ଦୁବାଇ: ପାଖାପାଖି ୭୦୦ ଦିନ ପରେ ଟେଷ୍ଟ୍ କ୍ରିକେଟ୍କୁ ଫେରି ବାଂଲାଦେଶ ବିପକ୍ଷରେ ଅନ୍ୟତମ ମ୍ୟାଚ୍ ବିଜୟୀ ପାଳି ଖେଳିଥିବା ଭାରତୀୟ ୱିକେଟ୍ରକ୍ଷକ ଋଷଭ ପନ୍ତ ପୁଣି ଥରେ ଆଇସିସି ଟେଷ୍ଟ୍ ମାନ୍ୟତାରେ ଧମାକାଦାର ପ୍ରବେଶ କରିଛନ୍ତି। ସଦ୍ୟ ପ୍ରକାଶିତ ମାନ୍ୟତାରେ ସେ ସିଧାସଳଖ ଷଷ୍ଠ ସ୍ଥାନକୁ ଲମ୍ପ ମାରିଛନ୍ତି। ହେଲେ ଏହି ଟେଷ୍ଟ୍ର ଉଭୟ ପାଳିରେ ବିଫଳ ହୋଇଥିବା ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ସହ ବରିଷ୍ଠ ବ୍ୟାଟର୍ କୋହଲିଙ୍କ ମାନ୍ୟତାରେ ବିରାଟ ଅବନତି ଦେଖିବାକୁ ମିଳିଛି। ରୋହିତ ୫ଟି ସ୍ଥାନ ତଳକୁ ଖସି ଦଶମ ସ୍ଥାନରେ ପହଞ୍ଚି ଯାଇଥିଲା ବେଳେ କୋହଲି ମଧ୍ୟ ଅନୁରୂପ ଭାବେ ୫ଟି ସ୍ଥାନ ଖସି ଶ୍ରେଷ୍ଠ ୧୦ ବାହାରକୁ ଚାଲି ଯାଇଛନ୍ତି।
କୋହଲି ସଂପ୍ରତି ଦ୍ବାଦଶ ସ୍ଥାନରେ ଅଛନ୍ତି। ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ୍ର ପ୍ରଥମ ପାଳିରେ ଅର୍ଦ୍ଧଶତକୀୟ ପାଳି ଖେଳିଥିବା ଯୁବ ଓପନର୍ ଯଶସ୍ବୀ ଜୟସ୍ବାଲ ପଞ୍ଚମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଅନ୍ୟପକ୍ଷରେ ଆଫଗାନିସ୍ତାନର ଚର୍ଚ୍ଚିତ ଓପନର ରହମନୁଲ୍ଲା ଗୁରବାଜ ଇତିହାସ ରଚିଛନ୍ତି। ଆଫଗାନିସ୍ତାନର ପ୍ରଥମ ବ୍ୟାଟର୍ ଭାବେ ଏହି ମାନ୍ୟତାର ଶ୍ରେଷ୍ଠ ୧୦ଜଣଙ୍କ ମଧ୍ୟରେ ପ୍ରବେଶ କରିଛନ୍ତି ସେ। ନିଜ ୨୩ତମ ଜନ୍ମଦିବସରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ରୁତ ଓ ଦାୟିତ୍ବବାନ ଶତକ ଅର୍ଜନ କରିଥିବା ଗୁରବାଜ ଏକାଥରକେ ଦଶଟି ସ୍ଥାନ ଲମ୍ଫ ମାରି ଅଷ୍ଟମ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଏହା ପୂର୍ବରୁ ଏହି ଦେଶର ଇବ୍ରାହିମ ଜର୍ଦାନ ନିଜ ଦେଶର ସର୍ବଶ୍ରେଷ୍ଠ ମାନ୍ୟତା ହାସଲ କରିଥିଲେ। ତେବେ ଦ୍ବାଦଶ ସ୍ଥାନରେ ରହି ଶ୍ରେଷ୍ଠ ୧୦କୁ ଯାଇପାରି ନଥିଲେ। ଗୁରବାଜ୍ ଏବେ ତାଙ୍କୁ ଟପି ଯାଇଛନ୍ତି। ଇଂଲଣ୍ଡର ଜୋ ରୁଟ୍ ଟେଷ୍ଟ୍ ମାନ୍ୟତାର ଏକ ନମ୍ବର ସ୍ଥାନରେ ସ୍ଥିର ରହିଛନ୍ତି।
ବୋଲର ମାନ୍ୟତାରେ ଚେନ୍ନାଇ ଟେଷ୍ଟ୍ର ଶ୍ରେଷ୍ଠ ଖେଳାଳି ଆର୍. ଅଶ୍ବିନ ପ୍ରଥମ ସ୍ଥାନ ବଜାୟ ରଖିଛନ୍ତି। ତାଙ୍କ ପଛକୁ ଦ୍ରୁତ ବୋଲର ଯଶପ୍ରୀତ୍ ବୁମ୍ରା ଦ୍ବିତୀୟ ସ୍ଥାନରେ ଅଛନ୍ତି। ଶ୍ରେଷ୍ଠ ୧୦ ବୋଲର ମାନ୍ୟତା ତାଲିକାରେ ଥିବା ଅନ୍ୟତମ ଭାରତୀୟ ସ୍ପିନର ହେଉଛନ୍ତି ରବୀନ୍ଦ୍ର ଜାଡ଼େଜା (୭)। ବୋଲରଙ୍କ ଭଳି ଶ୍ରେଷ୍ଠ ଅଲରାଉଣ୍ଡର୍ ମାନ୍ୟତାର ପ୍ରଥମ ଦୁଇ ସ୍ଥାନରେ ମଧ୍ୟ ଦୁଇ ଭାରତୀୟ ଜାଡ଼େଜା ଓ ଅଶ୍ବିନ ରହିଛନ୍ତି।