ମୁମ୍ବାଇ: ଆନ୍ତର୍ଜାତିକ କ୍ରିକେଟ୍‌ରୁ ୧୦ ବର୍ଷ ତଳୁ ଅବସର ନେଇସାରିଥିଲେ ବି ସଚିନ୍‌ ତେନ୍ଦୁଲକର ଏବେ ବି ବିଜ୍ଞାପନଦାତାମାନଙ୍କର ପ୍ରଥମ ପସନ୍ଦ ଭାବେ ରହିଛନ୍ତି। ଏବେସୁଦ୍ଧା ଏହି ମାଷ୍ଟର ବ୍ଲାଷ୍ଟର ୧୫ ବ୍ରାଣ୍ଡ ସହିତ ଯୋଡ଼ି ହୋଇଛନ୍ତି। ଆପୋଲୋ ଟାୟାର, ସାଭଲୋନ୍‌, ଜିଓ ସିନେମା, ସ୍ପିନି ଓ ଏଜେସ୍‌ ଫେଡେରାଲ୍‌ ଲାଇଫ୍‌ ଇନସ୍ୟୁରାନ୍ସ ଭଳି ବ୍ରାଣ୍ଡମାନଙ୍କ ପାଇଁ ବିଜ୍ଞାପନରେ ସେ ଦେଖାଯାଉଛନ୍ତି। ବିଶ୍ବାସ କରାଯାଏ ଯେ, ବଲିଉଡ୍‌ ତାରକାଙ୍କ ତୁଳନାରେ କ୍ରିକେଟରମାନଙ୍କ ବିଜ୍ଞାପନରେ ଆସିବା ସୁଯୋଗ ଖୁବ୍‌ କମ୍‌ ଥାଏ। କିନ୍ତୁ ‌ସଚିନ୍‌ଙ୍କ ବ୍ରାଣ୍ଡ ମୂଲ୍ୟ ଏବେ ବି ୭୩.୬ ମିଲିଅନ୍‌ ରହିଥିବା କ୍ରୋଲ୍‌ସ ସେଲିବ୍ରିଟି ବ୍ରାଣ୍ଡ ଭାଲ୍ୟୁଏସନ୍‌ ରିପୋର୍ଟ ଦର୍ଶ‌ାଉଛି। ୨୦୨୨ ବର୍ଷ ପାଇଁ ପ୍ରସ୍ତୁତ ହୋଇଥିବା ଏହି ରିପୋର୍ଟରେ କୁହାଯାଇଛି ଯେ, ବିଜ୍ଞାପନ ଡିଲ୍‌ ପାଇଁ ସଚିନ୍‌ ବ୍ରାଣ୍ଡ ପିଛା ବାର୍ଷିକ ୭ରୁ ୮ କୋଟି ଟଙ୍କା ଚାର୍ଜ କରୁଛନ୍ତି। ହେଲେ ସୋମବାର ନିଜର ୫୦ତମ ଜନ୍ମଦିନ ପାଳନ କରିଥିବା ସଚିନ୍‌ ଏହି ବ୍ରାଣ୍ଡ ମୂଲ୍ୟକୁ ନେଇ ବିଚଳିତ ନାହାନ୍ତି। ତାଙ୍କ ମତରେ, ସେ ଏଗୁଡ଼ିକୁ ନେଇ ଅଧିକ ଚିନ୍ତା କରନ୍ତି ନାହିଁ, କେବଳ ନିଜ ଭିତରେ ବଞ୍ଚିବାକୁ ଭଲପାଏ ବୋଲି ପ୍ରତିକ୍ରିୟା ଦେଇଥିଲେ।

Advertisment

ପୂର୍ବରୁ ତୃତୀୟ ପକ୍ଷର ସ୍ପୋର୍ଟ୍ସ ମ୍ୟାନେଜମେଣ୍ଟ କମ୍ପାନି ସହିତ କାମ କରିବା ପରେ ସଚିନ୍‌ ଓ ପତ୍ନୀ ଅଞ୍ଜଳି ‘ଏସ୍‌ଆର୍‌ଟି ସ୍ପୋର୍ଟ୍ସ ମ୍ୟାନେଜମେଣ୍ଟ’ ନାମରେ ଏକ କମ୍ପାନି ଆରମ୍ଭ କରିଛନ୍ତି। ଏହି କମ୍ପାନି ସଚିନ୍‌ଙ୍କ ସମସ୍ତ ସାମାଜିକ ଓ ବ୍ୟାବସାୟିକ କାର୍ଯ୍ୟକୁ ପରିଚାଳନା କରୁଛି। ତେଣୁ ନିଜସ୍ବ କମ୍ପାନି ଆରମ୍ଭ କରିବା ପରେ ପୂର୍ବରୁ କାମ କରିଥିବା ସଂସ୍ଥାମାନଙ୍କ ସହିତ ଅଧିକ ଗଭୀରତାର ସଂପର୍କ ସ୍ଥାପନ ହୋଇପାରୁଥିବା ସଚିନ୍‌ କହିଛନ୍ତି। ତେଣୁ ଏସ୍‌ଆର୍‌ଟି ସ୍ପୋର୍ଟ୍ସ ମ୍ୟାନେଜମେଣ୍ଟ ଟିମ୍‌ ସଦସ୍ୟମାନେ ତାଙ୍କ ମୂଲ୍ୟ ବ୍ୟବସ୍ଥାକୁ ଭଲ ଭାବେ ବୁଝିଛନ୍ତି ଓ ଅନ୍ୟ ସଂସ୍ଥାମାନଙ୍କ ସହ ଭଲ ସହଭାଗିତା ବନାଇପାରୁଥିବା ସେ କହିଥିଲେ। ଯେତେବେଳେ ବିଜ୍ଞାପନ ପାଇଁ ବ୍ରାଣ୍ଡ କଥା ଆସେ, ସେତେବେଳେ ସଚିନ୍‌ ଅତି ସତର୍କତାର ସହ ସେଗୁଡ଼ିକୁ ଚୟନ କରିଥା’ନ୍ତି। ଲୋକଙ୍କ ଜୀବନରେ ବ୍ରାଣ୍ଡର ପ୍ରଭାବ, କମ୍ପାନିର ଭବିଷ୍ୟତ ଲକ୍ଷ୍ୟ ଓ କାରଣଗୁଡ଼ିକୁ ଅନୁଧ୍ୟାନ କରିବା ପରେ ସଚିନ୍‌ ଉକ୍ତ ବ୍ରାଣ୍ଡ ସହିତ ଯୋଡ଼ିହୁଅନ୍ତି। କୌଣସି ବ୍ରାଣ୍ଡ ସହିତ ମିଶି ସେ ଯାହା ସନ୍ଦେସ ପ୍ରେରଣ କରିଥା’ନ୍ତି, ସେଗୁଡ଼ିକ ସାଧାରଣ ଲୋକଙ୍କ ବିଶ୍ବାସ ଭାଜନ ହେବା ଆବଶ୍ୟକ। ପରେ ଦଳଗତ ଭାବେ ଏକାଠି କାମ କରିବା ବେଳେ ସବୁ ପ୍ରକାରର ସୁବିଧା ସୁଯୋଗ ରହିବା ଜରୁରି ହୋଇଥାଏ ବୋଲି ସଚିନ୍‌ ତାଙ୍କ ପ୍ରତିକ୍ରିୟାରେ କହିଥିଲେ।

ଆଇଟିସିର ପର୍ସନାଲ କେୟାର ପ୍ରଡକ୍ଟସ୍‌ ବିଜିନେସ୍‌ର ଡିଭିଜନାଲ୍‌ ଚିଫ୍‌ ଏକ୍‌ଜିକ୍ୟୁଟିଭ୍‌ ସମୀର ଶତପଥିଙ୍କ ସୂଚନା ଅନୁଯାୟୀ, ସଚିନ୍‌ ପିଢି ପରେ ପିଢିଙ୍କ ପ୍ରେରଣା ପାଲଟିଛନ୍ତି। ବିଶେଷ କରି ଯୁବଗୋଷ୍ଠୀ ପାଇଁ ସେ ଆଇକନ୍‌। ତାଙ୍କର ଲୋକପ୍ରିୟତା କ୍ରିକେଟ୍‌ଠୁ ବି ବହୁତ ଉପରେ ରହିଛି। ସେହିପରି ସ୍ପିନି ପ୍ରତିଷ୍ଠାତା ଓ ସିଇଓ ନିରଜ ସିଂହଙ୍କ ମତରେ, ନିୟମିତ ଭାବେ ସଚିନ୍‌ ଉଚ୍ଚସ୍ତରରେ ଭଲ ପ୍ରଦର୍ଶନ ଦେଇଆସୁଛନ୍ତି। ଏବେ ୫୦ ବର୍ଷ ବୟସରେ ବି ସେ ଜଣେ ପରିପକ୍ବ ଭଦ୍ରବ୍ୟକ୍ତି ଭାବେ ପରିଚୟ ରଖିପାରିଛନ୍ତି। ସଚିନ୍‌ଙ୍କ ସହ ଯୋଡ଼ି ହେବା ପରଠୁ ଏହି ବ୍ରାଣ୍ଡ ନିଜସ୍ବ କାହାଣୀ ଓ ଭବିଷ୍ୟତ ‌ଲକ୍ଷ୍ୟକୁ ଲୋକଙ୍କ ପାଖରେ ପହଞ୍ଚାଇପାରିଥିବା ନିରଜ କହିଛନ୍ତି। ଏଜିସ୍‌ ଫେଡେରାଲ୍‌ ଲାଇଫ୍‌ ଇନସ୍ୟୁରାନ୍ସ ସିଇଓ ଓ ପରିଚାଳନା ନିର୍ଦ୍ଦେଶକ ବିଘ୍ନେଶ ଶାହା‌ନିଙ୍କ ମତରେ, ପୂର୍ବରୁ ଏହି କମ୍ପାନି ଇନସ୍ୟୁରାନ୍ସ ସଂସ୍ଥାମାନଙ୍କ ମଧ୍ୟରେ ୧୭ତମ ସ୍ଥାନରେ ରହୁଥିଲା ବେଳେ ୨୦୧୫ରେ ସଚିନ୍‌ଙ୍କ ସହ ଯୋଡ଼ି ହେବା ପରଠୁ ଶ୍ରେଷ୍ଠ-୧୦ ମଧ୍ୟରେ ସ୍ଥାନ ପାଇପାରିଛି। ଗତ ୮ ବର୍ଷ ମଧ୍ୟରେ ସଚିନ୍‌ଙ୍କ ପାଇଁ ଅନେକ ସକାରାତ୍ମକ ଘଟଣା ଏହି ବ୍ରାଣ୍ଡ ସହ ଘଟିଛି। ସଚିନ୍‌ଙ୍କ ୫୦ତମ ଜନ୍ମଦିନ ଅବସରରେ ଅମୁଲ, ସ୍ପିନି, ତନିଷ୍କ, ଆପୋଲୋ, ଏଜିସ୍‌ ଫେଡେରାଲ୍‌ ଲାଇଫ୍‌ ଇନ୍‌ସ୍ୟୁରାନ୍ସ ଭଳି ବ୍ରାଣ୍ଡମାନେ ଗ୍ରାହକମାନଙ୍କ ସହ ସିଧାସଳଖ ଯୋଡ଼ି ହେବା ଭଳି କାର୍ଯ୍ୟକ୍ରମ କରିଛନ୍ତି।