ମେଲବର୍ନ: ମାର୍ଚ ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସରେ ମହିଳା କ୍ରିକେଟର୍ମାନେ ମହା ମୁକାବିଲାରେ ଅବତୀର୍ଣ୍ଣ ହେବେ। ମେଲବର୍ନ କ୍ରିକେଟ୍ ଗ୍ରାଉଣ୍ଡ୍ରେ ଖେଳାଯିବ ଆଇସିସି ଟି-୨୦ ମହିଳା ବିଶ୍ବକପ୍ ଫାଇନାଲ୍। ୪ ଥର ବିଜେତା ଅଷ୍ଟ୍ରେଲିଆ ଆଗରେ ପ୍ରଥମ ଥର ଫାଇନାଲ୍ ଆସିଥିବା ଭାରତ। ଆୟୋଜକମାନଙ୍କୁ ଏକ ସ୍ବପ୍ନର ଫାଇନାଲ୍ ମିଳିଯାଇଛି। ବିଶ୍ବର ଏକ ନମ୍ବର ଦଳ, ଅୟୋଜକ ଦେଶ ଏବଂ ସର୍ବାଧିକ ଥର ବିଜେତା ହେଉଛି ଅଷ୍ଟ୍ରେଲିଆ। ଫାଇନାଲ୍ ମ୍ୟାଚ୍ ପାଇଁ ୭୫,୦୦୦ରୁ ଊର୍ଧ୍ବ ପ୍ରଶଂସକ ବି ଟିକେଟ୍ କିଣି ସାରିଛନ୍ତି। ଏତେ ଉତ୍ସୁକତା ଆଗରୁ ଦେଖା ଦେଇନଥିଲା। ଉଦ୍ଘାଟନୀ ମ୍ୟାଚ୍ରେ ଏହି ଦୁଇ ଦେଶ ମୁହାଁମୁହିଁ ହୋଇଥିଲେ। ହରମନପ୍ରୀତ୍ କୌରଙ୍କ ଦଳ କିନ୍ତୁ ବାଜି ମାରି ପ୍ରଥମରୁ ଘରୋଇ ଦଳକୁ ଶକ୍ତ ଝଟ୍କା ଦେଇଥିଲା। କଙ୍ଗାରୁ ଦଳ କିନ୍ତୁ ଗ୍ରୁପ୍ ‘ଏ’ରେ ଭାରତ ତଳକୁ ରହି ସେମିଫାଇନାଲ୍ ପହଞ୍ଚିଯାଇଥିଲା। ଇଂଲଣ୍ଡ ବିପକ୍ଷ ସେମିଫାଇନାଲ୍ ବର୍ଷା ଧୋଇନେବାରୁ ଭାରତ ଗ୍ରୁପ୍ ଟପ୍ପର ଭାବେ ଫାଇନାଲ୍ ଆସିଥିଲା। ଅଷ୍ଟ୍ରେଲିଆ କିନ୍ତୁ ଦକ୍ଷିଣ ଆଫ୍ରିକାକୁ ଡିଏଲ୍ ନିୟମରେ ହରାଇ ଟ୍ରଫି ଲଢ଼େଇରେ ଅବତୀର୍ଣ୍ଣ ହୋଇଛି। ମେଗ୍ ଲାନିଙ୍ଗ୍ଙ୍କ ଅଷ୍ଟ୍ରେଲିଆ ଦଳ ବିଜୟକୁ ଅଭ୍ୟାସରେ ପରିଣତ କରିଥିବାରୁ ନର୍ଭସ ଭାରତ କେବଳ ଲିଗ୍ ବିଜୟକୁ ଦୋହରାଇ ଆଇସିସି ମୁକୁଟ ସ୍ବପ୍ନକୁ ସାକାର କରିବା ଆଶାରେ ରହିଛି। ଭାରତର ଭରସା ଷୋଡ଼ଶୀ ଶେଫାଳି ବର୍ମାଙ୍କ ବ୍ୟାଟିଂ ଏବଂ ସ୍ପିନରଙ୍କ ଉପରେ ନର୍ଭରଶୀଳ ରହିବ। ଅଧିନାୟିକା ହରମନପ୍ରୀତ୍ କୌର ଭଲ ପ୍ରଦର୍ଶନ କରୁନଥିଲେ ମଧ୍ୟ ବଡ଼ ମ୍ୟାଚ୍ ଖେଳାଳି ଭାବେ ପରିଚୟ ରଖିଥିବାରୁ ଫାଇନାଲରେ ଚମକିବେ ବୋଲି ଆଶା ରହିଛି। ଶେଫାଳି ବିଗତ ୪ ପାଳିରେ ଯଥାକ୍ରମେ ୨୯, ୩୯, ୪୬ ଓ ୪୭ ରନ୍ କରିଛନ୍ତି। ଚଳିତ ବିଶ୍ବକପ୍ର ସବୁଠୁ ଭୟଙ୍କର ବ୍ୟାଟର୍ ଭାବେ ମଧ୍ୟ ଉଭା ହୋଇଛନ୍ତି ଶେଫାଳି। ୱଲଭର୍ଟ, ସ୍କୁଟ୍ ଏବଂ ଜୋନାସେନ୍ଙ୍କ ଭଳି ଦ୍ରୁତ ବୋଲର ଶେଫାଳିଙ୍କ ଲୟ ବିଗାଡ଼ିବେ ବୋଲି ଲାନିଙ୍ଗ ଯୋଜନା କରିଛନ୍ତି। ଭାରତ କିନ୍ତୁ ମହିଳା ଦିବସରେ ଏହି ମହିଳା କ୍ରିକେଟର୍ଙ୍କଠାରୁ ବଡ଼ ପାଳି ଆଶାରେ ରହିଛି। ଭାରତୀୟ ଦଳରେ ପରିବର୍ତନ ହେବ ନାହିଁ ବୋଲି ସୂଚନା ମିଳିଛି।
ପିଚ୍: ଗୁରୁବାର ମେଲବର୍ନରେ ବର୍ଷା କାରଣରୁ ଭାରତକୁ ୱାକ୍ ଓଭର ମିଳିଥିଲା। ଅଷ୍ଟ୍ରେଲିଆ ମଧ୍ୟ ବର୍ଷା ବାଧା ଭିତରେ ଜିତି ଆଗକୁ ଆସିଥିଲା। ରବିବାର କିନ୍ତୁ ପାଗ ବଢ଼ିଆ ରହିବ ବୋଲି ପୂର୍ବାନୁମାନ ଦିଆଯାଇଛି। ପିଚ୍ ମଧ୍ୟ ଫ୍ଲାଟ୍ ରହିଛି। ଏହି ପଡ଼ିଆରେ କିନ୍ତୁ ବିଗତ ୨ ସପ୍ତାହ ହେବ କ୍ରିକେଟ୍ ମ୍ୟାଚ୍ ଖେଳାଯାଇନାହିଁ। ଅଷ୍ଟ୍ରେଲିଆା ‘ଏ’ ବନାମ ଇଂଲଣ୍ଡ ଲାୟନ୍ସ ଏଠାରେ ଶେଷ ମ୍ୟାଚ୍ ଖେଳିଥିଲେ।
ତଥ୍ୟ: ଭାରତ ପ୍ରଥମ ଥର ଟି-୨୦ ବିଶ୍ବକପ୍ ଫାଇନାଲ୍ ଆସିଛି। ଅଷ୍ଟ୍ରେଲିଆ କିନ୍ତୁ କ୍ରମାଗତ ପଞ୍ଚମ ଥର ଫାଇନାଲ୍ ଖେଳିବ। ମେଲବର୍ନରେ ପୂର୍ବରୁ ଥରେ ଆଇସିସି ମହିଳା ବିଶ୍ବକପ୍ ଫାଇନାଲ୍ ଖେଳାଯାଇଛି। ୧୯୮୮ ମସିହାରେ ୩୦୦୦ ଦର୍ଶକଙ୍କ ସମ୍ମୁଖରେ ଇଂଲଣ୍ଡକୁ ହରାଇ ଅଷ୍ଟ୍ରେଲିଆ ଦିନିକିଆ ବିଶ୍ବ ବିଜେତା ହୋଇଥିଲା। ଟି-୨୦ ମୁକାବିଲା ଦେଖିଲେ ଅଷ୍ଟ୍ରେଲିଆ ପ୍ରଥମ ୭ ମୁକାବିଲାରେ ବିଜୟୀ ହୋଇଥିଲା। ଭାରତ କିନ୍ତୁ ଶେଷ ୧୨ଟିରୁ ୬ଟି ଏବଂ ବିଗତ ୫ଟିରୁ ୩ଟି ଜିତିଛି।
ଭାରତୀୟ ଦଳ (ସମ୍ଭାବ୍ୟ): ଶେଫାଳି ବର୍ମା, ସ୍ମୃତି ମନ୍ଧାନା, ଜେମିମା ରଡ୍ରିଗ୍ବେଜ, ହରମନପ୍ରୀତ୍ କୌର୍ (ଅଧିନାୟିକା), ଦୀପ୍ତି ଶର୍ମା, ବେଦ କୃଷ୍ଣମୂର୍ତ୍ତି, ତାନିଆ ଭାଟିଆ (ୱିକେଟରକ୍ଷକ), ଶିଖା ପାଣ୍ଡେ, ରାଧା ଯାଦବ, ପୁନମ ଯାଦବ, ରାଜେଶ୍ବରୀ ଗାଏକ୍ବାଡ।
ଅଷ୍ଟ୍ରେଲିଆ ଦଳ (ସମ୍ଭାବ୍ୟ): ବେଥ୍ ମୁନି, ଆଲିସା ହିଲି, ମେଗ୍ ଲାନିଙ୍ଗ୍ (ଅଧିନାୟିକା), ଆସଲେ ଗାର୍ଡନର୍, ରାଚାଲ୍ ହେନ୍ସ, ଜେସ୍ ଜୋନାସନ୍, ନିକୋଲା କ୍ୟାରି, ଡେଲିସା କିମିନ୍ସ, ଜର୍ଜିଆ ୱାରହାମ୍/ମୋଲି ଷ୍ଟ୍ରାନୋ, ସୋଫି ମେଲିନେକ୍ସ, ମେଗନ୍ ସ୍କୁଟ୍।
କଥା କଥାରେ
ଏଭଳି ଅଭିଜ୍ଞତା ଆଗରୁ ମିଳିନଥିଲା, ମୁଁ ସବୁବେଳେ ବଡ଼ ମ୍ୟାଚ୍ରେ ଭାଗୀଦାର ବେହାକୁ ଚାହିଁଥିଲି। ଏବେ ମେଲବର୍ନରେ ଏତେ ପ୍ରଶଂସକ ଆସୁଥିବା ଜାଣି ସଂଶ୍ଲିଷ୍ଟ ହେବାକୁ ଆଗ୍ରହୀ: ମେଗ୍ ଲାନିଙ୍ଗ, ଅଷ୍ଟ୍ରେଲିଆ ଅଧିନାୟିକା
ଷ୍ଟାଡିୟମ୍କୁ ୯୦,୦୦୦ ଲୋକଙ୍କ ଆଗମନ ହେଉଥିବା ଜାଣି ଖୁସି ଲାଗୁଛି। ଏହି ମୁହୂର୍ତ୍ତକୁ ଆମେ ଉପଭୋଗ କରିବାକୁ ଯାଉଛୁ, ଆମ ସମସ୍ତଙ୍କ ପାଇଁ ଏହା ବଡ଼ ମୁହୂର୍ତ୍ତ।
ଶେଫାଳି ବର୍ମାଙ୍କୁ ରୋକିବାକୁ ହେଲେ ଅଷ୍ଟ୍ରେଲିଆକୁ ମସ୍ତିସ୍କରେ ଖେଳିବାକୁ ହେବ: ଡାନିଏଲ୍ ୱାଟ୍, ଇଂଲଣ୍ଡ ପ୍ରାରମ୍ଭିକ ବ୍ୟାଟର୍
୯୦,୦୦୦ ଦର୍ଶକ, ଭାରତ ପାଇଁ ‘ଭାରତ ଆର୍ମି’
ଭାରତ ଏବଂ ଅଷ୍ଟ୍ରେଲିଆ ଫାଇନାଲ୍ ମ୍ୟାଚ୍ ସହିତ ମେଲବର୍ନ କ୍ରିକେଟ୍ ଗ୍ରାଉଣ୍ଡ୍ ଦେଖିବ ମହିଳା କ୍ରିକେଟ୍ର ବୃହତ୍ ମୁକାବିଲା। ଏହି ମ୍ୟାଚ୍ ମଧ୍ୟ ମହିଳାଙ୍କ ମ୍ୟାଚ୍ ପାଇଁ ସର୍ବାଧିକ ଦର୍ଶକ କୀର୍ତ୍ତିମାନ କରିବାକୁ ଯାଉଛି। ୪୮ ଘଣ୍ଟା ପୂର୍ବରୁ ଫାଇନାଲ୍ ମ୍ୟାଚ୍ ଲାଗି ଆଇସିସି ୭୫,୦୦୦ ଟିକେଟ୍ ବିକ୍ରି କରି ସାରିଥିଲା। ଶୁକ୍ରବାର ଆହୁରି ୧୫,୦୦୦ ଟିକେଟ୍ ମଧ୍ୟ ବିକ୍ରି ହୋଇଥିବା କ୍ରିକେଟ୍ ଅଷ୍ଟ୍ରେଲିଆ ମହିଳା ବିଭାଗ ମୁଖ୍ୟ ସାରା ଷ୍ଟାଇଲ୍ସ ଟ୍ବିଟ୍ କରିଛନ୍ତି। ଏହା ଛଡ଼ା ଆଇସିସିକୁ ଅତିରିକ୍ତ ସିଟ୍ର ବ୍ୟବସ୍ଥା କରିବାକୁ ପଡ଼ିଛି। ମେଲବର୍ନରେ ଭଲ ସଂଖ୍ୟାରେ ଭାରତୀୟ ରହିଛନ୍ତି। ଭାରତ ଆର୍ମି ମଧ୍ୟ ବହୁ ଟିକେଟ୍ କିଣି ନେଇଛି। ଭାରତୀୟ ପୁରୁଷ ଦଳକୁ ବିଶ୍ବବ୍ୟାପୀ ପିଛା କରୁଥିବା ଭାରତ ଆର୍ମି ଏଥର ମହିଳା ଦଳକୁ ସମର୍ଥନ ଦେବାକୁ ମଧ୍ୟ ଅଷ୍ଟ୍ରେଲିଆରେ ଡେରା ପକାଇଛି। ଭାରତୀୟ ଦଳକୁ ମଧ୍ୟ ବିରାଟ କୋହଲି, ସଚିନ ତେନ୍ଦୁଲକର ଏବଂ ମିତାଲି ରାଜ୍ଙ୍କ ଭଳି ଖେଳାଳିଙ୍କଠାରୁ ଶୁଭେଚ୍ଛା ମିଳିଥିବାରୁ ସେମାନଙ୍କ ମନୋବଳ ବଢ଼ାଇବାରେ ଏହା ସହାୟକ ହେବ ବୋଲି ଆଶା କରାଯାଉଛି।