ଲାହୋର: ଚଳିତ ଚାମ୍ପିଅନ୍ସ ଟ୍ରଫି ଆରମ୍ଭରୁ ଆୟୋଜକ ପାକିସ୍ତାନକୁ ବଡ଼ ଝଟ୍କା ଲାଗିଛି। କରାଚୀରେ ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଉଦ୍ଘାଟନୀ ମୁକାବିଲାରେ ପାକିସ୍ତାନର ତାରକା ବ୍ୟାଟର୍ ଫକର ଜମନ ଆହତ ହୋଇଛନ୍ତି। ଫଳରେ ସେ ଦୁବାଇରେ ରବିବାର ଖେଳାଯିବାକୁ ଥିବା ଚିରପ୍ରତିଦ୍ବନ୍ଦ୍ବୀ ଭାରତ ବିପକ୍ଷ ମ୍ୟାଚ୍ରୁ ବାଦ୍ ପଡ଼ିଛନ୍ତି। ୩୪ ବର୍ଷୀୟ ଜମନଙ୍କ ସ୍ଥାନରେ ଇମାମ-ଉଲ୍ ହକ୍ଙ୍କୁ ଦଳରେ ନିଆଯାଇଛି। ନ୍ୟୁଜିଲାଣ୍ଡ ପାଳିର ପ୍ରଥମ ଓଭରରେ ଫିଲ୍ଡିଂ କରୁଥିଲା ବେଳେ ଜମନଙ୍କ ମାଂସପେସୀ ଟାଣି ହୋଇଯାଇଥିଲା।
ଏହାପରଠୁ ସେ ଆଉ ଫିଲ୍ଡିଂ କରିବାକୁ ପଡ଼ିଆକୁ ଆସି ନଥିଲେ। ଏପରିକି ପାକିସ୍ତାନ ପାଳିରେ ଓପନିଂ କରିବାକୁ ମଧ୍ୟ ଆସି ନଥିଲେ। ତାଙ୍କ ବଦଳରେ ସୌଦ ସକିଲ ଓପନିଂ ଭାର ସମ୍ଭାଳିଥିଲେ। ଜମନ ୪ ନମ୍ବରରେ ବ୍ୟାଟିଂକୁ ଆସି ୪୧ ବଲ୍ରୁ ୨୪ ରନ୍ କରିଥିଲେ। ପାକିସ୍ତାନ ଏହି ମ୍ୟାଚ୍କୁ ୬୦ ରନ୍ରେ ହାରିଥିଲା। ଆଣ୍ଠୁ ଜନିତ ସମସ୍ୟା ଲାଗି ଶେଷ ଥର ଲାଗି ୨୦୨୩ ବିଶ୍ବକପ୍ ଖେଳିଥିବା ଜମନ ଚାମ୍ପିଅନ୍ସ ଟ୍ରଫିରେ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ।