ଲକ୍ଷ୍ନୌ: ଆଇପିଏଲ୍ ମଧ୍ୟ ଭାଗରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ବଡ଼ ଝଟ୍କା ଲାଗିଛି। ଏହାର ଅଧିନାୟକ କେଏଲ୍ ରାହୁଲଙ୍କ ସହ ଦ୍ରୁତ ବୋଲର ଜୟଦେବ ଉନାଦକଟ ଆହତ ଯୋଗୁଁ ଅବଶିଷ୍ଟ ଆଇପିଏଲ୍ରୁ ବାଦ୍ ପଡ଼ିଛନ୍ତି। ତେବେ ଉଭୟ ଟେଷ୍ଟ ଦଳରେ ଥିବାରୁ ରାହୁଲ ଓ ଉନାଦ୍କଟ୍ଙ୍କ ଚିକତ୍ସା ଦାୟିତ୍ବ ଫ୍ରାଞ୍ଚାଇଜ୍ଠାରୁ ବିସିସିଆଇ (ଭାରତୀୟ କ୍ରିକେଟ୍ ବୋର୍ଡ) ନିଜ ହାତକୁ ନେଇଛି।
ରାହୁଲ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ଗତ ମ୍ୟାଚ୍ରେ କ୍ଷେତ୍ରରକ୍ଷଣ କରୁଥିବା ବେଳେ ଡାହାଣ ଜଂଘରେ ଆଘାତ ଲାଗିଥିଲା। ଏହାପରେ ସେ ପଡ଼ିଆ ଛାଡ଼ି ବାହାରକୁ ଚାଲିଯାଇଥିଲେ। ଓପନିଂ ନ ଆସି ଦଳର ଆବଶ୍ୟକତା ଥିବାରୁ ସେ ଏକାଦଶ ସ୍ଥାନରେ ବ୍ୟାଟିଂକୁ ଆସିଥିଲେ। ସେହିପରି ରବିବାର ନେଟ୍ସ ବେଳେ ଉନାଦକଟଙ୍କ ବାମ କାନ୍ଧରେ ଆଘାତ ଲାଗିଥିଲା। ‘‘ସଂପ୍ରତି ରାହୁଲ ଲକ୍ଷ୍ନୌ ଶିବିରରେ ଅଛନ୍ତି। ବୁଧବାର ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚ୍ ଦେଖିବା ପରେ ଗୁରୁବାର ଲକ୍ଷ୍ନୌ ଶିବିର ଛାଡ଼ିବେ।
ଏହାପରେ ମୁମ୍ବାଇରେ ତାଙ୍କର ସ୍କାନ୍ କରାଯିବ। ଏସବୁର ବ୍ୟବସ୍ଥା ବିସିସିଆଇ କରିବ। ତାଙ୍କ ସହ ଉନାଦକଟଙ୍କ ଚିକିତ୍ସା ମଧ୍ୟ ବିସିସିଆଇ ବୁଝିବ। ଉଭୟ ଟେଷ୍ଟ ଦଳରେ ଥିବାରୁ ଏମାନେ ଆଉ ଚଳିତ ଆଇପିଏଲ୍ରେ ଖେଳିବେନି’’ ବୋଲି ବିସିସିଆଇର ଜଣେ ଅଧିକାରୀ ପ୍ରକାଶ କରିଛନ୍ତି। ରାହୁଲ ଓ ଉନାଦକଟ ଲଣ୍ଡନରେ ଜୁନ୍ ୭ରୁ ୧୧ ପର୍ଯ୍ୟନ୍ତ ଖେଳାଯିବାକୁଥିବା ବିଶ୍ବ ଟେଷ୍ଟ ଚାମ୍ପିଅନ୍ସିପ୍ (ଡବ୍ଲୁଟିସି) ଲାଗି ଭାରତୀୟ ଦଳରେ ରହିଛନ୍ତି। ରାହୁଲଙ୍କ ଆଘାତ ସମସ୍ୟା ସଂପ୍ରତି ଯାହା ରହିଛି ସେ ଡବ୍ଲୁଟିସି ଖେଳିବା ନେଇ ଆଶଙ୍କା ଦେଖାଯାଇଛି। ତେବେ ଏପର୍ଯ୍ୟନ୍ତ ସ୍କାନ୍ କରାଯାଇନି। ସ୍କାନ୍ ପରେ ସ୍ପଷ୍ଟ ହେବ। କିନ୍ତୁ ଉନାଦକଟ ଡବ୍ଲୁଟିସି ପୂର୍ବରୁ ସୁସ୍ଥ ହେବାର ସମ୍ଭାବନା ରହିଛି। ତେଣୁ ସେ ଦଳ ସହ ଇଂଲଣ୍ଡ ଗସ୍ତ କରିପାରିବେ ବୋଲି ବିସିସିଆଇର ଅଧିକାରୀ ଜଣକ କହିଛନ୍ତି।