ତ୍ରିକୋଣୀୟ ଦୃଷ୍ଟିହୀନ କ୍ରିକେଟ୍ ଶୃଙ୍ଖଳା: ଅଭ୍ୟାସ ମ୍ୟାଚ୍‌ରେ ଓଡ଼ିଶାର ବୃହତ୍ ବିଜୟ

ଭୁବନେଶ୍ବର: ପୁଦୁଚେରୀଠାରେ ଆରମ୍ଭ ହୋଇଥିବା ଓଡିଶା, କେରଳ, ପୁଦୁଚେରୀ ତ୍ରିକୋଣୀୟ ଦୃଷ୍ଟିହୀନ କ୍ରିକେଟ୍ ପ୍ରତିଯୋଗିତାରେ ଓଡିଶା ମଙ୍ଗଳବାର କେରଳ (ଏ) ବିପକ୍ଷ ଅଭ୍ୟାସ ମ୍ୟାଚ୍‌ରେ ବୃହତ୍ ବିଜୟ ହାସଲ କରିଛି। ଏହି ମ୍ୟାଚ୍‌ରେ ଉଦୀୟମାନ ଖେଳାଳି ଲାବନ୍ୟ ପାତ୍ର, ଅଞ୍ଜନ ସିଂ ଓ ଆକାଶ ରାଉତ ଓଡିଶା ଦଳ ପକ୍ଷରୁ ପ୍ରଥମ ଥର ଖେଳିବାର ସୁଯୋଗ ପାଇଥିଲେ। ଆଜି ପ୍ରଥମେ ବ୍ୟାଟିଂ କରି କେରଳ (ଏ) ଦଳ ନିର୍ଧାରିତ ୨୦ ଓଭରରେ ୭ ୱିକେଟ୍‌ ହରାଇ ୧୧୩ ରନ୍ କରିଥିଲା। ଓଡିଶା ପକ୍ଷରୁ ତପନ କୁମାର ଗୌଡ଼ ୩ ୱିକେଟ୍ ଏବଂ ନକୁଳ ବଡ଼ନାୟକ ଗୋଟିଏ ୱିକେଟ୍ ଅକ୍ତିଆର କରିଥିଲେ। ୧୧୪ ରନ୍‌ର ଲକ୍ଷ୍ୟକୁ ଓଡିଶା ମାତ୍ର ୮.୫ ଓଭରରେ ଗୋଟିଏ ୱିକେଟ୍ ହରାଇ ହାସଲ କରି ନେଇଥିଲା। ନକୁଳ ବଡ଼ନାୟକ ୩୫ ବଲ୍‌ରେ ୬୧ ଓ କାଳିଆ ପ୍ରଧାନ୧୬ ରନ୍ ସଂଗ୍ରହ କରି ଅପରାଜିତ ରହିଥିଲେ। ବୁଧବାର ଓଡିଶା ତାର ପ୍ରଥମ ଲିଗ୍ ମ୍ୟାଚ୍‌ରେ ପୁଦୁଚେରୀକୁ ଭେଟିବ।

ସମ୍ବନ୍ଧିତ ଖବର