ଟୋକିଓ ଅଲିମ୍ପିକ୍ସ ଲାଗି ମନୋନୀତ ହେଲେ ଓଡ଼ିଆ ଡାକ୍ତର ବିଭୁକଲ୍ୟାଣ ନାୟକ

ଭୁବନେଶ୍ବର : ଓଡ଼ିଶା କ୍ରୀଡ଼ା‌କୁ ବୁଧବାର ମିଳିଛି ବଡ଼ ଖୁସି ଖବର। ୨୦୨୦ ଟୋକିଓ ଅଲିମ୍ପିକ୍ସ ଲାଗି ଓଡ଼ିଆ ଡାକ୍ତର ବିଭୁକଲ୍ୟାଣ ନାୟକ ମନୋନୀତ ହୋଇଛନ୍ତି। ଯାହା ସମଗ୍ର ରାଜ୍ୟ ପାଇଁ ଗର୍ବ ଓ ଗୌରବର ବିଷୟ ହୋଇଛି। ଆସନ୍ତାବର୍ଷର ଏହି କ୍ରୀଡ଼ା ମହାକୁମ୍ଭ ଲାଗି ଟିକେଟ ହାସଲ କରିବାରେ ସେ ମଧ୍ୟ ପ୍ରଥମ ଓଡ଼ିଆ। ପୂର୍ବରୁ ହକି ବିଶ୍ବକପ୍ ସହ ଅନେକ ଅନ୍ତର୍ଜାତୀୟ ହକି ପ୍ରତିଯୋଗିତାରେ ସଫଳତାର ସହ ସ୍ବାସ୍ଥ୍ୟ ଅଧିକାରୀ ଦାୟିତ୍ବ ତୁଲାଇ ସାରିଥିବା ଏହି ଓଡ଼ିଆ ପୁଅ ଟୋକିଓ ଅଲିମ୍ପିକ୍ସରେ ରୁଷିଆର ଗର୍ଡନ ଲେଗ୍ ଏବଂ ଜର୍ମାନିର ରୋଲି ଉଡୋଙ୍କ ସହ ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍)ର ସ୍ବାସ୍ଥ୍ୟ ଅଧିକାରୀ ଭାବେ କାର୍ଯ୍ୟ କରିବେ।

ଏହା ପୂର୍ବରୁ ବିଭୁକଲ୍ୟାଣ ପ୍ରଥମ ଭାରତୀୟ ଭାବେ ୨୦୨୦ ପର୍ଯ୍ୟନ୍ତ ଏଫ୍‌ଆଇଏଚ୍‌ର ସ୍ବାସ୍ଥ୍ୟ ଓ ସୁରକ୍ଷା ସମିତିର ମୁଖ୍ୟ ନିଯୁକ୍ତ ହୋଇଥିଲେ। ସେ ମଧ ଭୁବନେଶ୍ବରରେ ଆୟୋଜିତ ହକି ବିଶ୍ବକପ୍‌ର ସ୍ବାସ୍ଥ୍ୟ ଅଧିକାରୀ ନିଯୁକ୍ତ ହେବାରେ ପ୍ରଥମ ଭାରତୀୟ ହେବାର କୀର୍ତ୍ତିମାନ ଅର୍ଜନ କରିଥିଲେ। ସେହିଭଳି ୨୦୧୬ ରିଓ ଅଲିମ୍ପିକ୍ସରେ ଟିମ୍ ଫିଜିସିଆନ୍ ଦାୟିତ୍ବ ସଫଳତାର ସହ ତୁଲାଇ ଉଚ୍ଚ ପ୍ରଶଂସିତ ହୋଇଥିଲେ। ପୁନେର ସେନା କ୍ରୀଡ଼ା ପ୍ରତିଷ୍ଠାନ ଏବଂ ଭାରତୀୟ ସେନାର ଆର୍ମି ମେଡିକାଲ କର୍ପରେ ୬ ବର୍ଷ ଧରି କାର୍ଯ୍ୟ କରି ସାରିଥିବା ବିଭୁକଲ୍ୟାଣ ହାଭାନା ଏବଂ ମାଦ୍ରିଦରୁ କ୍ରୀଡ଼ା ଔଷଧ ବିଜ୍ଞାନ ଉପରେ ଉଚ୍ଚ ଶିକ୍ଷା ଲାଭ କରିଛନ୍ତି। ୨୦୦୯ରେ ଭାରତୀୟ ହକି ଦଳରେ ଯୋଗଦେବା ପରେ ଦୁଇ ଥର ସୁଲତାନ ଆଜଲାନ ସାହା ହକି, ଏସୀୟ କ୍ରୀଡ଼ା, ରାଜ୍ୟଗୋଷ୍ଠୀ କ୍ରୀଡ଼ା, ଏସୀୟ ଚାମ୍ପିଅନ୍ସ ଟ୍ରଫିରେ କାର୍ଯ୍ୟ କରି ସାରିଛନ୍ତି। ଏଫ୍‌ଆଇଏଚ୍ ମଧ୍ୟ ବୁଧବାର ଟୋକିଓ ଅଲିମ୍ପିକ୍ସ ଲାଗି ବୈଷୟିକ ଅଧିକାରୀ, ବୈଷୟିକ ପ୍ରତିନିଧି, ପୁରୁଷ ଓ ମହିଳା ଅମ୍ପାୟାର ତାଲିକା ଘୋଷଣା କରିଛି। ଏଥିରେ ବିଭୁକଲ୍ୟାଣଙ୍କ ସହ ମାତ୍ର ତିନି ଜଣ ଭାରତୀୟ ସ୍ଥାନ ପାଇଛନ୍ତି। ପୁରୁଷ ଅମ୍ପାୟାର ତାଲିକାରେ ରଘୁ ପ୍ରସାଦ ଏବଂ ଜାଭେଦ୍ ଶେଖ୍ ଅଛନ୍ତି। ହେଲେ ବୈଷୟିକ ଅଧିକାରୀ କିମ୍ବା ମହିଳା ଅମ୍ପାୟାର ତାଲିକାରେ ଜଣେ ହେଲେ ବି ଭାରତୀୟ ନାହାନ୍ତି।

ସମ୍ବନ୍ଧିତ ଖବର