ପାକିସ୍ତାନ କ୍ରିକେଟ୍‌କୁ ବଡ଼ ଝଟ୍‌କା: ମ୍ୟାଚ୍‌ ନଖେଳି ଶୃଙ୍ଖଳାରୁ ଓହରିଲା ନ୍ୟୁଜିଲାଣ୍ଡ୍‌

ସୁରକ୍ଷା କାରଣ ଦର୍ଶାଇ ନ୍ୟୁଜିଲାଣ୍ଡ୍‌ କ୍ରିକେଟ୍‌ ନେଲା ନିଷ୍ପତ୍ତି
ହୋଟେଲ୍‌ରୁ ସିଧାସଳଖ ବିମାନବନ୍ଦର ଯିବ ନ୍ୟୁଜିଲାଣ୍ଡ୍‌

ରାୱଲପିଣ୍ଡି : ଦୀର୍ଘ ୧୮ ବର୍ଷ ପରେ ପାକିସ୍ତାନ ଗସ୍ତରେ ଆସିଥିବା ନ୍ୟୁଜିଲାଣ୍ଡ୍ କ୍ରିକେଟ୍‌ ଦଳ ପାଦ ଥାପିବାର ସପ୍ତାହକ ଭିତରେ ସ୍ବଦେଶ ଫେରିଯିବାକୁ ପାଗ ଭିଡ଼ିଛି। ତା’ ପୁଣି ଗୋଟିଏ ବି ମ୍ୟାଚ୍‌ ନ ଖେଳି। ନ୍ୟୁଜିଲାଣ୍ଡ ସରକାରଙ୍କ ପରାମର୍ଶ କ୍ରମେ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରି ପୂରା ଦଳ ମ୍ୟାଚ୍‌ ଦିନ ହିଁ ‌ହୋଟେଲ୍‌ରୁ ବାହାରିବାକୁ ପସନ୍ଦ କରିନାହିଁ। ବରଂ ସେହି ହୋଟେଲ୍‌ରୁ ସିଧାସଳଖ ବିମାନଯାତ୍ରା କରିବ ବୋଲି ସୂଚନା ଦେଇଛି। ଶୁକ୍ରବାରଠାରୁ ରାୱଲପିଣ୍ଡିରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ଖେଳାଯିବାକୁ ଥିବାବେଳେ ଏହାର କିଛି ଘଣ୍ଟା ପୂର୍ବରୁ ଏଭଳି ଅପ୍ରତ୍ୟାଶିତ ନିଷ୍ପତ୍ତି ନେଇ ଝଡ଼ ସୃଷ୍ଟି କରିଛି। ଭ୍ରମଣକାରୀ ଦଳକୁ ବୁଝାଇବାକୁ ପାକିସ୍ତାନ କ୍ରିକେଟ୍‌ ବୋର୍ଡ ଶତ ଚେଷ୍ଟା କରିଥ‌ିଲେ ମଧ୍ୟ ନିଷ୍ଫଳ ରହିଛି। ଏପରିକି ପାକିସ୍ତାନ ପ୍ରଧାନମନ୍ତ୍ରୀ ତଥା ପୂର୍ବତନ କ୍ରିକେଟର୍‌ ଇମ୍ରାନ୍‌ ଖାନ୍‌ ନ୍ୟୁଜିଲାଣ୍ଡ୍‌ ପ୍ରଧାନମନ୍ତ୍ରୀ ଜାସିକା ଆର୍ଡେର୍ଣ୍ଣଙ୍କ ସହ କଥା ହୋଇ ସୁରକ୍ଷା ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏଥିରୁ ବିଶେଷ ଫାଇଦା ମିଳିପାରିନାହିଁ। ପାକିସ୍ତାନରେ ନ୍ୟୁଜିଲାଣ୍ଡ୍‌ର ସୁରକ୍ଷା ପ୍ରତି ବିପଦ ଥିବାର ଗୁଇନ୍ଦା ସଂସ୍ଥା ସୂଚନା ଦେବା ପରେ ତୁରନ୍ତ ନ୍ୟୁଜିଲାଣ୍ଡ୍‌ କ୍ରିକେଟ୍‌ (ଏନ୍‌ଜେଡ୍‌ସି) ଗସ୍ତ ବାତିଲ କରିବା ଘୋଷଣା କରିଥିଲା। ଏପରିକି ଷ୍ଟାଡିୟମ୍‌ ଭିତରକୁ ଦର୍ଶକଙ୍କୁ ଅନୁମତି ମିଳିବ ନାହିଁ ବୋଲି ପାକିସ୍ତାନ କ୍ରିକେଟ୍ ବୋର୍ଡ ଓ ସୁରକ୍ଷା ଦଳ ପ୍ରତିଶ୍ରୁତି ଦେଇଥିଲେ। ନ୍ୟୁଜିଲାଣ୍ଡ୍‌ କ୍ରିକେଟ୍‌ (ଏନ୍‌ଜେଡ୍‌ସି) ଏକ ବିବୃତ୍ତି ଜାରି କରି ବାତିଲ ସୂଚନା ଦେଇଥିଲା।

ପାକିସ୍ତାନରେ ଥିବା ନ୍ୟୁଜିଲାଣ୍ଡର ସୁରକ୍ଷା ଉପଦେଷ୍ଠାଙ୍କ ପରାମର୍ଶ କ୍ରମେ ବ୍ଲାକ୍‌କ୍ୟାପ୍ ଦଳ ଏହି ଗସ୍ତକୁ ଜାରି ରଖିପାରୁନାହାନ୍ତି’ ବୋଲି ଦର୍ଶାଇଥିଲେ। ତେବେ ବିସ୍ତୃତ ଭାବେ କିଛି ଦର୍ଶାଇନଥିଲେ। ଆମେ ଜାଣିଛୁ ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ପାଇଁ ଏହା ଶକ୍ତ ଝଟ୍‌କା ଭଳି ହେବ। ପିସିବି ଚମତ୍କାର ଆୟୋଜକ, କିନ୍ତୁ ଖେଳାଳିଙ୍କ ସୁରକ୍ଷା ଆମ ପାଇଁ ସବୁଠୁ ଅଗ୍ରାଧିକାର। ବାତିଲ କରିବା ଏକମାତ୍ର ଦାୟିତ୍ବପୂର୍ଣ୍ଣ ବିକଳ୍ପ ଥିଲା’ ବୋଲି ଏନ୍‌ଜେଡ୍‌ସି ମୁଖ୍ୟ କାର୍ଯ୍ୟନିର୍ବାହୀ ‌ଡେଭିଡ୍ ହ୍ବାଇଟ୍‌ ପ୍ରକାଶ କରିଛନ୍ତି। ଏହା ପରେ ପିସିବି ମଧ୍ୟ ଏକ ପ୍ରେସ୍‌ ବିଜ୍ଞପ୍ତି ଜାରି କରିଥିଲା। ନ୍ୟୁଜିଲାଣ୍ଡ୍‌ କ୍ରିକେଟ୍‌ର ଏକପାଖିଆ ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲା। ପିସିବି ଓ ପାକିସ୍ତାନ ସରକାର ଭ୍ରମଣକାରୀ ଦଳ ପାଇଁ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା କରିଥିଲେ। ନ୍ୟୁଜିଲାଣ୍ଡ୍‌ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବାବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍ ମଧ୍ୟ ‌ପାକିସ୍ତାନର ଗୁଇନ୍ଦା ବ୍ୟବସ୍ଥା ବିଶ୍ବର ଅନ୍ୟତମ ଶ୍ରେଷ୍ଠ ବୋଲି ଉଲ୍ଲେଖ କରିଥିଲେ। ରହଣି କାଳ ମଧ୍ୟରେ ନ୍ୟୁଜିଲାଣ୍ଡ୍ ଦଳ ସନ୍ତୋଷ ପ୍ରକଟ କରିଥିଲେ। ହୋଟେଲରୁ ଷ୍ଟାଡିୟମ୍‌ ଯିବା ରାସ୍ତାକୁ ମ୍ୟାଚ୍‌ ଆରମ୍ଭର ବହୁ ପୂର୍ବରୁ ବ୍ଲକ କରିଦିଆଯାଏ। ଏସବୁ ସତ୍ତ୍ବେ ପାକିସ୍ତାନ କ୍ରିକେଟ୍ ପ୍ରଶଂସକ ଏବଂ ବିଶ୍ବ କ୍ରିକେଟ୍‌ ପ୍ରଶଂସକଙ୍କୁ ନ୍ୟୁଜିଲାଣ୍ଡ୍‌ ପ୍ରତାରିତ କଲା ବୋଲି ପିସିବି ଦର୍ଶାଇଛି।

ସୂଚନାଯୋଗ୍ୟ, ୩ ମ୍ୟାଚ୍‌ ‌ଦିନିକିଆ ଏବଂ ୫ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳିବାକୁ ନ୍ୟୁଜିଲାଣ୍ଡ୍‌ ଦଳ ସେପ୍ଟେମ୍ବର ୧୧ ତାରିଖରେ ପାକିସ୍ତାନ ପହଞ୍ଚିଥିଲା। ୨୦୦୩ ମସିହା ପରେ ପ୍ରଥମ ଥର ବ୍ଲାକ୍‌କ୍ୟାପ୍‌ ଦଳ ଏହି ଉଗ୍ରବାଦୀ ପ୍ରୋତ୍ସାହକ ରାଷ୍ଟ୍ରକୁ ଆସିଥିଲା। ୨୦୦୨ରେ କରାଚୀ ‌ହୋଟେଲ୍‌ରେ ବି‌‌ସ୍ଫୋରଣ ପରେ ୨୦୦୩ରେ ଅଧା ଶୃଙ୍ଖଳାକୁ ଖେଳିବାକୁ ଆସିଥିଲା। ଏହା ପରଠାରୁ କିନ୍ତୁ ସୁରକ୍ଷା ବ୍ୟବସ୍ଥାକୁ ନେଇ ସୁନିଶ୍ଚିତ ହୋଇପାରୁନଥିବାରୁ ପାକିସ୍ତାନ ଗସ୍ତ କରୁନଥିଲା ନ୍ୟୁଜିଲାଣ୍ଡ୍‌। ନ୍ୟୁଜିଲାଣ୍ଡ୍‌ କ୍ରିକେଟ୍‌ର ନିଷ୍ପତ୍ତିକୁ ପାକିସ୍ତାନ କ୍ରିକେଟ୍ ଦଳର ଅଧିନାୟକ ବାବର ଆଜମ ଅତ୍ୟନ୍ତ ବାଜେ ଓ ଦୁର୍ଭାଗ୍ୟଜନକ ଦର୍ଶାଇଛନ୍ତି।

ଇଂଲଣ୍ଡ ପୁରୁଷ ଓ ମହିଳା ଆଶଙ୍କାରେ
ନ୍ୟୁଜିଲାଣ୍ଡ୍‌ ବିପକ୍ଷ ଶୃଙ୍ଖଳା ସହିତ ପାକିସ୍ତାନ ଘରୋଇ ମାଟିରେ ବ୍ୟସ୍ତବହୁଳ ଅନ୍ତର୍ଜାତୀୟ ଖେଳସୂଚୀ ପ୍ରସ୍ତୁତ ରଖିଥିଲା। ଏବେ ଏହି ଗସ୍ତ ବାତିଲ ସହିତ ଭବିଷ୍ୟତର ଶୃଙ୍ଖଳାଗୁଡିକ ଉପରେ ମଧ୍ୟ ପ୍ରଭାବ ପଡ଼ିବ ବୋଲି ଆଶଙ୍କା କରାଯାଉଛି। ପାକିସ୍ତାନ ଗସ୍ତ ପୂର୍ବରୁ ପ୍ରତିଟି ଭ୍ରମଣକାରୀ ଦେଶ ନିଶ୍ଚିତ ଦୁଇ ଥର ଚିନ୍ତା କରିବ। ଆସନ୍ତା ମାସରେ ଇଂଲଣ୍ଡର ପୁରୁଷ ଓ ମହିଳା ଦଳ ମଧ୍ୟ ପାକିସ୍ତାନ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। କିନ୍ତୁ ଇସିବି ସମାନ ସୁରକ୍ଷା ସଂସ୍ଥାର ପରାମର୍ଶ ନେଉଥିବାରୁ ଏବେ ଏହି ଗସ୍ତ ମଧ୍ୟ ଆଶଙ୍କା ଭିତରେ ରହିବ। ପରିସ୍ଥିତି ଉପରେ ଏବେ ନଜର ରଖିଛୁ ଏବଂ ଆଗାମି ୪୮ ଘଣ୍ଟା ମଧ୍ୟରେ ନିଷ୍ପତ୍ତି ନେବୁ ବୋଲି ଇସିବି ପ୍ରକାଶ କରିଛି। ନ୍ୟୁଜିଲାଣ୍ଡ୍‌ ଭଳି ଇଂଲଣ୍ଡ ମଧ୍ୟ ଦୀର୍ଘ ୧୬ ବର୍ଷ ପରେ ପାକିସ୍ତାନ ଗସ୍ତ କରିବାର ସୂଚୀ ପ୍ରସ୍ତୁତ ରହିଛି। ଇଂଲଣ୍ଡ ଗସ୍ତ ପରେ ଚଳିତ ଋତୁରେ ୱେଷ୍ଟଇଣ୍ଡିଜ୍‌, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ୍‌ ମହିଳା ଦଳ ମଧ୍ୟ ପାକିସ୍ତାନ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ନ୍ୟୁଜିଲାଣ୍ଡ୍‌ ନିଷ୍ପତ୍ତି ଏବେ ପାକିସ୍ତାନରେ କ୍ରିକେଟ୍‌ର ପୁନଃରୁଦ୍ଧାରକୁ ଶୀତଳଭଣ୍ଡାରକୁ ପଠାଇ ଦେଇଛି।

ପାକିସ୍ତାନ କ୍ରିକେଟକୁ ନ୍ୟୁଜିଲାଣ୍ଡ୍‌ ହତ୍ୟା କଲା: ଅଖତର୍‌
ପାକିସ୍ତାନ ବିପକ୍ଷ ଦିନିକିଆ ଶୃଙ୍ଖଳା ଆରମ୍ଭର ମାତ୍ର କିଛି ଘଣ୍ଟା ପୂର୍ବରୁ ନ୍ୟୁଜିଲାଣ୍ଡ୍‌ ଦଳ ଏହାକୁ ବାତିଲ କରିବାରୁ ଉତ୍‌କ୍ଷିପ୍ତ ହୋଇଉଠିଛନ୍ତି ପୂର୍ବତନ ପାକିସ୍ତାନ ଦ୍ରୁତ ବୋଲର ସୋଏବ୍ ଅଖତର। ଏହାଦ୍ବାରା ‘ପାକିସ୍ତାନ କ୍ରିକେଟ୍‌କୁ ନ୍ୟୁଜିଲାଣ୍ଡ୍‌ ହତ୍ୟା କରିଦେଲା’ ବୋଲି ଅଖତର ନିଜ ଟ୍ବିଟର୍ ହ୍ୟାଣ୍ଡଲରେ ଲେଖିଛନ୍ତି। ଅତୀତରେ ନ୍ୟୁଜିଲାଣ୍ଡ୍‌ର ଏକ ଚର୍ଚ୍ଚ ଆକ୍ରମଣରେ ୯ ଜଣ ପାକିସ୍ତାନୀଙ୍କ ମୃତ୍ୟୁ ଘଟିଥିଲେ ମଧ୍ୟ ପାକିସ୍ତାନ ଦଳ ନ୍ୟୁଜିଲାଣ୍ଡ୍ ଗସ୍ତ କରିଥିବା କଥାକୁ ଅଖତର ମନେ ପକାଇ ଦେଇଥିଲେ। ଏବର ଧମକ କିନ୍ତୁ ତଦନ୍ତ ସାପେକ୍ଷ ଏବଂ ଆଲୋଚନା ମାଧ୍ୟମରେ ସମାଧାନ ହୋଇପାରିଥା’ନ୍ତା। ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ପ୍ରତିପକ୍ଷ ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆର୍ଦେର୍ଣ୍ଣଙ୍କୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏହାକୁ ପ୍ରତ୍ୟାଖାନ କରିଦିଆଗଲା ବୋଲି ଅଖତର ପ୍ରକାଶ କରିଛନ୍ତି।

୨୦୧୭ରୁ ହେଉଥିଲା ସ୍ବାଭାବିକ
୨୦୦୨ କରାଚୀ ବ‌ିସ୍ଫୋରଣ ହେଉ ଅବା ୨୦୦୯ ଶ୍ରୀଲଙ୍କା କ୍ରିକେଟ୍‌ ଦଳ ବସ୍‌ ଉପରକୁ ଅକ୍ରମଣ ହେଉ ପାକିସ୍ତାନ ମାଟିରେ କ୍ରିକେଟ୍ ଖେଳିବାକୁ କେହି ପସନ୍ଦ କରୁନଥିଲେ। କ୍ରମେ ପିସିବି ଆର୍ଥିକ ସଙ୍କଟ ଏଡ଼ାଇବାକୁ ୟୁଏଇକୁ ଘରୋଇ ପଡିଆ କରି ସାରଜା, ଦୁବାଇ, ଆବୁଧାବିରେ ଖେଳି ଆସୁଥିଲା। ୨୦୧୭ ମସିହାରେ ପାକିସ୍ତାନ ସୁପର୍ ଲିଗ୍ (ପିଏସ୍‌ଏଲ୍‌)ର ଫାଇନାଲ୍ ପରଠାରୁ ଦେଶକୁ ଅନ୍ତର୍ଜାତୀୟ କ୍ରିକେଟ୍‌ ଫେରିବା ଆରମ୍ଭ କରିଥିଲା। ୱେଷ୍ଟଇଣ୍ଡିଜ୍‌, ଶ୍ରୀଲଙ୍କା, ଜିମ୍ବାୱେ, ବାଂଲାଦେଶ, ଦକ୍ଷିଣ ଆଫ୍ରିକା ବିନା ବାଧାରେ ଦ୍ବିପାକ୍ଷିକ ଶୃଙ୍ଖଳା ଖେଳି ଆସିଥିଲେ। ୨୦୧୯ରେ ପିଏସ୍‌ଏଲ୍‌ର ସମସ୍ତ ମ୍ୟାଚ୍‌ ପାକିସ୍ତାନରେ ଖେଳାଯାଇଥିଲା। ଏବେ ପଡ଼ୋଶୀ ଆଫଗାନିସ୍ତାନରେ ତାଲିବାନ ସରକାର ଫେରିବା ପରେ ପାକିସ୍ତାନକୁ ସମ୍ଭବତଃ ସୁରକ୍ଷିତ ମଣୁନାହାନ୍ତି ଭ୍ରମଣକାରୀ ଦଳ।

ସମ୍ବନ୍ଧିତ ଖବର