ସର୍ବବୃହତ୍‌ ହକି ବିଜୟ, ୨୬-୦ରେ ହାରିଲା ହଂକଂ

ଜାକର୍ତା/ପାଲେମବାଙ୍ଗ: ଭାରତୀୟ ପୁରୁଷ ହକି ଦଳ ବୁଧବାର ତା’ର ସର୍ବବୃହତ୍‌ ଅନ୍ତର୍ଜାତୀୟ ବିଜୟ ହାସଲ କରିଛି। ଭାରତ ଆଜି ହଂକଂକୁ ୨୬-୦ ଗୋଲ୍‌ର ବୃହତ୍‌ ବ୍ୟବଧାନରେ ପରାସ୍ତ କରିଛି। ଏହା କରି ୮୬ ବର୍ଷ ତଳେ ୧୯୩୨ ଅଲିମ୍ପିକ୍ସରେ ଆମେରିକାକୁ ୨୪-୧ ଗୋଲ୍‌ରେ ହରାଇବାର ସଫଳତାକୁ ଭାରତୀୟ ପୁରୁଷ ହକି ଦଳ ଟପି ଯାଇଛି। ତେବେ ଅନ୍ତର୍ଜାତୀୟ ହକିରେ ସର୍ବବୃହତ୍‌ ବିଜୟର କୀର୍ତ୍ତିମାନ ନ୍ୟୁଜିଲାଣ୍ଡ ନାଁରେ ରହିଛି। ୧୯୯୪ରେ ନ୍ୟୁଜିଲାଣ୍ଡ ୩୬-୧ରେ ସାମୋଆକୁ ହରାଇଥିଲା।

ଭାରତ ଆଜି ଏମିତି ଆଧିପତ୍ୟ ବିସ୍ତାର କରିଥିଲା ଯେ ଖେଳ ଶେଷ ହେବାର ୭ ମିିନଟ୍‌ ପୂର୍ବରୁ ନିଜ ଗୋଲ୍‌ ପୋଷ୍ଟ୍‌କୁ ମୁକୁଳା କରି ଦେଇଥିଲା। ତଥାପି ହଂକଂ ଗୋଟିଏ ହେଲେ ବି ଗୋଲ୍‌ କରିବାକୁ ସକ୍ଷମ ହୋଇ ନଥିଲା। ବିଶ୍ୱ ମାନ୍ୟତାର ପଞ୍ଚମ ସ୍ଥାନରେ ଥିବା ଭାରତ ନିଜ ପ୍ରଥମ ମ୍ୟାଚ୍‌ରେ ୧୭-୦ରେ ଆୟୋଜକ ଇଣ୍ଡୋନେସିଆକୁ ହରାଇଥିଲା। ଆଜି ପ୍ରଥମ ପାଞ୍ଚ ମିନିଟ୍‌ ଭିତରେ ୪ଟି ଗୋଲ୍‌ ଦେଇ ଭାରତ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବା ପରେ ଦ୍ୱିତୀୟ କ୍ୱାର୍ଟର ସୁଦ୍ଧା ୧୪-୦ରେ ଆଗୁଆ ହୋଇଯାଇଥିଲା। ଶେଷ ଦୁଇ କ୍ୱାର୍ଟରରେ ଆଉ ଡଜନେ ଗୋଲ୍‌ ଦେଇ ୨୬-୦ ବିଜୟ ସହ ନୂଆ ଅଧ୍ୟାୟ ସୃଷ୍ଟି କରିଥିଲା। ଭାରତ ପକ୍ଷରୁ ରୂପୀନ୍ଦର ପାଲ ସିଂହ ସର୍ବାଧିକ ପାଞ୍ଚଟି ଗୋଲ୍‌ ଦେଇଥିଲା ବେଳେ ହରମନପ୍ରୀତ ସିଂହ ଦ୍ୱିତୀୟ ସର୍ବାଧିକ ଚାରିଟି ଗୋଲ୍‌ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆକାଶଦୀପ ସିଂହ ତିନିଟି, ମନପ୍ରୀତ ସିଂହ, ଲଳିତ ଉପାଧ୍ୟାୟ, ବରୁଣ କୁମାର ଦୁଇଟି ଲେଖାଏଁ ଗୋଲ୍‌ ଦେଇଥିଲେ। ଏସ୍‌ ଭି ସୁନୀଲ, ବିବେକ ସାଗର ପ୍ରସାଦ, ମନଦୀପ ସିଂହ, ଓଡ଼ିଆ ତାରକା ଅମିତ ରୋହି ଦାସ, ଦିଲପ୍ରୀତ ସିଂହ, ଚିଙ୍ଗଲସାନା ସିଂହ, ସିମ୍ରନଜିତ ସିଂହ ଓ ସୁରେନ୍ଦ୍ର କୁମାର ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ।

ଟେନିସ୍‌ରେ ୨ ପଦକ ପକ୍କା
ଅଷ୍ଟାଦଶ ଏସୀୟ କ୍ରୀଡ଼ାର ଟେନିସରେ ଭାରତୀୟ ପ୍ରତିଯୋଗୀମାନେ ବୁଧବାର ଅନ୍ୟୁନ ଦୁଇଟି ପଦକ ପକ୍କା କରି ନେଇଛନ୍ତି। ମହିଳା ଏକକରେ ଅଙ୍କିତା ରାଇନା ଏକଦା ୧-୪ରେ ପଛୁଆ ରହିବା ସତ୍ତ୍ୱେ ହଂକଂର ଏଡିସ୍‌ ଚୋଙ୍ଗଙ୍କୁ ୬-୪, ୬-୧ରେ ହରାଇ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ପ୍ରଥମ ସେଟ୍‌କୁ ୫୪ ମିନିଟ୍‌ରେ ଜିତିଥିବା ଅଙ୍କିତା ଦ୍ୱିତୀୟକୁ ୨୭ ମିନିଟ୍‌ରେ ଜିତି ସେମି ଟିକେଟ ହାସଲ କରି ନେଇଥିଲେ। ସେହିଭଳି ପୁରୁଷ ଯୁଗଳରେ ରୋହନ ବୋପାନ୍ନା ଓ ଦିଭିଜ ସରଣ ମଧ୍ୟ ସେମିରେ ପ୍ରବେଶ କରିଛନ୍ତି। ମିଶ୍ରିତ ଯୁଗଳରେ ବୋପାନ୍ନା ଏବଂ ଅଙ୍କିତା ମଧ୍ୟ କ୍ୱାର୍ଟର ଫାଇନାଲରେ ସ୍ଥାନ ସୁରକ୍ଷିତ କରି ନେଇଛନ୍ତି। ସେପଟେ ତୀରନ୍ଦାଜୀରେ ଭାରତୀୟ ପୁରୁଷ କମ୍ପାଉଣ୍ଡ ଦଳ ଯୋଗ୍ୟତା ପର୍ଯ୍ୟାୟର ତୃତୀୟ ସ୍ଥାନରେ ରହି ମୁଖ୍ୟ ଡ୍ର’କୁ ଯାଇଛି। ଭାରତୀୟ ସନ୍ତରକ ସନ୍ଦୀପ ସେଜଓ୍ଵାଲ, ସଜନ ପ୍ରକାଶ ଓ ଅଭିନାଶ ମଣି ନିଜ ନିଜ ହିଟ୍‌ର ପ୍ରଥମ ସ୍ଥାନରେ ରହିଥିଲେ ମଧ୍ୟ ଫାଇନାଲକୁ ଯାଇ ପାରି ନଥିଲେ।

ସମ୍ବନ୍ଧିତ ଖବର