ବିଶାଖାପାଟଣା: ବ୍ୟାଟର୍‌ଙ୍କ ବିସ୍ଫୋରକ ବ୍ୟାଟିଂ ପରେ ବୋଲରଙ୍କ ଦମ୍‌ଦାର ବୋଲିଂ ବଳରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଚଳିତ ଆଇପିଏଲ୍‌ରେ ବଡ଼ ବିଜୟ ପାଇଛି। ବିଶାଖାପାଟଣାର ୱାଇଏସ୍‌ ରାଜଶେଖର ରେଡ୍ଡୀ ଷ୍ଟାଡିୟମ୍‌ରେ ବୁଧବାର କେକେଆର୍‌ ୧୦୬ ରନ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି। ୨୭୩ ରନ୍‌ର ବିଶାଳ ଲକ୍ଷ୍ୟକୁ ପିଛା କରି ଦିଲ୍ଲୀ ପ୍ରାରମ୍ଭିକ ବିପର୍ଯ୍ୟୟର ସାମ୍ନା କରିଥିଲା। ଆକ୍ରମଣାତ୍ମକ ଆରମ୍ଭ କରିଥିଲେ ମଧ୍ୟ ଦ୍ବିତୀୟ ଓଭର ଶେଷ ବେଳକୁ ଡେଭିଡ୍‌ ୱାର୍ଣ୍ଣର (୧୮) ଓ ପୃଥ୍ବୀ ସ’ (୧୦)ଙ୍କ ଯୋଡ଼ି ଭାଙ୍ଗିଥିଲା। ୩୩ ରନ୍‌ ଭିତରେ ଦଳ ୪ ୱିକେଟ୍‌ ହରାଇ ସାରିଥିବାରୁ ଋଷଭ ପନ୍ତ (୫୫) ଓ ତ୍ରିଷ୍ଟାନ୍‌ ଷ୍ଟବ୍‌ସ୍‌ (୫୪) ପଞ୍ଚମ ୱିକେଟ୍‌ରେ ୯୩ ରନ୍‌ ଯୋଡ଼ି ଦଳର ସମ୍ମାନ ରକ୍ଷା କରିଥିଲେ। କିନ୍ତୁ ଆଉ କାହାର ଯୋଗ‌ଦାନ ନରହିବାରୁ ଦଳ ୧୭.୨ ଓଭରରେ ୧୬୬ ରନ୍‌ କରି ଅଲଆଉଟ୍‌ ହୋଇଥିଲା। ବୈଭବ ଅରୋଡ଼ା ଓ ବରୁଣ ଚକ୍ରବର୍ତ୍ତୀ ୩ ୱିକେଟ୍‌ ଲେଖାଏଁ ନେଇଥିଲେ।
ପୂର୍ବରୁ କେକେଆର୍‌ ଚଳିତ ଆଇପିଏଲ୍‌ରେ ଦ୍ବିତୀୟ ‌ସର୍ବୋଚ୍ଚ ସ୍କୋର କରିଥିଲା। ସୁନୀଲ ନାରାୟଣ (୮୫ ରନ୍‌, ୩୯ ବଲ୍‌), ଅଙ୍ଗକ୍ରିସ ରଘୁବଂଶୀ (୫୪ ରନ୍‌, ୨୭ ବଲ୍‌), ଆନ୍ଦ୍ରେ ରସେଲ୍‌ (୪୧ ରନ୍‌, ୧୯ ବଲ୍‌), ରିଙ୍କୁ ସିଂହ (୨୬ ରନ୍‌, ୮ ବଲ୍‌)ଙ୍କ ଆତସବାଜି ବ୍ୟାଟିଂ ବଳରେ ୨୭୨/୭ କରିଥିଲା। ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ସନରାଇଜର୍ସ ହାଇଦ୍ରାବାଦ୍‌ ସର୍ବୋଚ୍ଚ ୨୭୭/୩ ସ୍କୋର କରିଥିଲା।

Advertisment

ଦ୍ବିତୀୟ ସର୍ବୋଚ୍ଚ ଦଳଗତ ସ୍କୋର
ବୁଧବାର କେକେଆର୍‌ ପ୍ରଥମ ଓଭରରୁ ଆକ୍ରମଣ କରିଥିଲା। ଫିଲ୍‌ ସଲ୍ଟ (୧୮) ପଞ୍ଚମ ଓଭରରେ ଆଉଟ୍‌ ହୋଇଥିଲେ ବି ରନ୍‌ ଗତି ଉପରେ କିଛି ପ୍ରଭାବ ପଡ଼ି ନଥିଲା। ନାରାୟଣ ଓ ରଘୁବଂଶୀ ଦ୍ବିତୀୟ ୱିକେଟ୍‌ରେ ୪୮ ବଲ୍‌ରୁ ୧୦୪ ରନ୍‌ ଦଳୀୟ ସ୍କୋରରେ ଯୋଡ଼ି ବଡ଼ ସ୍କୋର ପାଇଁ ରାସ୍ତା ସଫା ରଖିଥିଲେ। ଶତକଠୁ ୧୫ ରନ୍‌ ଦୂରରେ ଥାଇ ନାରାୟଣ ଆଉଟ୍‌ ହେବା ପରେ ରସେଲ୍‌ ରନ୍‌ ବର୍ଷା ଧାରା ବଜାୟ ରଖିଥିଲେ। ଚତୁର୍ଥ ୱିକେଟ୍‌ରେ ଆୟରଙ୍କ ସହ ମିଶି ୨୪ ବଲ୍‌ରୁ ୫୬ ରନ୍‌ ଉଠାଇଥିଲେ। ଆଇପିଏଲ୍‌ର ସର୍ବକାଳୀନ ସର୍ବୋଚ୍ଚ ସ୍କୋର କରିବା ସହଜ ମନେ ହେଉଥିଲେ ମଧ୍ୟ ଶେଷ ଓଭରରେ ରସେଲ୍‌ ଓ ରମଣଦୀପ ସିଂହ (୨) ଙ୍କୁ ଈଶାନ୍ତ ଶର୍ମା ଆଉଟ୍‌ କରିବାରୁ ଦଳ ୨୭୨/୭ରେ ପାଳି ଶେଷ କରିଥିଲା। ଶେଷ ଦୁଇ ଓଭରରେ ‌ଦିଲ୍ଲୀକୁ ପେନାଲ୍ଟି ପାୱାରପ୍ଲେ ମିଳିବାରୁ କେକେଆର୍‌ ବ୍ୟାଟର୍‌ମାନେ ୩୩ ରନ୍‌ ସଂଗ୍ରହ କରିଥିଲେ। ପାୱାରପ୍ଲେରୁ ୮୮ ରନ୍‌ ଓ ଶେଷ ୫ ଓଭରରୁ ୭୭ ରନ୍‌ ଆସିଥିଲା। ଏହି ପାଳିରେ ୧୮ ଛକା ଓ ୨୨ ଚୌକା ମରାଯାଇଥିଲା।

ସଂକ୍ଷିପ୍ତ ସ୍କୋର୍:କୋଲକାତା ନାଇଟ୍ ରାଇଡର୍ସ ୨୦ ଓଭରରେ ୨୭୨/୭ (ସୁନୀଲ ନାରାୟଣ ୮୫, ଅଙ୍ଗକ୍ରିସ୍ ରଘୁବଂଶୀ ୫୪, ଆନ୍ଦ୍ରେ ରସେଲ ୪୧, ରିଙ୍କୁ ସିଂହ ୨୬, ଅନରିକ ନର୍ଖିୟା ୩/୫୯, ଈଶାନ୍ତ ଶର୍ମା ୨/୪୩)। ଦିଲ୍ଲୀ କ୍ୟାପିଟାଲ୍ସ ୧୭.୨ ଓଭରରେ ୧୬୬ (ଋଷଭ ପନ୍ତ ୫୫, ତ୍ରିଷ୍ଟାନ ଷ୍ଟବ୍ସ, ୫୪, ବୈଭବ ଅରୋରା ୩/୨୭, ବରୁଣ ଚକ୍ରବର୍ତ୍ତୀ ୩/୩୩)।