ବଡ଼ ବିପର୍ଯ୍ୟୟ: ଆର୍ଜେଣ୍ଟିନାକୁ ହରାଇଲା ସାଉଦି ଆରବ

ସ୍ବଳ୍ପ ପ୍ରତିଶତରୁ ବିଜୟ, ପ୍ରଥମରୁ ବିପର୍ଯ୍ୟୟର ଧାରା

ଲୁସାଇଲ୍: ଫିଫା ବିଶ୍ବକପ୍‌ ତୃତୀୟ ଦିବସର ପ୍ରଥମ ମ୍ୟାଚ୍‌ରୁ ଅପ୍ରତ୍ୟାଶିତ ଫଳ ମିଳିଛି। ୨ ଥର ବିଜେତା ତଥା କିଂବଦନ୍ତି ଲିଓନେଲ୍ ‌ମେସିଙ୍କ ଆର୍ଜେଣ୍ଟିନା ଦଳକୁ ସାଉଦି ଆରବ ଆଶ୍ଚର୍ଯ୍ୟଜନକ ଭାବେ ୨-୧ରେ ହରାଇ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛି। ବିଶ୍ବକପ୍‌ ମଇଦାନରେ ପ୍ରଥମ ଥର ମୁହାମୁହିଁ ହୋଇଥିଲେ ଏହି ଦୁଇ ଦେଶ। ଏବେ ବିଶ୍ବ ବିଖ୍ୟାତ ଆର୍ଜେଣ୍ଟିନା ବିପକ୍ଷରେ ସାଉଦି ଆରବର ବିଜୟ ନିଶ୍ଚିତ ଲମ୍ବା ସମୟ ପାଇଁ ସ୍ମରଣୀୟ ରହିବ। ମୋଟ ଉପରେ ପଞ୍ଚମ ଥର ମୁକାବିଲା କରି ପ୍ରଥମ ଥର ପାଇଁ ମଧ୍ୟ ମ୍ୟାଚ୍‌ ଜିତିଛି ସାଉଦି ଆରବ। ବିଶ୍ବକପ୍‌ ଇତିହାସରେ ମଧ୍ୟ ସାଉଦି ଆରବର ଏହା ସର୍ବପ୍ରଥମ ବିଜୟ। ଏଥି ସହ ୧୯୭୮ ଓ ୧୯୮୬ରେ ବିଜେତା‌ ଆର୍ଜେଣ୍ଟିନା ଗତ ଥର ଭଳି (ପ୍ରିକ୍ବାର୍ଟର) ଆଗୁଆ ବିଦାୟ ନେବାର ଆଶଙ୍କା ଭିତରେ ପଡ଼ିଯାଇଛି।

ଲୁସାଇଲ୍‌ର ନୂଆ ଷ୍ଟାଡିୟମ୍‌ରେ ମଙ୍ଗଳବାର ମଧ୍ୟ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯାଇଥିଲା। ଷ୍ଟାଡିୟମ୍‌ର ପଦାର୍ପଣ ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ ମ୍ୟାଚ୍‌ କିନ୍ତୁ ନିଜ ଶେଷ ବିଶ୍ବକପ୍‌ ‌ଖେଳୁଥିବା ଲିଓନେଲ୍‌ ମେସିଙ୍କ ପାଇଁ ଦୁଃସ୍ବପ୍ନ ଭଳି ରହିଗଲା। ୨୦୧୯ରୁ କ୍ରମାଗତ ୩୬ ମ୍ୟାଚ୍‌ରେ ଅପରାଜେୟ ରହିଥିବା ଆର୍ଜେଣ୍ଟିନା ଯେ ସାଉଦି ଆରବଠାରୁ ହାରିବ ଅନେକଙ୍କ ବିଶ୍ବାସ ବାହାରେ ଥିଲା। ଇଟାଲି ନାମରେ ଥିବା ଦୀର୍ଘତମ ଅପରାଜେୟ କୀର୍ତ୍ତିମାନ (୩୭ ମ୍ୟାଚ୍‌)ର ସମକକ୍ଷ ହେବାରୁ ମଧ୍ୟ ମେସିଙ୍କ ଦଳ ବଞ୍ଚିତ ରହିଲା। ମଙ୍ଗଳବାର କିଂବଦନ୍ତି ଖେଳାଳି ତଥା ୭ ଥର ବାଲନ୍ ଡି’ଓର୍ ପୁରସ୍କାର ବିଜେତା ମେସି (୧୦ମ ମିନିଟ୍‌) ପେନାଲ୍ଟିରୁ ପ୍ରଥମ ଗୋଲ୍ ସ୍କୋର୍‌ କରି ପ୍ରଥମାର୍ଦ୍ଧ ସୁଦ୍ଧା ଆର୍ଜେଣ୍ଟିନାକୁ ୧-୦ରେ ଆଗୁଆ ରଖିଥିଲେ। ଦ୍ବିତୀୟାର୍ଦ୍ଧରେ କିନ୍ତୁ ସାଉଦି ଖେଳାଳି ସଙ୍କଳ୍ପବଦ୍ଧତାର ସହ ଆସିଥିବା ପ୍ରମାଣିତ କରିଦେଇଥିଲେ। ୪୮ତମ ମିନିଟରେ ଅଲ୍‌ ସେହରିଙ୍କ ଲୋ ସଟ୍‌ ମ୍ୟାଚ୍‌କୁ ବରାବର ସ୍ତରକୁ‌ ନେଇ ଆସିଥିଲା। ୫୩ତମ ମିନିଟ୍‌ରେ ଅଲ୍ ଦାଓସାରି ପେନାଲ୍ଟି ଏରିଆରୁ‌ ମାରିଥିବା ସଟ୍‌ ଆର୍ଜେଣ୍ଟିନା‌ ଗୋଲ୍ ପୋଷ୍ଟ ଭିତରକୁ ଚାଲି ଯାଇଥିଲା।

ଏଥିସହିତ ୨-୧ରେ ଆଗୁଆ ହୋଇଯାଇଥିଲା ସାଉଦି ଆରବ। ପ୍ରତିଯୋଗିତାକୁ ଦାବିଦାର ଭାବେ ଆସିଥିବା ଆର୍ଜେଣ୍ଟିନା ହାତରେ ସେବେଠାରୁ ଥିବା ଅବଶିଷ୍ଟ ୪୦ ମିନିଟ୍‌ରେ ଏହାର ଖେଳାଳିମାନେ କିଛି କରିସ୍ମା ଦେଖାଇପାରିନଥିଲେ। ସାଉଦିର ଗୋଲ୍‌ରକ୍ଷକ ମହମ୍ମଦ ଆଲାୱାଇସ୍‌ ଏକାଧିକ ଗୋଲ୍ ବଞ୍ଚାଇବା ସହ ସାହସିକତା ପ୍ରଦର୍ଶନ କରିଥିଲେ। ଆର୍ଜେଣ୍ଟିନା ସହିତ ମଧ୍ୟ ଏହାର ଭାଗ୍ୟ ରହିନଥିଲା। ୩ଟି ଗୋଲ୍‌କୁ ଅଫସାଇଡ଼ ପାଇଁ ନାକଚ କରିଦିଆଯାଇଥିଲା। ଏଥି ସହିତ ଫିଫା ମାନ୍ୟତାରେ ୩ ନମ୍ବର ଦଳକୁ ୪୮ ନମ୍ବର ସାଉଦି ହରାଇ ଦେଇଥିଲା। ଆର୍ଜେଣ୍ଟିନା ୫୧ ପ୍ରତିଶତ ବଲ୍ ନିୟନ୍ତ୍ରଣରେ ରଖିଥିଲେ ମଧ୍ୟ ଆବଶ୍ୟକ‌ତା ବେଳେ ଗୋଲ୍ ଦେଇନପାରି ପରାଜୟ ପାର୍ଶ୍ବରେ ରହିଲା। ମାତ୍ର ୨୪ ପ୍ରତିଶତ ସମ୍ପୂର୍ଣ୍ଣ ବଲ୍ ନିୟନ୍ତ୍ରଣରେ ରଖି ସାଉଦି ଆରବ ବିଜେତା ହୋଇଥିଲା। ଅବଶିଷ୍ଟ ୨୫ ପ୍ରତିଶତ ଉଭୟ ପ୍ରତିଦ୍ବନ୍ଦ୍ବିତା କରିଥିଲେ ବଲ୍ ସହିତ।

ସ୍ବଳ୍ପ ପ୍ରତିଶତରୁ ବିଜୟ
ସମ୍ଭାବନା ପ୍ରତିଶତ ଦୃଷ୍ଟିରୁ ସାଉଦି ଆରବର ବିଜୟକୁ ବୃହତ୍ ବିଜୟ ଭାବେ ବିବେଚନା କରାଯାଉଛି। ମ୍ୟାଚ୍‌ ପୂର୍ବରୁ ଏହି ଦଳର ବିଜୟ ସମ୍ଭାବନା ଥିଲା ମାତ୍ର ୮.୭ ପ୍ରତିଶତ। ସେହିଭଳି ୧୯୫୦ରେ ୯.୫ ପ୍ରତିଶତ ସମ୍ଭାବନା ରଖିଥିବା ଆମେରିକା ୧-୦ରେ ଇଂଲଣ୍ଡକୁ, ୨୦୧୦ରେ ସ୍ବିଜରଲାଣ୍ଡ୍‌ (୧୦.୩%) ୧-୦ରେ ସ୍ପେନକୁ, ୧୯୮୨ରେ ଆଲଜେରିଆ (୧୩.୨%) ୨-୧ରେ ପଶ୍ଚିମ ଜର୍ମାନିକୁ, ୨୦୦୬ରେ ଘାନା (୧୩.୯%) ୨-୦ରେ ଚେକ୍ ରିପବ୍ଲିକକୁ ପରାସ୍ତ କରିଥିଲା।

ପ୍ରଥମରୁ ବିପର୍ଯ୍ୟୟର ଧାରା
ବିଶ୍ବକପ୍‌ରେ ବଡ଼ ଦଳ ପ୍ରଥମ ମ୍ୟାଚ୍‌ ହ‌ାରିଯିବାର ବହୁ ଉଦାହରଣ ରହିଛି। ୨୦୦୨ରେ ପ୍ରଥମ ମ୍ୟାଚ୍‌‌ରେ ୧୯୯୮ ବିଜେତା ଫ୍ରାନ୍ସକୁ ସେନେଗାଲ୍ ୧-୦ରେ ପରାସ୍ତ କରିଥିବା ବେଳେ ୧୯୯୦ରେ ବିଜେତା ଆର୍ଜେଣ୍ଟିନାକୁ କାମେରୁନ୍‌ ୧-୦ ଗୋଲ୍‌ରେ ପରାସ୍ତ କରିଥିଲା। ୨୦୦୨ରେ ମଧ୍ୟ ଇଟାଲିକୁ ଦକ୍ଷିଣ କୋରିଆ ୨-୧ରେ ଗୋଲ୍‌ରେ ପରାସ୍ତ କରିଥିଲା।

ପ୍ରଶିକ୍ଷକଙ୍କ ପରାକାଷ୍ଠା


ବିଶ୍ବକପ୍‌ ଦାବିଦାର ଆର୍ଜେଣ୍ଟିନା ବିପକ୍ଷରେ ଅପ୍ରତ୍ୟାଶିତ ବିଜୟ ପରେ ସାଉଦି ଆରବ ପ୍ରଶଂସକ ଏବେ ଉତ୍ସବର ମାହୋଲ ଭିତରେ ଅଛନ୍ତି। ପଶ୍ଚିମ ଏସିଆର ଏହି ଦେଶ ମଧ୍ୟପ୍ରାଚ୍ୟର ପ୍ରଥମ ବିଶ୍ବକପ୍‌ରେ ଘରୋଇ ପରିବେଶରୁ ଫାଇଦା ପାଇଛି। ଦଳର ବିଜୟ ପାଇଁ କିନ୍ତୁ ପେସାଦାର ଫରାସୀ ପ୍ରଶିକ୍ଷକ ହେର୍ଭ ରେନର୍ଡଙ୍କୁ ଶ୍ରେୟ ମିଳୁଛି। ଏକଦା ସମାଲୋଚିତ ରେନର୍ଡଙ୍କ ନିକଟକୁ ଏବେ ପ୍ରଶଂସାର ସୁଅ ଛୁଟିଛି। ୨୦୦୪ରେ କେମ୍ବ୍ରିଜ୍ ୟୁନାଇଟେଡ୍‌ ତାଙ୍କୁ ବିତାଡ଼ିତ କରିଥିଲା। ଏବେ ରେନର୍ଡ କିନ୍ତୁ ପ୍ରଥମ ପ୍ରଶିକ୍ଷକ ଭାବେ ଦୁଇଟି‌ ଦେଶକୁ ଆଫକନ୍‌ ଟାଇଟଲ୍ ବିଜେତା (ଜାମ୍ବିଆ ଓ ଆଇଭରି କୋଷ୍ଟ) କରିସାରିଛନ୍ତି। ୨୦୧୮ ଫିଫା ବିଶ୍ବକପ୍‌ରେ ସେ ମରକ୍କୋର ପ୍ରଶିକ୍ଷକ ଥିଲେ।

ସମ୍ବନ୍ଧିତ ଖବର