ବର୍ମିଂହାମ୍: ବିଶ୍ବ କ୍ରିକେଟ୍ରେ ଯେଉଁ କିଛି ପଡ଼ିଆରେ ଭାରତ କେବେ ବିଜୟ ପାଇ ନଥିଲା ସେହି ତାଲିକାରୁ ରବିବାର କଟିଯାଇଛି ବର୍ମିଂହାମ୍ର ଏଜ୍ବାଷ୍ଟନ୍। ୫୮ ବର୍ଷର ସଂଘର୍ଷ ନବମ ପ୍ରୟାସରେ ସଫଳତା ଦେଇଛି। ଶୁବମନ ଗିଲ୍ଙ୍କ ଲିଡ୍ସ ସୁଯୋଗ ହାତଛଡ଼ାର ଦୁଃଖ କିନ୍ତୁ ବର୍ମିଂହାମ୍ରେ ଲିଭିଯାଇଛି। ୫ ମ୍ୟାଚ୍ ତେନ୍ଦୁଲକର ଆଣ୍ଡରସନ୍ ଶୃଙ୍ଖଳା ବି ୧-୧ ସ୍ତରକୁ ଚାଲି ଆସିଛି। ଗୋଟିଏ ବହୁ ପ୍ରତୀକ୍ଷିତ ବିଜୟ ମିଳିଥିଲା ବି ଏକାଧିକ ବ୍ୟକ୍ତିଗତ ଓ ଦଳଗତ ରେକର୍ଡ ଏହି ମ୍ୟାଚ୍କୁ ଅନେକ ବର୍ଷ ଯାଏ ସ୍ମରଣୀୟ ରଖିବାକୁ ଯାଉଛି।
୨୫ ବର୍ଷ ଓ ୩୦୧ ଦିନ ବୟସରେ ଶୁବମନ ଗିଲ୍ ସର୍ବକନିଷ୍ଠ ଭାରତୀୟ ଅଧିନାୟକ ଭାବେ ଏକ ବିଦେଶ ମାଟିରେ ବିଜୟ ଦେଇଛନ୍ତି। ପୂର୍ବ ସର୍ବକନିଷ୍ଠ ଅଧିନାୟକ ଥିଲେ ସୁନୀଲ ଗାଭାସ୍କର। ୧୯୭୬ରେ ଗାଭାସ୍କର ଅଧିନାୟକ ଭାବେ ୨୬ ବର୍ଷ ୨୦୨ ଦିନରେ ବିଜୟ ପାଇଥିଲେ। ଭାରତ ମଧ୍ୟ ପ୍ରଥମ ଏସୀୟ ଦଳ ଭାବେ ଏଜ୍ବାଷ୍ଟନ୍ରେ ବିଜୟ ଖାତା ଖୋଲିଛି। ଏଥି ପାଇଁ ମିଳିତ ଭାବେ ଏସୀୟ ଦଳକୁ ୧୯ ଟେଷ୍ଟ୍ ଖେଳିବାକୁ ପଡ଼ିଛି। ୧୯୮୨ରେ ଲର୍ଡସରେ ପାକିସ୍ତାନ ପ୍ରଥମ ବିଜୟ ପାଇବା ବେଳକୁ ଏସୀୟ ଦଳ ସେଠାରେ ୧୭ ମ୍ୟାଚ୍ ଖେଳିଥିଲେ। ପୂର୍ବରୁ ୨୦୨୧ରେ ଗାବାରେ ଭାରତ ପ୍ରଥମ ବିଜୟ ବେଳକୁ ଏହା ୧୬ତମ ଏସୀୟ ମ୍ୟାଚ୍ ଏବଂ ୨୦୨୪ରେ କେପ୍ଟାଉନ୍ର ନ୍ୟୁଲାଣ୍ଡ୍ସରେ ବିଜୟ ବେଳକୁ ୧୫ତମ ଏସୀୟ ମ୍ୟାଚ୍ ଥିଲା।
ବର୍ମିଂହାମରେ ଭାରତର ୩୩୬ ରନ୍ ମଧ୍ୟ ବିଦେଶ ମାଟିରେ ସବୁଠାରୁ ବଡ଼ ବିଜୟ ହୋଇଛି। ଭାରତ ପାଇଁ ପୂର୍ବରୁ ବିଦେଶରେ ସର୍ବାଧିକ ରନ୍ ବ୍ୟବଧାନ ବିଜୟ ଥିଲା ୩୧୮, ଯାହାକି ଦଳ ୨୦୧୬ରେ ନର୍ଥସାଉଣ୍ଡ୍ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପାଇଥିଲା। ୨୦୧୭ରେ ଗାଲେରେ ୩୦୪ ରନ୍ରେ ଶ୍ରୀଲଙ୍କାକୁ, ୨୦୨୪ରେ ପର୍ଥରେ ଅଷ୍ଟ୍ରେଲିଆକୁ ୨୯୫ ରନ୍ରେ ଏବଂ ୧୯୮୬ରେ ଲିଡ୍ସରେ ଇଂଲଣ୍ଡକୁ ୨୭୯ ରନ୍ରେ ପରାସ୍ତ କରିଥିଲା। ଆକାଶ ଦୀପଙ୍କ ମ୍ୟାଚ୍ ଫିଗର ୧୦/୧୮୭ (୪/୮୮ ଓ ୬/୯୯) ଇଂଲଣ୍ଡରେ ଭାରତ ପାଇଁ ଶ୍ରେଷ୍ଠ। ୧୯୮୬ରେ ସେହି ବର୍ମିଂହାମରେ ଚେତନ ଶର୍ମା ୧୦/୧୮୮, ୨୦୨୧ରେ ଯଶପ୍ରୀତ୍ ବୁମ୍ରା ୯/୧୧୦ ଏବଂ ୨୦୦୭ରେ ଟ୍ରେଣ୍ଟ୍ବ୍ରିଜ୍ରେ ଜାହିର୍ ଖାନ୍ ୯/୧୩୪ ଚିତ୍ର ପାଇଥିଲେ।
ସଂକ୍ଷିପ୍ତ ସ୍କୋର: ଭାରତ ପ୍ରଥମ ପାଳି: ୫୮୭ (ଶୁବମନ ଗିଲ୍-୨୬୯, ରବୀନ୍ଦ୍ର ଜାଡ଼େଜା-୮୯, ଯଶସ୍ବୀ ଜୟସ୍ବାଲ-୮୭, ସୋଏବ୍ ବଶିର୍-୩/୧୬୭, କ୍ରିସ୍ ୱକ୍ସ-୨/୮୧, ଜୋସ୍ ଟଙ୍ଗ୍-୨/୧୧୯)। ଇଂଲଣ୍ଡ ପ୍ରଥମ ପାଳି: ୪୦୭ (ଜାମି ସ୍ମିଥ୍-୧୮୪*, ହ୍ୟାରି ବ୍ରୁକ୍-୧୫୮, ମହମ୍ମଦ ସିରାଜ-୬/୭୦, ଆକାଶ ଦୀପ-୪/୮୮)। ଭାରତ ଦ୍ବିତୀୟ ପାଳି: ୮୩ ଓଭରରେ ୪୨୭/୬, ଘୋଷଣା (ଶୁବମନ ଗିଲ୍-୧୬୧, ରବୀନ୍ଦ୍ର ଜାଡ଼େଜା-୬୯*, ଋଷଭ ପନ୍ତ୍-୬୫, କେଏଲ୍ ରାହୁଲ୍-୫୫, ଯଶସ୍ବୀ ଜୟସ୍ବାଲ-୨୮, ଜୋସ୍ ଟଙ୍ଗ୍-୨/୯୩, ଶୋଏବ୍ ବଶିର୍-୨/୧୧୯, ବ୍ରାଏଡନ୍ କାର୍ସ-୧/୫୬, ଜୋ ରୁଟ୍-୧/୬୫)। ଇଂଲଣ୍ଡ ଦ୍ବିତୀୟ ପାଳି : ୬୮.୧ ଓଭରରେ ୨୭୧/୧୦ (ଜାମି ସ୍ମିଥ୍-୮୮, ବ୍ରାଏଡନ୍ କାର୍ସ-୩୮, ବେନ୍ ଷ୍ଟୋକ୍ସ-୩୩, ହାରି ବ୍ରୁକ୍-୨୩, ବେନ୍ ଡକେଟ୍-୨୫, ଓଲି ପୋପ୍-୨୪, ଆକାଶ ଦୀପ-୬/୯୯, ୱାସିଂଟନ୍ ସୁନ୍ଦର-୧/୨୮, ପ୍ରସିଦ୍ଧ କୃଷ୍ଣ-୧/୩୯, ରବୀନ୍ଦ୍ର ଜାଡ଼େଜା-୧/୪୦, ମହମ୍ମଦ ସିରାଜ-୧/୫୭)।