଷ୍ଠରେ ପହଞ୍ଚିଥିଲେ। ସଂପ୍ରତି ନାଗପୁରର ଜାମଥାଠାରେ ଥିବା ବିଦର୍ଭ କ୍ରିକେଟ୍ ସଂଘ ପଡ଼ିଆ ତାଙ୍କର କର୍ମଭୂମି ପାଲଟିଛି।
ବିଦର୍ଭ ସହ ୬ ବର୍ଷ
କ୍ରିକେଟ୍ରୁ ଅବସର ନେବା ପରେ ଅମୀୟ ପ୍ରଶିକ୍ଷଣ ପ୍ରତି ମନ ବଳାଇଥିଲେ। ଧର୍ମଶାଳାରେ ବିସିସିଆଇ ଲେବଲ୍ ଏ’ ପାଠ୍ୟକ୍ରମ ସଫଳତାର ସହ ଶେଷ କରିବା ପରେ କଟକରେ ଟ୍ରେନରଙ୍କ ପାଇଁ ହୋଇଥିବା ଲେବୁଲ ଓ’ ପାଠ୍ୟକ୍ରମ, ବେଙ୍ଗାଲୁରୁରେ ଅନୁଷ୍ଠିତ ଲେବୁଲ-୧ ଟ୍ରେନର ପାଠ୍ୟକ୍ରମ ଏବଂ ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମିରେ କ୍ରୀଡ଼ା ବିଜ୍ଞାନ ଏବଂ କ୍ରୀଡ଼ା ଭେଷଜ ବିଜ୍ଞାନରେ ଡିପ୍ଲୋମା ହାସଲ କରିଥିଲେ ସେ । ଅମୀୟ ମଧ୍ୟ ଶାରୀରିକ ଶକ୍ଷାରେ ସ୍ନାତକୋତ୍ତୋର ଶିକ୍ଷା ଶେଷ କରିଥିଲେ। ୨୦୧୦ରେ ତାଙ୍କୁ ଭାରତୀୟ ବାୟୁସେନା କ୍ରିକେଟ୍ ଦଳର ସହକାରୀ ପ୍ରଶିକ୍ଷକ ପଦ ମିଳିଥିଲା। ଅମୀୟ ମଧ୍ୟ ୨୦୧୧ରୁ ୨୦୧୪ ପର୍ଯ୍ୟନ୍ତ ବାୟୁସେନା ମୁଖ୍ୟାଳୟ କ୍ବାର୍ଟର ମେଣ୍ଟେନାନ୍ସ କମାଣ୍ଡ ଦଳର ପ୍ରଶିକ୍ଷକ ଥିଲେ। ୨୦୧୨-୧୩ରେ ସେ କେନ୍ଦ୍ରାଞ୍ଚଳ ୧୯ ବର୍ଷରୁ କମ୍ ଦଳର ଷ୍ଟ୍ରେନ୍ଥ ଓ କଣ୍ଡିସନିଂ ପ୍ରଶିକ୍ଷକ ଦାୟିତ୍ବ ନିର୍ବାହ କରିଥିଲେ। ଏହି ସମୟରେ ଏକ ମ୍ୟାଚ୍ ଖେଳିବାକୁ ଯାଇଥିଲା ବେଳେ ବିଦର୍ଭ କ୍ରିକେଟ୍ ସଂଘ ସହ କାମ କରିବାର ପ୍ରସ୍ତାବ ତାଙ୍କୁ ମିଳିଥିଲା। ଯାହାକୁ ସେ ସାଦରେ ଗ୍ରହଣ କରିଥିଲେ। ୨୦୧୩-୧୪ ଋତୁରୁ ଆରମ୍ଭ କରି ୨୦୧୯ ପର୍ଯ୍ୟନ୍ତ ଗତ ୬ ବର୍ଷ ଧରି ଅମୀୟ ବିଦର୍ଭ କ୍ରିକେଟ୍ ସଂଘର ବିଭିନ୍ନ ସ୍ତରୀୟ ଦଳ ସହ କାର୍ଯ୍ୟ କରି ଆସୁଛନ୍ତି। ୨୦୧୩-୧୪ରେ ବିଦର୍ଭ ୧୯ ବର୍ଷରୁ କମ୍ ଦଳର ଷ୍ଟ୍ରେନ୍ଥ ଓ କଣ୍ଡିସନିଂ ପ୍ରଶିକ୍ଷକ ଦାୟିତ୍ବ ସଫଳତାର ସହ ତୁଲାଇବା ପରେ ପରବର୍ତୀ ଋତୁରେ ତାଙ୍କୁ ୨୩ ବର୍ଷରୁ କମ୍ ଦଳକୁ ପଦୋନ୍ନତି ମିଳିଥିଲା। ୨୦୧୭ ମସିହା ପ୍ରଥମ ଭାଗ ପର୍ଯ୍ୟନ୍ତ ସେ ବିଦର୍ଭ ୨୩ ବର୍ଷ ଦଳ ସହ କାମ କରିଥିଲେ। ଗତ ଦୁଇ ଋତୁ ହେବ ଅମୀୟ ବିଦର୍ଭ ରଣଜୀ ଦଳର ଷ୍ଟ୍ରେନ୍ଥ ଓ କଣ୍ଡିସନିଂ ପ୍ରଶିକ୍ଷକ ଦାୟିତ୍ବ ତୁଲାଉଛନ୍ତି। ତାଙ୍କ ଦାୟିତ୍ବ ହେଲା ଖେଳାଳିଙ୍କ ବ୍ୟାୟାମ ଏବଂ ଖାଦ୍ୟ ଖସଡ଼ା ପ୍ରସ୍ତୁତ କରିବା, ଆହତ ପରିଚାଳନା, ଖେଳାଳିଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବା, ବ୍ୟାୟାମଶାଳାର ସଠିକ୍ ପରିଚାଳନା, ବିଭିନ୍ନ ଆଘାତ ଜନିତ ସମସ୍ୟାର ନିରାକରଣ ଏବଂ ପ୍ରତିଷେଧକ ବ୍ୟବସ୍ଥା କରିବା। ବିଦର୍ଭର ମୁଖ୍ୟ ପ୍ରଶିକ୍ଷକ ଚନ୍ଦ୍ରକାନ୍ତ ପଣ୍ଡିତ ଓ ଅମୀୟଙ୍କ ଯୋଡ଼ି ୨୦୧୭ରେ ଏକାଠି ଦାୟିତ୍ବ ନେଇଥିଲେ। ଏମାନେ ଦାୟିତ୍ବ ନେବା ପରେ ହିଁ ବିଦର୍ଭ ଗତ ଦୁଇ ବର୍ଷ ହେବ ରଣଜୀ ଟ୍ରଫି ବିଜେତା ହୋଇ ଚାଲିଛି।
ସୋନାଲଙ୍କୁ ଶ୍ରେୟ
ଜଗତପୁର ବାସିନ୍ଦା ତଥା ରାଜ୍ୟ ଇଲେକ୍ଟ୍ରିସିଟି ବୋର୍ଡର ପୂବର୍ତନ କର୍ମଚାରୀ ହୃଦାନନ୍ଦ ମହାନ୍ତି ଓ ସାବିତ୍ରୀ ମହାନ୍ତିଙ୍କ ତିନି ପୁଅଙ୍କ ମଧ୍ୟରୁ ଅମୀୟ ହେଉଛନ୍ତି ମଝିଆ। ଦୁଇ ଭାଇ ବ୍ୟବସାୟ କରୁଥିଲା ବେଳେ ଅମୀୟ ଖେଳକୁ ନିଶା ଓ ପେସା କରିଛନ୍ତି। ବଡ଼ ଭାଇ ସଞ୍ଜୟ ଓ ସାନ ଭାଇ ଅନୀଲ ମହାନ୍ତିଙ୍କ ମଧ୍ୟରୁ ଅନୀଲ ସଂପ୍ରତି ନିମପୁର ସ୍ପୋଟର୍ସ କ୍ଲବର ଯୁଗ୍ମ ସଂପାଦକ ଅଛନ୍ତି। ନିଜ ସଫଳତାର ଶ୍ରେୟ କିନ୍ତୁ ଅମୀୟ ପତ୍ନୀ ସୋନାଲ ମହାନ୍ତିଙ୍କୁ ଦେଇଛନ୍ତି। ପରିବାରର ସମର୍ଥକ ଏବଂ ସୋନାଲଙ୍କ ସହଯୋଗ ବଳରେ ହିଁ ମୁଁ ଆଜି ଏହି ସ୍ଥିତିରେ ପହଞ୍ଚିଛି। ବ୍ୟସ୍ତ ବହୁଳ ଜୀବନ ପାଇଁ ଘର କଥା ବୁଝିବା ମୋ ପାଇଁ କଷ୍ଟକର। ସୋନାଲ ହିଁ ସବୁକିଛି କରିଛନ୍ତି। ଏକଦା ମୁଁ ଏହି ପେସା ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲି। ହେଲେ ସୋନାଲଙ୍କ ଉତ୍ସାହ ପାଇଁ ହିଁ ଛାଡ଼ି ପାରି ନଥିଲି। ଦୀର୍ଘ ଦିନ ବାହାରେ ରହିବା ପରେ ଏବେ ଓଡ଼ିଶା ଫେରିବାକୁ ଇଚ୍ଛା ରହିଛି। ସେଥିପାଇଁ ଭୁବନେଶ୍ବରର କଳିଙ୍ଗ ନଗରରେ ଘର କରୁଛି। ଜନ୍ମ ସ୍ଥାନକୁ ଫେରିଲା ପରେ ମଧ୍ୟ କ୍ରିକେଟ୍ ସହ ସଂପର୍କ ପୂର୍ବବତ୍ ଅତୁଟ ରହିବ ବୋଲି ଅମୀୟ କହିଛନ୍ତି। ସୂଚନାଯୋଗ୍ୟ ଯେ ଅମୀୟ କ୍ରିକେଟ୍ ପ୍ରଶିକ୍ଷଣ ସହ ଦୁଃସାହସିକ କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ବେଶ୍ ସକ୍ରୀୟ।
ସୁଯୋଗ ମିଳିଲେ ଓଡ଼ିଶା ସେବା
ବିଦର୍ଭ ଦଳ ସହ କାର୍ଯ୍ୟ କରିବା ପରେ ୱାସିମ ଜାଫର, ଉମେଶ ଯାଦବ, କର୍ନ ଶର୍ମା, ଫୈଜ ଫଜଲ, ରଜନୀଶ ଗୁରବାଣୀ, ଜିତେଶ ଶର୍ମା, ଅପୂର୍ବ ୱାଙ୍ଖଡ଼େ ଓ ଶ୍ରୀକାନ୍ତ ୱାଗଙ୍କ ଭଳି ଖେଳାଳିଙ୍କ ସହ କାର୍ଯ୍ୟ କରିଛନ୍ତି ଅମୀୟ। ବିଦର୍ଭ ପ୍ରଶିକ୍ଷକ ଚନ୍ଦ୍ରକାନ୍ତ ପଣ୍ଡିତଙ୍କଠାରୁ ମଧ୍ୟ କ୍ରିକେଟ୍ ଜ୍ଞାନ ଆହରଣ କରିଛନ୍ତି ସେ। ସୁଯୋଗ ମିଳିଲେ ଓଡ଼ିଶା ଦଳ ସହ କାର୍ଯ୍ୟ କରିବାକୁ ପ୍ରସ୍ତୁତ ବୋଲି ମତ ରଖିଛନ୍ତି ଅମୀୟ। ସେ କହିଛନ୍ତି ୭ ବର୍ଷର ଖେଳ ଜୀବନ ଏବ˚ ୬ ବର୍ଷର ପ୍ରଶିକ୍ଷକ ଜୀବନ ମଧୢରେ ମୁଁ ଅନେକ କିଛି ଶିଖିଛି। ଚନ୍ଦ୍ରକାନ୍ତ ପଣ୍ତିତ, ଵାସିମ ଜାଫର, ଉମେଶ ଯାଦବ, ସୁବ୍ରତ ବାନାର୍ଜୀଙ୍କ ଭଳି ଖେଳାଳିଙ୍କଠାରୁ କ୍ରିକେଟ୍ ପରିଚାଳନା ସହ ଖେଳାଳିଙ୍କ ପ୍ରଶିକ୍ଷଣ ପ୍ରଣାଳୀ, ଟ୍ରେନି˚, ଶୃଙ୍ଖଳା ଏବ˚ ସେମାନଙ୍କ ଫିଟନେସ୍ ଉପରେ କେମିତି ଓ କିଭଳି ଧ୍ୟାନ ଦିଆଯାଏ ତାହା ଜାଣି ପାରିଛି। ଏସବୁକୁ ମୁଁ ଓଡ଼ିଶାରେ ଉପଯୋଗ କରିବାକୁ ଚାହୁଁଛି। ସୁଯୋଗ ମିଳିଲେ ଓଡ଼ିଶା ରଣଜୀ ଦଳ ପାଇଁ ନିଶ୍ଚିତ ଭାବେ କାର୍ଯ୍ୟ କରିବି। ମୋ ମତରେ ଓଡ଼ିଶା ଖେଳାଳିଙ୍କ ପାଖରେ ପ୍ରତିଭାର ଅଭାବ ନାହିଁ। ଓଡ଼ିଶା ୧୯ ବର୍ଷରୁ କମ୍ ଦଳ ଯେତେବେଳେ ଏଠାକୁ ଆମ ସହ ଖେଳିବାକୁ ଆସୁଛି, ମୁଁ ସେମାନଙ୍କୁ ପାଖରୁ ଅନୁଧ୍ୟାନ କରିଛି। ସେମାନେ ବହୁତ ଫିଟ୍, ଉତ୍ସାହର ମଧୢ ଅଭାବ ନାହିଁ। ହେଲେ ଦୁର୍ଭାଗ୍ୟଜନକ ଭାବେ ବରିଷ୍ଠ ସ୍ଥରକୁ ଗଲା ବେଳକୁ ସେହି ସତେଜତା ଓ ଉତ୍ସାହ ମୁଁ ଆଉ ଦେଖିବାକୁ ପାଉନି। କୋଉଠି ନା କୋଉଠି ସଠିକ୍ ମାର୍ଗଦର୍ଶନ ଓ ନିର୍ଦେଶନାର ଅଭାବ ରହୁଛି। ଓଡ଼ିଶା ଆଜି ପର୍ଯ୍ୟନ୍ତ କେବେବି ରଣଜୀ ଫାଇନାଲକୁ ଉନ୍ନୀତ ହୋଇନି। ଯାହା ସେମାନଙ୍କ ଦକ୍ଷତାର ଅସଲ ପରିଚୟ ବୋଲି ମୁଁ ଭାବୁନାହିଁ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp