ଲଣ୍ଡନ: ଚଳିତ ୱିମ୍ବଲଡନ୍‌ ଟେନିସ୍‌ ପ୍ରତିଯୋଗିତାର ଦ୍ବିତୀୟ ଦିନରେ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ୟୁଏସ୍‌ ଓପନ୍‌ ଉପବିଜୟିନୀ ତଥା ତୃତୀୟ ମାନ୍ୟତାପ୍ରାପ୍ତ ଜେସିକା ପେଗୁଲା ଏବଂ ପ୍ୟାରିସ୍‌ ଅଲିମ୍ପିକ୍‌ ସ୍ବର୍ଣ୍ଣ ବିଜୟିନୀ ଝେଙ୍ଗ୍‌ କ୍ବିନ୍‌ୱେନ୍‌ଙ୍କ ୱିମ୍ବଲଡନ୍‌ ଅଭିଯାନ ପ୍ରଥମ ରାଉଣ୍ଡ୍‌ରେ ଶେଷ ହୋଇଛି। ଆମେରିକାର ପେଗୁଲାଙ୍କୁ ୬-୨, ୬-୩ ସେଟ୍‌ରେ ବିଶ୍ବର ୧୧୬ ନମ୍ବର ଇଟାଲୀ ଲଳନା ଏଲିସାବେଟା କୋସିଆରେଟୋ ହରାଇ ବିଦାୟ ରାସ୍ତା ଦେଖାଇଥିଲେ। କୋସିଆରେଟୋ ଏଥିସହ ପେଗୁଲାଙ୍କଠୁ ଦୁଇ ବର୍ଷ ତଳର ୱିମ୍ବଲଡନ୍‌ ପରାଜୟର ପ୍ରତିଶୋଧ ନେବା ସହ ଦ୍ବିତୀୟ ଥର ଲାଗି ଶୀର୍ଷ ମଧ୍ୟରେ ‌ଥିବା ଖେଳାଳିଙ୍କୁ ହରାଇବାରେ ସଫଳ ହୋଇଛନ୍ତି। ସେହିପରି ପଞ୍ଚମ ମାନ୍ୟତାପ୍ରାପ୍ତ ଝେଙ୍ଗ୍‌ କଡ଼ା ସଂଘର୍ଷ କରି ୫-୭, ୬-୪, ୧-୬ ସେଟ୍‌ରେ ଚେକ୍‌ଗଣରାଜ୍ୟର କାଟେରିନା ସିନିଆକୋଭାଙ୍କଠୁ ହାରିଯାଇଥିଲେ। 
ପୁରୁଷ ଏକକରେ ବିଶ୍ବର ଏକ ନମ୍ବର ଜାନିକ ସିନ୍ନର, ୧୧ ନମ୍ବର ଆଲେକ୍ସ ଡି’ମିନୁର ଓ ୧୩ ନମ୍ବର ଟମି ପଲ୍‌ ସହଜ ବିଜୟ ସହ ପ୍ରଥମ ରାଉଣ୍ଡ ବାଧା ଅତିକ୍ରମ କରିଛନ୍ତି। ୩ ଗ୍ରାଣ୍ଡ ସ୍ଲାମ୍‌ ବିଜେତା ଇଟାଲିର ସିନ୍ନର ୬-୪, ୬-୩, ୬-୦ ସେଟ୍‌ରେ ନିଜ ଦେଶର ଲୁକା ନାର୍ଡିଙ୍କୁ, ଅଷ୍ଟ୍ରେଲିଆର ଡି’ମିନୁର ୬-୨, ୬-୨, ୭-୬ ସେଟ୍‌ରେ ସ୍ପେନ୍‌ର ରୋବର୍ତୋ କାର୍ବାଲେସ ବାଏନାଙ୍କୁ ଏବଂ ଆମେରିକାର ପଲ୍‌ ୬-୪, ୬-୪, ୬-୨ ସେଟ୍‌ରେ ବ୍ରିଟିସ୍‌ ଖେଳାଳି ଜୋହାନସ ମନ୍‌ଡେଙ୍କୁ ପରାସ୍ତ କରିଥିଲେ। ତେବେ ଗତ ସଂସ୍କରଣ ସେମିଫାଇନାଲିଷ୍ଟ ଇଟାଲିର ଲୋରେଞ୍ଜୋ ମୁସେଟି ୨-୬, ୬-୪, ୫-୭, ୧-୬ ସେଟ୍‌ରେ ଜଜିୟାର ନିକୋଲୋଜ ବାସିଲାଶଭିଲିଙ୍କଠୁ ହାରି ବିଦାୟ ନେଇଛନ୍ତି।

Advertisment

ଫ୍ରାନ୍ସର ୬ଫୁଟ ୮ ଇଞ୍ଚ ଉଚ୍ଚତା ବିଶିଷ୍ଟ ଜିଏଭାନି ପେରିକାର୍ଡ ଚଳିତ ୱିମ୍ବଲଡନ୍ ଓପନ୍‌ରେ ଇତିହାସ ରଚିଛନ୍ତି। ୱିମ୍ବଲଡନ୍ ଇତିହାସର ଦ୍ରୁତତମ ସର୍ଭିସ୍ ମାରିବାର ରେକର୍ଡ ‌ନିଜ ନାମରେ ଲିପିବଦ୍ଧ କରି ନେଇଛନ୍ତି ସେ। ପଞ୍ଚମ ସିଡ୍ ଟେଲର ଫ୍ରିଜ୍‌ଙ୍କ ବିପକ୍ଷ ପ୍ରଥମ ରାଉଣ୍ଡ୍ ମ୍ୟାଚ୍‌ର ପ୍ରଥମ ଗେମ୍‌ରେ ହିଁ ପେରିକାର୍ଡ ଘଣ୍ଟାପ୍ରତି ୨୪୬ କିଲୋମିଟର ବେଗରେ ସର୍ଭିସ୍ କରିଥିଲେ। ହେଲେ ଫ୍ରିଜ୍ କେବଳ ଏହାକୁ ସଫଳତାର ସହ ରିଟର୍ଣ୍ଣ କରି ନଥିଲେ, ବରଂ ପଏଣ୍ଟ୍ ବି ଜିତି ନେଇଥିଲେ। ପେରିକାର୍ଡ କିନ୍ତୁ ପ୍ରଥମ ଦୁଇ ସେଟ୍ ଜିତି ନେଇଥିଲେ। ଫ୍ରିଜ୍ ପରବର୍ତ୍ତୀ ଦୁଇ ସେଟ୍‌କୁ ଜିତି ମ୍ୟାଚ୍‌କୁ ବରାବର ସ୍ଥିତିକୁ ନେଇ ଯାଇଥିଲେ। ସମୟ ଅଭାବରୁ ସୋମବାର ଏହି ମ୍ୟାଚ୍ ସେହିଠାରେ ସ୍ଥଗିତ ରହିଥିଲା। ମଙ୍ଗଳବାର ପଞ୍ଚମ ତଥା ଶେଷ ସେଟ୍‌କୁ ଜିତି ଫ୍ରିଜ୍‌ ମ୍ୟାଚ୍‌କୁ ନିଜ ନାଁରେ କରି ଦେଇଥିଲେ। ଫଳରେ ନୂଆ ରେକର୍ଡ ସତ୍ତ୍ବେ ପେରିକାର୍ଡ ନୈରାଶ୍ୟଜନକ ଭାବେ ପ୍ରଥମ ରାଉଣ୍ଡ୍‌ରୁ ବିଦାୟ ନେଇଥିଲେ। ପେରିକାର୍ଡ ଏହିକ୍ରମରେ ୨୦୧୦ ମସିହାରେ ଆମେରିକାର ଟେଲର ଡେଣ୍ଟ୍ ମାରିଥିବା ଘଣ୍ଟାପ୍ରତି ୨୩୮ କିଲୋମିଟର ବେଗର ସର୍ଭିସ୍ ରେକର୍ଡକୁ ଭାଙ୍ଗିଥିଲେ। ଏହି ରେକର୍ଡ ସେ ପୂର୍ବବିଜେତା ନୋଭାକ ଜୋକୋଭିକ୍‌ଙ୍କ ବିପକ୍ଷ ମ୍ୟାଚ୍‌ରେ କରିଥିଲେ।