କୋଲକାତା: ଐତିହାସିକ ଇ‌ଡେନ୍‌ ଗାର୍ଡେନ୍ସ ରବିବାର ଭାରତ-ୱେଷ୍ଟଇଣ୍ଡିଜ୍‌ ହାଇଭୋଲ୍‌ଟେଜ୍‌ ସୁପର-୮ ମ୍ୟାଚ୍‌ ଆୟୋଜନ କରିବ। ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ସେମିଫାଇନାଲ୍‌ ପ୍ରବେଶ ଦୃଷ୍ଟିରୁ ଏହି ମ୍ୟାଚ୍‌ ଉଭୟ ଦଳ ପାଇଁ କ୍ବାର୍ଟରଫାଇନାଲ୍‌ ସଦୃଶ ହେବ। ସମୀକରଣ ଦୁଇଟି ଯାକ ଦଳ ପାଇଁ ସମାନ ରହିବ। ଜିତିଲେ ସେମିଫାଇନାଲ୍‌ ଟିକେଟ୍‌ ମିଳିବ। ଯିଏ ହାରିବ ସିଏ କିନ୍ତୁ ବିଦାୟ ନେବ। କୌଣସି କାରଣରୁ ଯଦି ମ୍ୟାଚ୍‌ ବାତିଲ ହୁଏ, ଆୟୋଜକ ଭାରତ ଓ ଦୁଇ ଥର ବିଜେତା ଇଣ୍ଡିଜ୍‌ ୩ପଏଣ୍ଟ୍‌ ଲେଖାଏଁ ପାଇ ବରାବର ସ୍ଥିତିରେ ରହିବେ। ତେବେ ଉନ୍ନତ ନେଟ୍‌ ରନ୍‌ ରେଟ୍‌ ଆଧାରରେ ୱେଷ୍ଟଇଣ୍ଡିଜ୍‌ ସେମିଫାଇନାଲ୍‌ ଖେଳିବ। ଭାରତ ଜିତିଲେ ତା’ ପାଇଁ ପ୍ରଥମ ଆୟୋଜକ ଦେଶ ଭାବେ ବିଶ୍ବକପ୍‌ ଜିତିବାର ଆଶା ଅତୁଟ ରହିବ। ୱେଷ୍ଟଇଣ୍ଡିଜ୍‌ ଜିତିଲେ ପ୍ରଥମ ଦଳ ଭାବେ ତିନି ଥର ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଜିତିବାର ବିରଳ ରେକର୍ଡ ଦିଗରେ ଆଉ ଗୋଟିଏ ପାଦ ବଢ଼ାଇବ। ସୁପର-୮ର ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାଠାରୁ ୭୬ ରନ୍‌ରେ ହାରିବା ପରେ ଭାରତର ଅପରାଜେୟ ଧାରା ଅଟକି ଥିଲା। ତା’ ସହିତ ସେମିଫାଇନାଲ୍‌ ପ୍ରବେଶ ଦୃଷ୍ଟିରୁ ଏହି ପର୍ଯ୍ୟାୟର ଶେଷ ଦୁଇଟି ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ପାଇଁ କର ବା ମରର ଆହ୍ବାନ ରହିଥିଲା। ଗତ ମ୍ୟାଚ୍‌ରେ ଜିମ୍ବାୱେକୁ ୭୨ ରନ୍‌ରେ ହରାଇ ସୂର୍ଯ୍ୟକୁମାର ସେନା ତା’ର ସେମିଫାଇନାଲ୍‌ ଆଶା ଅତୁଟ ରଖିଥିଲା। ଏବେ ଏହି ଲକ୍ଷ୍ୟର ଦ୍ବିତୀୟ ବାଧା ଅର୍ଥାତ୍ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ମ୍ୟାଚ୍‌କୁ ଜିତିବା ଭାରତୀୟ କ୍ରିକେଟ୍‌ ଦଳ ପାଇଁ ଅନୁରୂପ ଭାବେ ଏକାନ୍ତ ଅପରିହାର୍ଯ୍ୟ ହୋଇଛି। ଭାରତ ଗତ ମ୍ୟାଚ୍‌ ଭଳି ରବିବାର ଏହି ମ୍ୟାଚ୍‌କୁ ଜିତି ଦଶମ ପ୍ରୟାସରେ ପଞ୍ଚମ ଥର ପାଇଁ ‌ସେମିଫାଇନାଲ୍‌ ଖେଳିବ ବୋଲି ୧୪୫ କୋଟି ଭାରତୀୟ ଆଶା ବାନ୍ଧିଛନ୍ତି। ଏଥର ଇଡେନ୍‌ ଗାର୍ଡେନ୍ସରେ ଅଧିକ ମ୍ୟାଚ୍‌ ନ ଖେଳିବା ହୁଏତ ଏକ ଚିନ୍ତାର କାରଣ ହୋଇପାରେ। କାରଣ ୱେଷ୍ଟଇଣ୍ଡିଜ୍‌ ଏଠାରେ ଚଳିତ ବିଶ୍ବକପ୍‌ର ଦୁଇଟି ମ୍ୟାଚ୍‌ ଖେଳି ସାରିଛି। ସ୍କଟଲାଣ୍ଡ୍‌ ଓ ଇଟାଲି ବିପକ୍ଷ ଦୁଇଟି ଗ୍ରୁପ୍‌ ପର୍ଯ୍ୟାୟ ଲଢ଼େଇ ଜିତି ବି ସାରିଛି। ଅନ୍ୟପକ୍ଷରେ ଭାରତ ପ୍ରଥମ ମୁକାବିଲା ଖେଳିବ। ୱେଷ୍ଟଇଣ୍ଡିଜ୍ ମଧ୍ୟ ୨୦୧୬ ବିଶ୍ବକପ୍‌ର ଫାଇନାଲ୍‌ରେ ଏଠାରେ ହିଁ ଇଣ୍ଡିଜ୍‌କୁ ହରାଇ ବିଜେତା ହୋଇଥିଲା। ସେହିଦୃଷ୍ଟିରୁ ଇଣ୍ଡିଜ୍ ସାମାନ୍ୟ ଫାଇଦାରେ ରହିବ। ତେବେ ଇଡେନ୍‌ ଗାର୍ଡେନ୍ସରେ ଭାରତକୁ କେବେବି ହରାଇ ନ ପାରିବାର ଚାପ ତା’ ଉପରେ ରହିପାରେ। ଇଡେନ୍ ଗାର୍ଡେନ୍ସରେ ଭାରତ-ଇଣ୍ଡିଜ୍‌ ଚାରିଟି ଟ୍ବେଣ୍ଟି-୨୦ ଖେଳିଛନ୍ତି। ପ୍ରତିଥର ଭାରତ ବିଜୟୀ ହୋଇଛି। 

Advertisment

ପାଗ ଶୁଖିଲା ରହିବ
ଭାରତ-ଇଣ୍ଡିଜ୍‌ ମହାଟକ୍କର ପୂର୍ବରୁ ଭାରତୀୟ ପାଣିପାଗ ବିଭାଗ କ୍ରିକେଟ୍‌ ପ୍ରଶଂସକଙ୍କୁ ଖୁସି ଖବର ଦେଇଛି। ରବିବାର ରାତିରେ କୋଲକାତା ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ବିଭାଗ ପୂର୍ବାନୁମାନ କରିଛି। ଦିନରେ ତାପମାତ୍ରା ୩୪ ଡିଗ୍ରୀ ଏବଂ ରାତିରେ ଅ‌ପେକ୍ଷାକୃତ କମ୍‌ ହୋଇ ୨୫ରୁ ୨୬ ଡିଗ୍ରୀ ମଧ୍ୟରେ ରହିବ। ମ୍ୟାଚ୍‌ ରାତି ୭ଟାରୁ ଆରମ୍ଭ ହେବାକୁ ଥିଲା ବେଳେ ଟସ୍‌ ୬.୩୦ରେ ପଡ଼ିବ। ରବିବାର ବର୍ଷା ହେବାର ସମ୍ଭାବନା ପ୍ରାୟ ନାହିଁ। ‌ତେବେ ଅଚାନକ ଯଦି ଅଦିନିଆ ବର୍ଷା ଏହି ପ୍ରତୀକ୍ଷିତ ମୁକାବିଲାକୁ ଧୋଇ ନିଏ, ତାହେଲେ ଇଣ୍ଡିଜ୍ ପାଇଁ ଏହା ବରଦାନ ଓ ଭାରତ ପାଇଁ ଅଭିଶାପ ସାବ୍ୟସ୍ତ ହେବ। 

ଇଡେନ୍‌ରେ ଭାରତ-ଇଣ୍ଡିଜ୍‌ ଟକ୍କର

କାକର ସୃଷ୍ଟି କରିପାରେ ସମସ୍ୟା
କର ବା ମର ମ୍ୟାଚ୍‌ରେ କାକର ଉଭୟ ଦଳ ପାଇଁ ବଡ଼ ସମସ୍ୟା ଭାବେ ଉଭା ହୋଇପାରେ। ଫଳରେ ଟସ୍‌ର ଢେର୍‌ ମହତ୍ତ୍ବ ରହିଛି। ଟସ୍‌ ଜିତିଲେ ପଶ୍ଚାତ୍‌ଧାବନ କରିବା ଏକ ଭଲ ପଦକ୍ଷେପ ହୋଇପାରେ। ଏହି ବିଷୟରେ ଇଡେନ୍‌ ଗାର୍ଡେନ୍ସର ମୁଖ୍ୟ କ୍ୟୁରେଟର୍‌ ସୁଜନ ମୁଖାର୍ଜୀ ମଧ୍ୟ ଚେତାଇ ଦେଇଛନ୍ତି। ରାତି ବଢ଼ିବା ଅନୁସାରେ କାକର ପଡ଼ିବା ବଢ଼ିବ ବୋଲି କହିଛନ୍ତି ସେ। ଏହା ପୂର୍ବରୁ ଚେନ୍ନାଇରେ ଖେଳାଯାଇଥିବା ଭାରତ-ଜିମ୍ବାୱେ ମ୍ୟାଚ୍‌ରେ କାକରର ପ୍ରଭାବକୁ ନିରସ୍ତ୍ର କରିବା ଲାଗି ଏକ ରାସାୟନିକ ଦ୍ରବଣ ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମ୍‌ର ଆଉଟ୍‌ ଫିଲ୍‌ଡରେ ସିଞ୍ଚନ କରାଯାଇଥିଲା। ଇଡେନ୍‌ ଗାର୍ଡେନ୍ସରେ ଏଭଳି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯିବ କି ନାହିଁ, ସେ ବିଷୟରେ କିଛି କହିନାହାନ୍ତି ଶ୍ରୀ ମୁଖାର୍ଜୀ।

ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ ସମ୍ଭାବନା କମ୍‌
ଜିମ୍ବାୱେ ବିପକ୍ଷ ମ୍ୟାଚ୍‌ରେ ଭାରତ ଦୁଇଟି ପରିବର୍ତ୍ତନ କରିଥିଲା। ପିତାଙ୍କ ସ୍ବାସ୍ଥ୍ୟ ଖରାପ ଏବଂ ଅକାଳ ନିଧନ ପାଇଁ ରିଙ୍କୁ ସିଂହଙ୍କୁ ବାଦ୍ ଦେଇ ତାଙ୍କ ସ୍ଥାନରେ ସଞ୍ଜୁ ସାମ୍‌ସନ୍‌ଙ୍କୁ ଖେଳାଇଥିଲା। ସେହିଭଳି ଅଲ୍‌ରାଉଣ୍ଡର୍‌ ୱାସିଂଟନ୍‌ ସୁନ୍ଦରଙ୍କୁ ବାଦ୍‌ ଦେଇ ଅକ୍ଷର ପଟେଲଙ୍କୁ ଫେରାଇ ଆଣିଥିଲା। ଏହି ଦୁଇ ପରିବର୍ତ୍ତନ ଦଳର ସନ୍ତୁଳନକୁ ମଧ୍ୟ ବଢ଼ାଇ ଦେଇଥିଲା। ସବୁଠାରୁ ଭଲ କଥା ଭାବେ ଦଳର ଶୀର୍ଷ ୬ ବ୍ୟାଟର୍‌ ଭଲ ରନ୍‌ କରିଥିଲେ। ଅଭିଷେକ ଶର୍ମା ଫର୍ମକୁ ଫେରିଥିଲେ। ଅଲ୍‌ରାଉଣ୍ଡର୍‌ ହାର୍ଦିକ ପାଣ୍ଡ୍ୟା ବହୁଦିନ ପରେ ଅର୍ଦ୍ଧଶତକ ହାସଲ କରିଥିଲେ। ଏଣୁ କୋଲକାତାରେ ଭାରତର ଚୂଡ଼ାନ୍ତ ଏକାଦଶରେ ଅଦଳ ବଦଳ ସମ୍ଭାବନା ପ୍ରାୟ ନାହିଁ। ତେବେ ଦଳ ପାଇଁ ବୋଲିଂ ବିଭାଗର ମାତ୍ରାଧିକ ରନ୍‌ ବ୍ୟୟ ଚିନ୍ତାର କାରଣ ହୋଇଛି। ବିଶେଷ କରି ଷଷ୍ଠ ବୋଲର ବିକଳ୍ପ ଦଳ ପାଇଁ ସବୁବେଳେ ସମସ୍ୟା ସୃଷ୍ଟି କରି ଆସୁଛି। ମାଟିକୁ ପୂରା ଜାବୁଡ଼ି ଧରୁଥିବା ପିଚ୍‌ ପାଇଁ ଇଡେନ୍‌ରେ ଲାଇନ୍‌ ଲେନ୍‌ଥ ବିଶେଷ ଗୁରୁତ୍ବ ବହନ କରିବ। ଏଣୁ ଭାରତୀୟ ଦ୍ରୁତ ବୋଲରଙ୍କୁ ବିବିଧତା ଭରା ବୋଲିଂ କରିବାକୁ ହେବ। ସ୍ପିନର୍‌ଙ୍କୁ ଠିକ୍‌ ଜାଗାରେ ବଲ୍ ରଖିବାକୁ ହେବ। ସେହିଭଳି ୱେଷ୍ଟଇଣ୍ଡିଜ୍‌ ମଧ୍ୟ ତା’ ଦଳରେ ବଡ଼ ଧରଣର ପରିବର୍ତ୍ତନ କରିବା ସମ୍ଭାବନା ଏକବାର କମ୍ ରହିଛି। 

ସମ୍ଭାବ୍ୟ ଭାରତ: ଅଭିଷେକ ଶର୍ମା, ସଞ୍ଜୁ ସାମ୍‌ସନ୍‌, ଈଶାନ କିଶନ, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ତିଳକ ବର୍ମା, ଶିବମ ଦୁବେ, ହାର୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ଯଶପ୍ରୀତ୍‌ ବୁମ୍‌ରା, ଅର୍ଶଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ।

ସମ୍ଭାବ୍ୟ ୱେଷ୍ଟଇଣ୍ଡିଜ୍‌: ବ୍ରାଣ୍ଡନ୍‌ କିଙ୍ଗ୍, ସାଇ ହୋପ୍‌ (ଅଧିନାୟକ), ସିମରନ୍‌ ହେଟମାୟର, ରୋଭମନ ପାୱେଲ, ସେରଫାନ୍‌ ରଦରଫୋର୍ଡ, ରୋମାରିଓ ସେପର୍ଡ, ଜାସନ ହୋଲ୍‌ଡର, ମାଥ୍ୟୁ ଫର୍ଡେ, ଅକିଲ ହୁସେନ, ଗୁଡ଼କେଶ ‌ମୋତି, ସମର ଯୋଶେଫ।