ଚେନ୍ନାଇ: ଅଷ୍ଟ୍ରେଲିଆର ପ୍ରସିଦ୍ଧ ଟ୍ବେଣ୍ଟି-୨୦ ଲିଗ୍‌ ବିଗ୍‌ ବାସ୍‌ ଲିଗ୍‌ର ଆଗାମୀ ସିଜନ୍‌ ଭାରତରେ ଆୟୋଜିତ ହୋଇପାରେ। ଏ ନେଇ ଅଷ୍ଟ୍ରେଲୀୟ କ୍ରିକେଟ୍‌ ବୋର୍ଡ ‘କ୍ରିକେଟ୍‌ ଅଷ୍ଟ୍ରେଲିଆ’ ଯୋଜନା କରୁଛି। ଏଥିଲାଗି ନିକଟରେ ବୋର୍ଡର ଦୁଇ ଜଣ ବରିଷ୍ଠ ଅଧିକାରୀ ଭାରତ ଗସ୍ତରେ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହି ଦୁଇ ଅଧିକାରୀ ହେଲେ ବୋର୍ଡର ବ୍ୟବସାୟ ପରିଚାଳନା ମୁଖ୍ୟ ଫିଲ୍‌ ରିଗବୀ ଓ ପ୍ରତିଯୋଗିତା ବିକାଶ ଓ ରଣକୌଶଳ ମୂଖ୍ୟ ମାର୍ଗଟ୍‌ ହାର୍ଲି। ମୁଖ୍ୟତଃ ଚେନ୍ନାଇରେ ଏହି ଲିଗ୍‌ ଆୟୋଜନ ଲାଗି ଯୋଜନା କରାଯାଉଛି।

Advertisment

ଭାରତର ବିଶାଳ କ୍ରିକେଟ୍‌ ପ୍ରସଂଶକ ଗୋଷ୍ଠୀ ଓ ଏକ ବୃହତ୍‌ ବଜାର ସହ ଯୋଡ଼ି ହେବା ଲକ୍ଷ୍ୟରେ କ୍ରିକେଟ୍‌ ଅଷ୍ଟ୍ରେଲିଆ ଏହି ଯୋଜନା କରୁଥିବା ଜଣାଯାଇଛି। ତେବେ ଚୂଡାନ୍ତ ନିଷ୍ପତ୍ତି ବିସିସିଆଇର ସବୁଜ ସଂକେତ ଉପରେ ନିର୍ଭର କରିବ। ତାମିଲନାଡ଼ୁ କ୍ରିକେଟ୍‌ ସଂଘର ଜଣେ ଅଧିକାରୀ ସ୍ପଷ୍ଟ କରିଛନ୍ତି ଯେ ଗତ ସପ୍ତାହରେ ଅଷ୍ଟ୍ରେଲୀୟ କ୍ରିକେଟ୍‌ ବୋର୍ଡ ଅଧିକାରୀମାନେ ଚେନ୍ନାଇ ଗସ୍ତ କରି ଆଲୋଚନା କରିଥିଲେ। କିନ୍ତୁ ଏହି ଆଲୋଚନା ବେଳେ ସଂଘ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ଯେ ବିସିସିଆଇର ସବୁଜ ସଂକେତ ପରେ ହିଁ ଏ ନେଇ କଥା ଆଗକୁ ବଢିପାରିବ। ଏଣୁ ବଲ୍‌ ଏବେ ବିସିସିଆଇ କୋର୍ଟରେ ରହିଛି ବୋଲି ସେ କହିଛନ୍ତି। ୨୦୧୧ରେ ଆରମ୍ଭ ହୋଇଥିବା ବିଗ୍‌ ବାସ୍‌ ଲିଗ୍‌ରେ ଏବେ ୮ଟି ଫ୍ରାଞ୍ଚାଇଜି ଅଛନ୍ତି। ସେଗୁଡ଼ିକ ମଧ୍ୟରୁ ପର୍ଥ ଫ୍ରାଞ୍ଚାଇଜି ସର୍ବାଧିକ ଛଅ ଥର ଚାମ୍ପିୟନ ହୋଇଛି।