ମହିଳା ହକିରେ ଭାରତର ବଡ଼ ବିଜୟ: ଘାନାକୁ ୫-୦ରେ ହରାଇଲା

ମୁଷ୍ଟିଯୁଦ୍ଧ ପ୍ରିକ୍ବାର୍ଟରରେ ଥାପ୍ପା, ବ୍ୟାଡ୍‌ମିଣ୍ଟନ: ପାକିସ୍ତାନକୁ ୫-୦ରେ ହରାଇଲା ଭାରତ

ବର୍ମିଙ୍ଗ୍‌ହାମ୍‌: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ମହିଳା ହକିରେ ଭାରତ ବଡ଼ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଶୁକ୍ରବାର ପୁଲ୍‌-ଏ’ର ନିଜର ପ୍ରଥମ ମ୍ୟାଚ୍‌ରେ ସବିତାଙ୍କ ନେତୃତ୍ବାଧୀନ ଭାରତ ୫-୦ ଗୋଲ୍‌ରେ ଘାନାକୁ ପରାସ୍ତ କରିଦେଇଛି। ପ୍ରଥମାର୍ଦ୍ଧରେ ୨-୦ର ଅଗ୍ରଣୀ ହାସଲ କରିଥିବା ଭାରତ ଦ୍ବିତୀୟାର୍ଦ୍ଧରେ ଆଉ ୩ଟି ଗୋଲ୍‌ ଲଦି ଦେଇଥିଲା। ଗୁର୍‌ଜିତ୍‌ କୌରଙ୍କ ତୃତୀୟ ମିନିଟ୍‌ ପେନାଲ୍‌ଟି ଗୋଲ୍‌ ବଳରେ ଭାରତ ପ୍ରଥମ କ୍ବାର୍ଟରରେ ୧-୦ର ଅଗ୍ରଣୀ ପାଇବା ପରେ ଦ୍ବିତୀୟ କ୍ବାର୍ଟରରେ ନେହା ଏକ ଫିଲ୍‌ଡ ଗୋଲ୍‌ (୨୮ ମିନିଟ୍‌) ଦେଇ ୨-୦ର ଅଗ୍ରଣୀ ଭେଟି ଦେଇଥିଲେ। ଏହାପରେ ତୃତୀୟ କ୍ବାର୍ଟରରେ ଦୁଇଟି ଗୋଲ୍‌ ହୋଇଥିଲା। ୩୬ ମିନିଟ୍‌ରେ ସଂଗୀତା କୁମାରୀ ଫିଲ୍‌ଡ ଗୋଲ୍‌ କରିଥିଲା ବେଳେ ୩୯ ମିନିଟ୍‌ରେ ଗୁର୍‌ଜିତ କୌର ପେନାଲ୍‌ଟି ‌‌ଷ୍ଟ୍ରୋକ୍‌ ଜରିଆରେ ଚତୁର୍ଥ ଗୋଲ୍‌ କରିଥିଲେ। ମ୍ୟାଚ୍‌ରେ ଗୁର୍‌ଜିତ୍‌ଙ୍କ ଏହା ବ୍ୟକ୍ତିଗତ ଦ୍ବିତୀୟ ଗୋଲ୍‌ ଥିଲା ବେଳେ ତୃତୀୟ କ୍ବାର୍ଟର ଶେଷରେ ଭାରତ ୪-୦ରେ ଆଗୁଆ ହୋଇଯାଇଥିଲା। ଚତୁର୍ଥ ତଥା ଶେଷ କ୍ବାର୍ଟରରେ ଭାରତ ଗୋଟିଏ ଗୋଲ୍‌ କରି ୫-୦ର ଏକପାଖିଆ ବିଜୟ ହାସଲ କରିନେଇଥିଲା। ଦଳ ପାଇଁ ପଞ୍ଚମ ତଥା ଶେଷ ଗୋଲ୍‌ଟି ୫୬ ମିନିଟ୍‌ରେ ସାଲିମା ଟେଟେ ଦେଇଥିଲେ। ସେ ଫିଲ୍‌ଡ ଗୋଲ୍‌ କରି ଘାନାକୁ ପ୍ରଭାବଶୂନ୍ୟ କରିଦେଇଥିଲେ।

ମହିଳା କ୍ରିକେଟ୍‌ରେ ଅଷ୍ଟ୍ରେଲିଆଠୁ ହାରିଲା ଭାରତ

ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହିଳା କ୍ରିକେଟ୍‌ ପ୍ରତିଯୋଗିତାର ପ୍ରଥମ ମ୍ୟାଚ୍‌ରେ ଭାରତକୁ ଅଷ୍ଟ୍ରେଲିଆ ରୋମାଞ୍ଚକ ଭାବେ ୩ ୱିକେଟ୍‌ରେ ହରାଇ ଦେଇଛି। ଟ୍ବେଣ୍ଟି-୨୦ ଫର୍ମାଟରେ ଖେଳାଯାଉଥିବା ଏହି ପ୍ରତିଯୋଗିତାରେ ଭାରତ ପ୍ରଥମେ ବ୍ୟାଟିଂ କରି ୮ ୱିକେଟ୍ ହରାଇ ୧୫୪ ରନ୍‌ କରିଥିଲା। ପ୍ରାରମ୍ଭିକ ଯୋଡ଼ି ସ୍ମୃତି ମନ୍ଧାନା (୨୪ ରନ୍‌, ୧୭ ବଲ୍) ଏବଂ ଶେଫାଳି ବର୍ମା (୪୮ ରନ୍‌, ୩୩ ବଲ୍‌) ଦୃଢ଼ ମୂଳଦୁଆ ପକାଇବା ପରେ ଭାରତ ମଧ୍ୟକ୍ରମରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଅଧିନାୟିକା ହର୍ମନପ୍ରୀତ୍ କୌର୍‌ ଆକର୍ଷଣୀୟ ଅର୍ଦ୍ଧଶତକ (୩୪ ବଲ୍‌ରୁ ୫୨ ରନ୍‌, ୮ ଚୌକା, ୧ ଛକା) ହାସଲ କରି ଦଳକୁ ଲଢ଼ୁଆ ସ୍କୋର୍‌ ପ୍ରଦାନ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଜେସେ ୟୋନାସନ୍‌ (୪-୦-୨୨-୪) ଏବଂ ମେଗନ୍ ଶ୍ଚୁଟ (୪-୦-୨୬-୨) ପ୍ରଭାବୀ ବୋଲିଂ କରିଥିଲେ। ଜବାବରେ ରେଣୁକା ସିଂହଙ୍କୁ ମୁକାବିଲା କରିନପାରି ଅଷ୍ଟ୍ରେଲିଆ ୧୫ତମ ଓଭର ବେଳକୁ ୧୧୦ ରନ୍‌ରେ ୭ ୱିକେଟ୍ ହରାଇ ଦେଇଥିଲା। ବେଥ୍ ମୁନି, ଆଲିସା ହିଲି, ମେଗ୍‌ ଲାନିଙ୍ଗ, ତାହିଲା ମ୍ୟାକଗ୍ରା, ରାଚେଲ୍ ହେନ୍ସ ପ୍ରମୁଖ ଶସ୍ତାରେ ଆଉଟ୍ ‌ହୋଇଯାଇଥିଲେ। କିନ୍ତୁ ଆସଲେ ଗାର୍ଡନର୍ (୩୫ ବଲ୍‌ରୁ ୫୨*, ୯ ଚୌକା) ଲଢ଼ୁଆ ଅର୍ଦ୍ଧଶତକ ହାସଲ କରି ଦଳକୁ ଗୋଟିଏ ଓଭର ପୂର୍ବରୁ ବିଜୟୀ କରିଥିଲେ। ଗ୍ରେସ୍‌ ହାରିସ୍ (୨୦ ବଲ୍‌ରୁ ୩୭ ରନ୍‌) ଏବଂ ଆଲନା କିଙ୍ଗ୍ (୧୬ ବଲ୍‌ରୁ ୧୮* ରନ୍‌) ତାଙ୍କୁ ଭଲ ସହାୟତା କରିବାରୁ ଅସମ୍ଭବ ଲାଗୁଥିବା ବିଜୟକୁ ଅଷ୍ଟ୍ରେଲିଆ ସମ୍ଭବ କରିଥିଲା। ରେଣୁକା ସିଂହ (୪-୦-୧୮-୪) ସବୁଠୁ ପ୍ରଶଂସନୀୟ ବୋଲିଂ ଚିତ୍ର ପାଇଥିଲେ। ଦୀପ୍ତି ଶର୍ମା (୪-୦-୨୪-୨) ଏବଂ ମେଘନା ସିଂହ (୪-୦-୩୮-୧) ମିଳିତ ଭାବେ ୩ ୱିକେଟ୍ ନେଇଥିଲେ। ଭାରତ ନିଜର ପରବର୍ତୀ ମ୍ୟାଚ୍‌ ରବିବାର ପାକିସ୍ତାନ ସହ ଖେଳିବ।

ମୁଷ୍ଟିଯୁଦ୍ଧ ପ୍ରିକ୍ବାର୍ଟରରେ ଥାପ୍ପା
ଭାରତୀୟ ମୁଷ୍ଟିଯୋଦ୍ଧା ଶିବ ଥାପ୍ପା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ଶୁକ୍ରବାର ୬୩.୫ କେଜି ବର୍ଗର ପ୍ରଥମ ରାଉଣ୍ଡ ମୁକାବିଲାରେ ୨୮ ବର୍ଷୀୟ ଥାପ୍ପା ୫-୦ରେ ପାକିସ୍ତାନର ସୁଲେମାନ ବାଲୋଚଙ୍କୁ ମାତ୍‌ ଦେଇ ପ୍ରିକ୍ବାର୍ଟର ଫାଇନାଲ୍‌ ସ୍ଥାନ ସୁରକ୍ଷିତ କରିଛନ୍ତି। ଥାପ୍ପା ୫ ଥରର ଏସୀୟ ବିଜେତା ଏବଂ ପୂର୍ବତନ ବିଶ୍ବ କାଂସ୍ୟ ବିଜେତା।

ଟିଟିରେ ଭାରତୀୟ ପୁରୁଷ ଓ ମହିଳା ଦଳର ବିଜୟ ଅଭିଯାନ
ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଟେବୁଲ ଟେନିସ୍‌ (ଟିଟି)ରେ ଭାରତୀୟ ପୁରୁଷ ଓ ମହିଳା ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ପୁରୁଷ ଦଳ ବାର୍ବାଡସ୍‌କୁ ଏବଂ ମହିଳା ଦଳ ଉଭୟ ଦକ୍ଷିଣ ଆଫ୍ରିକା ଓ ଫିଜିକୁ ସମାନ ୩-୦ ଲେଖାଏଁ ବ୍ୟବଧାନରେ ପରାସ୍ତ କରିଛନ୍ତି। ପୁରୁଷ ଯୁଗଳରେ ହର୍ମିତ ଓ ସାଥିୟାଁ ୧୧-୯, ୧୧-୯, ୧୧-୪ରେ କେଭିନ ଫାର୍ଲେ ଓ ତିରେସ ନାଇଟ୍‌ଙ୍କୁ ହରାଇଥିଲେ। ଏକକରେ ଶରତ କମଲ ୧୧-୫, ୧୧-୩, ୧୧-୩ରେ ରମନ ମାକ୍ସୱେଲଙ୍କୁ ଏବଂ ସାଥିୟାଁ ୧୧-୪, ୧୧-୪, ୧୧-୫ରେ ନାଇଟ୍‌ଙ୍କୁ ହରାଇଥିଲେ। ସେହିଭଳି ମନିକା ବାତ୍ରା, ଶ୍ରୀଜା ଅକୁଲା ଓ ରୀଥ ଟେନିସନଙ୍କୁ ନେଇ ଗଠିତ ମହିଳା ଦଳ ପ୍ରଥମ ଗ୍ରୁପ୍‌ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୩-୦ରେ ପରାସ୍ତ କରିଥିଲା। ଯୁଗଳରେ ଅକୁଲ ଓ ରୀଥ ୧୧-୭, ୧୧-୭, ୧୧-୫ରେ ଲୈଲା ଏଡୱାର୍ଡ୍ସ ଓ ଦାନିସା ପଟେଲଙ୍କୁ ହରାଇଥିଲେ। ପ୍ରଥମ ଏକକରେ ରାଜ୍ୟଗୋଷ୍ଠୀ ବିଜୟିନୀ ମନିକା ୧୧-୫, ୧୧-୩, ୧୧-୨ରେ ମୁସଫିକ୍‌ କଲାମଙ୍କୁ ଏବଂ ଦ୍ବିତୀୟରେ ଶ୍ରୀଜା ୧୧-୫, ୧୧-୩, ୧୧-୬‌ରେ ଦାନିସାଙ୍କୁ ମାତ୍‌ ଦେଇଥି‌ଲେ। ମହିଳା ଦଳ ପରେ ଫିଜିକୁ ମାତ୍‌ ଦେଇଥିଲା।

ବ୍ୟାଡ୍‌ମିଣ୍ଟନ: ପାକିସ୍ତାନକୁ ୫-୦ରେ ହରାଇଲା ଭାରତ
ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ମଧ୍ୟ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛି। ମିଶ୍ରିତ ଦଳଗତ ବର୍ଗ ଗ୍ରୁପ୍‌ ମୁକାବିଲାରେ ଭାରତର ଉଭୟ ମହିଳା ଏବଂ ପୁରୁଷ ଦଳ ପାକିସ୍ତାନକୁ ୫-୦ରେ ପରାସ୍ତ କରିଛି। ଶୁକ୍ରବାର ଗ୍ରୁପ୍‌ (ଏ) ପର୍ଯ୍ୟାୟ ପ୍ରଥମ ମୁକାବିଲାରେ ସୁମିତ ରେଡ୍ଡୀ ଓ ଅଶ୍ବିନୀ ପୋନାପ୍ପା ୨୧-୯, ୨୧-୧୨ରେ ମହମ୍ମଦ ଇର୍ଫାନ ଓ ଘାଜାଲା ସିଦ୍ଦିକ୍‌ଙ୍କୁ ପରାସ୍ତ କରିଥିଲା। ପୁରୁଷ ଏକକରେ କିଦାମ୍ବି ଶ୍ରୀକାନ୍ତ ୨୧-୭ ଓ ୨୧-୧୨ରେ ମୁରାଦ ଅଲ୍ଲୀଙ୍କୁ ମହିଳା ଏକକରେ ପିଭି ସିନ୍ଧୁ ମହୁର ସେହଜାଦ୍‌ଙ୍କୁ ୨୧-୭ ଓ ୨୧-୬ରେ ପରାସ୍ତ କରିଥିଲେ। ପୁରୁଷ ଯୁଗଳରେ ସାତ୍ତ୍ବିକ ସାଇରାଜ ରାଙ୍କିରେଡ୍ଡୀ-ଚିରାଗ ସେଟ୍ଟୀ ୨୧-୧୨, ୨୧-୯ରେ ମୁରାଦ ଅଲ୍ଲୀ-ମହମ୍ମଦ ଇର୍ଫାନଙ୍କୁ ଏବଂ ଶେଷ ମୁକାବିଲାରେ ମହିଳା ଯୁଗଳ ଯୋଡ଼ି ତ୍ରେସା ଜଲି-ଗାୟତ୍ରୀ ଗୋପୀଚାନ୍ଦ ୨୧-୪, ୨୧-୫ରେ ମହୁର ସେହଜାଦ୍‌-ଘାଜାଲା ସିଦ୍ଦିକ୍‌ଙ୍କୁ ପରାସ୍ତ କରି ବିଜୟ ବ୍ୟବଧାନକୁ ୫-୦ରେ ପହଞ୍ଚାଇଦେଇଥିଲେ।

ସମ୍ବନ୍ଧିତ ଖବର